କାଶିପୁର ବ୍ଲକରେ ଅସହ୍ୟ ହେଉଛି ଜନନୀ ଯନ୍ତ୍ରଣା


ପୁଣି ଏକ ଗର୍ଭବତୀ ମହିଳାଙ୍କ ଦାରୁଣ ଦୃଶ୍ୟ

କାଶିପୁର, (ଆଲାରାମ ଭତ୍ରା): ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ଅଡାଜର୍ ପଞ୍ଚାୟତର କର୍ଣିଖାଲ ରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଏହି ଗାଁର ଡୁମ୍ବେ ମାଝୀଙ୍କ ସ୍ତ୍ରୀ ଗୌରୀ ମାଝୀ (୨୮)ଙ୍କୁ ପ୍ରସବ ବେଦନା ହେବାରୁ କାଶିପୁର ଗୋଷ୍ଠୀ ଚିକିତ୍ସାଳୟକୁ ଆଣିବା ନିମନ୍ତେ ୧୦୨ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ଖବର ପାଇ ଆମ୍ବୁଲାନ୍ସ ଡ୍ରାଇଭର ପରୀକ୍ଷିତ ନାଏକଙ୍କ ସମେତ କୈଳାସ ଚନ୍ଦ୍ର ଲିମା ଓ କର୍ଣି ଖାଲ ଗ୍ରାମର ଆଶା କର୍ମୀ ଗର୍ଭବତୀଙ୍କୁ ଆଣିବାକୁ ବାହାରି ଥିଲେ। ୩୦/୩୫ କିଲୋମିଟର ରାସ୍ତା ଅତିକ୍ରମ କରି ଗଲା ପରେ କର୍ନି ଖାଲ ଗ୍ରାମକୁ ଆଉ ଆମ୍ବୁଲାନ୍ସ ଯାଇ ପାରି ନ ଥିଲା।

ଦୁର୍ଗମ ପଥ ଓ ନଦୀ ଥିବା ଯୋଗୁଁ ଆମ୍ବୁଲାନ୍ସ ଗାଁକୁ ଯାଇପାରି ନଥିଲା। ଏଣୁ ଆମ୍ବୁଲାନ୍ସ ଡ୍ରାଇଭର ଓ ଆଶା କର୍ମୀ ପାଦ ଚଲା ରାସ୍ତା ଦେଇ ୩/୪ କିମି ରାସ୍ତା ଅତିକ୍ରମ କରି ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ବୋହି ପାହାଡିଆ ଆବଡା ଖବଡା ରାସ୍ତା, ନଈ ନାଳ ଦେଇ ଆଣିଥିଲେ। ଗର୍ଭବତୀଙ୍କୁ ଶେଷରେ କାଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମା ଗୃହକୁ ଅଣା ଯାଇଥିଲା। ପ୍ରକାଶ ଥାଉ କି ଏଭଳି ଦୁଃଖଦ ଜନନୀ ଯନ୍ତ୍ରଣା କାଶିପୁର ବ୍ଲକ ରେ ବାରମ୍ବାର ଅଭିଯୋଗ ପରେ ମଧ୍ଯ ଏହି ଅଞ୍ଚଳର ରାଜନେତା ଓ ପ୍ରଶାସନର ନିଦ ଭାଙ୍ଗୁ ନାହିଁ। ଏପଟେ ପ୍ରଶାସନ ଓ ସରକାର କାଶିପୁର ବ୍ଲକକୁ ଅଣଦେଖା କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି। କାଶିପୁର ବ୍ଲକର ଅନେକ ଗ୍ରାମକୁ ଯାତାୟତ ନିମନ୍ତେ ରାସ୍ତା ନାହିଁ ବାରମ୍ବାର ଦୃଷ୍ଟିଗୋଚରକୁ ଆଣିଲେ ମଧ୍ଯ କୌଣସି ଫଳପ୍ରଦ ହେଉନ ଥିବା ଲୋକେ ଅଭିଯୋଗ କରିଛନ୍ତି।