ଗୁଟଖା ଏବଂ ସିଗାରେଟ କଳାବଜାରୀର ମଞ୍ଜି କଥା

କୃତ୍ରିମ ଅଭାବ ସୃଷ୍ଟି କରି ଖାଉଟିଙ୍କୁ ଲୁଟୁଛନ୍ତି ହୋଲସେଲର

ଲକଡାଉନ ସମୟରେ ବି ବିକ୍ରି କରିଛନ୍ତି କୋଟି କୋଟି ଟଙ୍କାର ଗୁଟଖା

ବିକ୍ରି କର ବିଭାଗ ନାକରେ ଗେଞ୍ଜା ଚାଲିଛି ଆଙ୍ଗୁଠି: ବିଭାଗ ନିଦାବିଷ୍ଣୁ

କଳାହାଣ୍ଡି: ଗୁଟଖା, ସିଗାରେଟ ବିକ୍ରି ଉପରେ ରୋକ ଲଗାଇବା ପାଇଁ ଖାଦ୍ୟ ନିରାପତ୍ତା ବିଭାଗ, ଅବକାରୀ ବିଭାଗ ଓ ପୁଲିସ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ମିଳିତ ଭାବେ ଚଢ଼ାଉ କରାଯାଉଛି। କୋଟପା ଆଇନ ଅନୁଯାୟୀ ଟବାକୋ ସାମଗ୍ରୀ ବିକ୍ରୀ ବନ୍ଦ କରିବା, ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ଆଦି ଅଞ୍ଚଳରେ ଏହାକୁ ସଂପୂର୍ଣ୍ଣ ନିଷିଦ୍ଧ କରିବାପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି। ତେବେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସମେତ ରୁପ୍ରାରୋଡ ବସ୍ତି ଓ ଆଖପାଖ ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଖୁଲମଖୁଲା ସରକାରୀ ନିୟମକୁ ଉଲ୍ଲଙ୍ଘନ କରି ଚାଲିଛନ୍ତି ବ୍ୟବସାୟୀ।

ନର୍ଲା ବ୍ଲକର ବ୍ୟବସାୟୀକ ପେଣ୍ଠସ୍ଥଳୀ ରୁପ୍ରାରୋଡ ବସ୍ତିରେ ମନଇଚ୍ଛା ବଢ଼ିଚାଲିଛି ଗୁଟଖା ଓ ସିଗାରେଟର ଦର। ଏଥିପ୍ରତି କୈାଣସି ଅଙ୍କୁଶ ନାହିଁ କିମ୍ବା କୈାଣସି କଟକଣା ନାହିଁ। ନିଜ ମର୍ଜିରେ ଧନ୍ଦା ଚଳାଇଛନ୍ତି ଗୁଟଖା ଓ ସିଗାରେଟ ରଖୁଥିବା ବ୍ୟବସାୟୀ। କୃତ୍ରିମ ଅଭାବ ସୃଷ୍ଟି କରି ଜନତାଙ୍କୁ ଲୁଟିବା ପ୍ରକ୍ରିୟା ଧରାବନ୍ଧା ନିୟମପରି ଚାଲିଛି, କିନ୍ତୁ ପ୍ରଶାସନ ଏଠି ନିଦାବିଷ୍ଣୁ ସାଜିଛି। ପ୍ରାୟ ସମୟରେ ନିଶା ସେବନକାରୀମାନେ ଚଢ଼ା ଦର ଦେଇ ଏସବୁ ମାଦକ ଦ୍ରବ୍ୟ ବ୍ୟବହାର କରୁଥିବାବେଳେ ବସ୍ତିର ବ୍ୟବସାୟୀମାନେ ମାଲାମାଲ ହେଉଥିବା ଦେଖାଯାଉଛି।

ଅଭିଯୋଗ ହେଉଛି ରୁପ୍ରାରୋଡ ବସ୍ତିରେ ଥିବା ‘ସଫଳ’ ଗୁଟଖାର ହୋଲସେଲର୍ ମାର୍କେଟକୁ ମାଲ୍ ଆସିନାହିଁ କହି ଜନରବ ସୃଷ୍ଟି କରିଥାନ୍ତି। ଏହାପରେ ଆରମ୍ଭ ହୋଇଯାଏ କଳାବଜାରୀ। ଦାଏଁ ଦାଏଁ ବଢିଯାଏ ସଫଳ ଗୁଟଖାର ଭାଉ। ଏପଟେ ସଂପୃକ୍ତ ହୋଲସେଲର ଗୋଦାମରେ ଭରପୁର ହୋଇ ରଖିଥିବା ମାଲ୍ ଚଢାଦରରେ ବିକ୍ରି କରିଥାନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଥାଏ। ଖାଉଟି ହାତରେ ପହଞ୍ଚିବା ସମୟରେ ୫ଟଙ୍କାର ସଫଳ ଗୁଟଖା ୭ରୁ ୮ଟଙ୍କା ହୋଇଯାଏ। ସେଲଟେକ୍ସ ବିଭାଗ ନାକରେ ସଂପୃକ୍ତ ହୋଲସେଲର ଆଙ୍ଗୁଠି ଗେଞ୍ଜୁଥିବା ବସ୍ତିର ଅନେକ ସଚେତନ ନାଗରିକ ପ୍ରକାଶ କରିଛନ୍ତି। ସେମାନେ କହିବା ଅନୁସାରେ ଲକଡାଉନ ସମୟରେ ଏହି ହୋଲସେଲର ଓ ବ୍ୟବସାୟୀମାନେ କୋଟି କୋଟି ଟଙ୍କାର ଗୁଟଖା ଏବଂ ସିଗାରେଟ ଚଢ଼ା ଦରରେ ବିକ୍ରି କରିଛନ୍ତି, ଯାହା ସଂପୂର୍ଣ୍ଣ ବେନିୟମ ଅଟେ। ଏହି ସମୟ ପରେ ମଧ୍ୟ ସେମାନେ କଳାବଜାରୀ ଛାଡି ନଥିବା ଅଭିଯୋଗ ହେଉଛି। ଗତ ଦୁଇ ମାସ ତଳେ ରୁପ୍ରାରୋଡରେ ସୃଷ୍ଟି ହୋଇଗଲା କୃତ୍ରିମ ଅଭାବ। ପୁଣି ଚଢା ଦରରେ ବିକ୍ରୀ ହେଲା ସଫଳ ଗୁଟଖା। ନିକଟ ଅତୀତରେ ମଧ୍ୟ ବାରମ୍ବାର ଏପରି ହୋଇଚାଲିଥିବା ବେଳେ ବିକ୍ରି କର ବିଭାଗ ଆଖିକୁ ଏସବୁ କିପରି ଦେଖା ଯାଉନାହିଁ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ବିକ୍ରି କର ବିଭାଗର ଗାଡି ଆସୁଛି ବୋଲି ଜାଣିବାପରେ ରୁପ୍ରାରୋଡର ଏହି ସଫଳ ଗୁଟଖା ହୋଲସେଲର ଓ ବ୍ୟବସାୟୀମାନେ ଦୋକାନ ବନ୍ଦ କରି ଦିଅନ୍ତି। ସଚେତନ ନାଗରିକ ମାନଙ୍କ ମତ ହେଲା ଜଣେ ବିଶିଷ୍ଟ ଓକିଳ ଓ ବିଭାଗିୟ ଅଧିକାରୀମାନଙ୍କ ଛତ୍ରଛାୟାରେ ରହୁଥିବାରୁ ରୁପ୍ରାରୋଡର ହୋଲସେଲର ଏବଂ ବ୍ୟବସାୟୀମାନେ କାହାକୁ ଭୃକ୍ଷେପ କରନ୍ତି ନାହିଁ। ବସ୍ତି ବାସିନ୍ଦାଙ୍କ କହିବା କଥା ହେଲା ଏମାନେ କଳାବଜାରୀ କରିବାସହ ପ୍ରବଳ ଟିକସ ଫାଙ୍କି କରୁଛନ୍ତି, ନହେଲେ ସେଲଟେକ୍ସ ନାଁ ଶୁଣିଲେ କାହିଁକି ଦୋକାନ ବନ୍ଦ କରନ୍ତେ? ଯଦି ବିକ୍ରିକର ବିଭାଗ ଅଚାନକ ଚଢ଼ାଉ କଲେ ସବୁ ଗୁମର ଫିଟି ଯାଆନ୍ତା ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।

ଏଠାରେ ସୂଚନାଯୋଗ୍ୟ ଯେ, ୩୦ଟି ପାଞ୍ଚ ଟଙ୍କିଆ ସଫଳ ପାଉଚ ଥିବା ପ୍ୟାକେଟକୁ ଖୁଚୁରା ଦୋକାନୀମାନେ ୧୩୦ ଟଙ୍କା ଦେଇ ନେଇଥାଆନ୍ତି। ତେବେ ମଝିରେ ମଝିରେ କୃତ୍ରିମ ଅଭାବ ସୃଷ୍ଟି ହେଉଥିବାରୁ ସେମାନେ ୧୫୦ ରୁ ୧୭୦ ଟଙ୍କା ମଧ୍ୟରେ କିଣିବାକୁ ବାଧ୍ୟ ହୋଇଥାନ୍ତି ବୋଲି ମତ ପ୍ରକାଶ କରିଛନ୍ତି। ଲକଡାଉନ ସମୟରେ ରୁପ୍ରାରୋଡ ବସ୍ତିରେ ସଫଳ ପ୍ୟାକେଟ ପିଛା ୨୦୦ ରୁ ୨୪୦ ମଧ୍ୟରେ ବିକ୍ରି ହୋଇଥିବା ଖୁଚୁରା ଦୋକାନୀମାନେ ପ୍ରକାଶ କରିଛନ୍ତି। ସେହିପରି ଭାବେ ମଝିରେ ମଝିରେ ମନ ଇଚ୍ଛା ସିଗାରେଟ୍ ର ଦର ମଧ୍ୟ ବଢ଼ିଥାଏ। ଯେତେବେଳେ ମାର୍କେଟରେ ଗୁଟଖା ଓ ସିଗାରେଟ୍ ର ଦର ବଢିଯାଏ ସେତେବେଳେ ଗ୍ରାମାଞ୍ଚଳର ଖୁଚୁରା ଦୋକାନୀମାନେ ସେହି ଅନୁସାରେ ବିକ୍ରି କରିଥାନ୍ତି। ବିଗତ ଦିନରେ ରୁପ୍ରାରୋଡର ବ୍ୟବସାୟୀ ବଣ୍ଟି କମାନୀଙ୍କ ନର୍ଲା ସ୍ଥିତ ଦୋକାନ ଉପରେ ବିକ୍ରିକର ବିଭାଗ ଅଚାନକ ଚଢ଼ାଉ କରି ବ୍ୟାପକ ପରିମାଣର ଗୁଟଖା ଓ ସିଗାରେଟ ଜବତ କରିଥିବା ବେଳେ ଅନ୍ୟ ବ୍ୟବସାୟୀଙ୍କ ଉପରେ କିପରି ଏହି ବିଭାଗର ନଜର ପଡୁନାହିଁ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି। ତେଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ରୁପ୍ରାରୋଡର ସଚେତନ ନାଗରିକମାନେ ମତ ପ୍ରକାଶ କରିଛନ୍ତି।

କଳାହାଣ୍ଡିରୁ ନିରଞ୍ଜନ ଗଉଡଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.