ରାଜ୍ୟ ସ୍ତରୀୟ ୨୨ତମ ତୀରନ୍ଦାଜ ପ୍ରତିଯୋଗିତା: କଳାହାଣ୍ଡି ପ୍ରତିଯୋଗୀ ପାଇଲେ ୬ପଦକ


କଳାହାଣ୍ଡି ଭାଗରେ ୧ ସ୍ୱର୍ଣ୍ଣ, ୪ ଟି ରୌପ୍ୟ ଓ ୧ କାଂସ୍ୟ ପଦକ

କଟକ/କଳାହାଣ୍ଡି, (କ୍ଷମାନିଧି ମହାକୁଡ): ବାରବାଟୀ ଷ୍ଟାଡିୟମ ଠାରେ ଚାଲିଥିବା ୨୨ ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା ଉଦଜାପିତ ହୋଇଯାଇଛି। ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ କ୍ରିଡାବିତମାନେ ଯୋଗ ଦେଇଥିବାବେଳେ କଳାହାଣ୍ଡି ଜିଲ୍ଲା ଆଥଲେଟିକ ଏସୋସିଏସନ ପକ୍ଷରୁ ୯ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।


୧୯ ରୁ ୨୧ ତାରିଖ ତିନି ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାର ପ୍ରଥମ ଦିନରେ ଲାଞ୍ଜିଗଡ ଡିଏଭି ବେଦାନ୍ତ ସ୍କୁଲ ଛାତ୍ର ରୋମିୟ ମାଝୀ ଅଣ୍ଡର ନାଇନରେ ଭାଗନେଇ ରୌପ୍ୟ ପଦକ ହାସଲ କରିଥିଲେ।

ସେହିପରି ଦ୍ୱିତୀୟ ଦିନରେ ଜୁନିୟର ଅଣ୍ଡର ସେଭେନଣ୍ଟିନ ୩୦ ରୁ ୪୦ ମିଟର ପ୍ରତିଯୋଗିତାରେ ଲାଞ୍ଜିଗଡ ଏସଏସଡି ସ୍କୁଲ ଛାତ୍ର ନିଥନିଆଲ ମଲ୍ଲିକ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ବାଳିକା ବିଭାଗର ଅଣ୍ଡର ଫର୍ଟିନ ୫୦ ମିଟରରେ ସଦର ବ୍ଲକ ଦେପୁର ସ୍କୁଲ ଛାତ୍ରୀ ସୁହାସିନୀ ମଲ୍ଲିକ ରୌପ୍ୟ ପଦକ ହାସଲ କରିଛନ୍ତି।


ସେହିପରି ତୃତୀୟ ତଥା ଶେଷ ଦିନରେ ପୁଣି ନିଥନିଆଲ ମଲ୍ଲିକ ୩୦ ରୁ ୨୦ ମିଟରରେ ରୌପ୍ୟ ପଦକ ହାସଲ କରିଥିବା ବେଳେ ଏସଏସଡି ସ୍କୁଲ ଛାତ୍ର ରତ୍ନ ମାଝୀ ସବ ଜୁନିୟର ୩୦ ରୁ ୨୦ ମିଟରରେ କାଂସ୍ୟ ପଦକ

ଓ କୋଚ୍ ଶୀମାଞ୍ଚଳ କାଟ୍ରାକା ସିନିୟର ୫୦ ରୁ ୩୦ ମିଟରରେ ରୌପ୍ୟ ପଦକ ହାସଲ କରିଛନ୍ତି।କଳାହାଣ୍ଡି ଜିଲ୍ଲା ପାଇଁ ଏହି ପ୍ରତିଭା ଖେଳାଳିମାନେ ୬ ଗୋଟି ପଦକ ହାସଲ କରିଥିବା ବେଳେ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି।

ଜିଲ୍ଲା ଆଥଲେଟିକ ଏସୋସିଏସନ ସମ୍ପାଦକ ଜଗମୋହନ ପଟ୍ଟନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ସୁବାଶିଷ ନାୟକ, ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇ. ଫକୀର ମୋହନ ମାଝୀ, ବେଦାନ୍ତ ପରିଚାଳନା ମୁଖ୍ୟ ରାକେଶ ମୋହନ, ଲାଞ୍ଜିଗଡ ଏସଏସଡି ସ୍କୁଲ ଅଧ୍ୟକ୍ଷ ପାର୍ଥବ ତାଣ୍ଡି ଓ ଡିଏଭି ବେଦାନ୍ତ ସ୍କୁଲ ଅଧ୍ୟକ୍ଷ ସଦାନନ୍ଦ ହୋତାଙ୍କ ସମେତ ଜିଲ୍ଲା ବାସୀ ଖେଳାଳି ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି।