ବିଜ୍ଞାନ, ପ୍ରଦ୍ୟୋଗିକି ଓ ନବାଚାର; ଶିକ୍ଷା, କୌଶଳ ଓ କାର୍ଯ୍ୟ ଉପରେ ଏହାର ପ୍ରଭାବ


✒️ ସନ୍ତୋଷ କୁମାର କର

● ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ

ମଣିଷ ନିଜର ଉନ୍ନତ ମସ୍ତିଷ୍କ, ଜିଜ୍ଞାସା ପ୍ରକୃତି ଓ ବିଚକ୍ଷଣ ବୁଦ୍ଧି ବଳରେ ନିଜକୁ ସର୍ବଶ୍ରେଷ୍ଠ ପ୍ରାଣୀ ରୁପେ ପ୍ରତିପାଦିତ କରିପାରିଛି । ବିଶ୍ୱର ରହସ୍ୟ ଗୁଡିକୁ ସେ ଉନ୍ମୋଚିତ କରିବାରେ ଅନେକାଂଶରେ ସଫଳ ହୋଇଛି । ବିଜ୍ଞାନର କୁ ବ୍ୟବହାର କରି ପ୍ରକୃତି ଓ ପଦାର୍ଥର ନିଗୁଢ ରହସ୍ୟ ଉନ୍ମୋଚନ କରିବା ସହ ତାକୁ ବ୍ୟବହାର କରିବାରେ ସକ୍ଷମ ହୋଇପାରିଛି । ବିଶ୍ୱ ବିଜ୍ଞାନ କ୍ଷେତ୍ରରେ ଆମ ଦେଶର ଅବଦାନ କମ ନୁହେଁ । ଆମ ଦେଶର ବୈଜ୍ଞାନିକ ଯଥା ଜଗଦିଶ ଚନ୍ଦ୍ର ବୋଷ, ଚନ୍ଦ୍ର ଶେଖର ଭେଙ୍କଟ ରମଣ, ମେଘନାଦ ସାହା, ହୋମି ଭାବା, ଏପିଜେ ଅବଦୁଲ କାଲାମ, ସିଏନ୍‌ଆର୍ ରାଓ ଓ ବିକ୍ରମ ସରାଭାଇ ଆଦି ନିଜର ଗବେଷଣା ଓ ଅବଦାନ ଯୋଗୁଁ ବିଶ୍ୱ ବିଜ୍ଞାନ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି ।

ସେହି ଭଳି ଏକ ଯୁଗାନ୍ତକାରୀ ଆବିଷ୍କାର ଯାହାକି ବିଶ୍ୱକୁ ଏକ ନୁତନ ବାଟ ଦେଖେଇ ଥିଲା ତାହା ହେଲା “ରମଣ ପ୍ରଭାବ” । ଯାହାର ଆବିଷ୍କାରକ ଥିଲେ ଭାରତ ର ସୁଯୋଗ୍ୟ ସନ୍ତାନ ବୈଜ୍ଞାନିକ “ଚନ୍ଦ୍ରଶେଖର ଭେଙ୍କଟ ରମଣ” । ଥରେ ଇଂଲଣ୍ଡ ରୁ ଏକ ଆଲୋଚନା ଚକ୍ର ରେ ଯୋଗଦେଇ ଫେରିବା ବେଳେ ନୀଳ ଆକାଶ, ନୀଳ ବରଫ ଓ ନୀଳ ସମୁଦ୍ର କୁ ଦେଖି ବିମୋହିତ ହେଲେ ଏଭଳି ନୀଳ ରଙ୍ଗର ହେବାର କାରଣ ବିଷୟ ରେ ଗବେଷଣା କଲେ । ପରିଶେଷରେ ତାଙ୍କର ଗବେଷଣାରୁ ଏକ ତଥ୍ୟ ମିଳିଲା ଯାହାକି ସମଗ୍ର ବିଜ୍ଞାନ ଜଗତକୁ ଚମକେଇ ଦେଲା ଓ ଏକ ନୂତନ ବାଟ ଦେଖାଇଲା । ଆଲୋକ ସଂପର୍କିତ ତାଙ୍କର ଏହି ତଥ୍ୟ ୧୯୨୮ ମସିହା ଫେବୃୟାରୀ ୨୮ ତାରିଖରେ କୋଲକାତାର “ଇଣ୍ଡିଆନ ଆସୋସିଏସନ ଫର୍ କଲଟି ଭେସନ୍ ଅଫ୍ ସାଇନ୍‌ସ” ବିଜ୍ଞାନାଗାର ରେ ଗବେଷଣା କରି ଉପସ୍ଥାପିତ କରିଥିଲେ । ତାଙ୍କର ଏହି ଆବିଷ୍କାର “ରମଣ ପ୍ରଭାବ” ବା “ଆଲୋକର ବିଚ୍ଛୁରଣ” ଯୋଗୁଁ ସେ ୧୯୩୦ ମସିହାରେ ସେ ପଦାର୍ଥ ବିଜ୍ଞାନରେ ବିଶ୍ୱର ସର୍ବଶ୍ରେଷ୍ଠ ପୁରସ୍କାର ନୋବେଲ ପୁରସ୍କାର ପାଇଥିଲେ । ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇବାରେ ସେ ଥିଲେ ପ୍ରଥମ ଏସୀୟ ବୈଜ୍ଞାନିକ । ତାଙ୍କର କୃତିକୁ ସମ୍ମାନ ଦେବା ଓ ଦେଶରେ ବୈଜ୍ଞାନିକ ଦୃଷ୍ଟିକୋଣର ପ୍ରଚାର ପ୍ରସାର ପାଇଁ ୧୯୮୭ ମସିହା ଠାରୁ ପ୍ରତି ବର୍ଷ ଫେବୃୟାରୀ ୨୮ ତାରିଖକୁ ଭାରତରେ “ଜାତୀୟ ବିଜ୍ଞାନ ଦିବସ” ରୂପେ ପାଳନ କରାହେଉଛି ।

ଜାତୀୟ ବିଜ୍ଞାନ ଦିବସ ପାଳନର କେତେଗୋଟି ଉଦ୍ଦେଶ୍ୟ ରହିଛି । ସେଗୁଡିକ ହେଲା:

୧-ନିତିଦିନିଆ ଜୀବନରେ ବିଜ୍ଞାନର ଉପାଦେୟତା ଉପଲବ୍‌ଧି କରିବା ।

୨-ଜନସାଧାରଣଙ୍କର ହିତ ସାଧନ ପାଇଁ ବିଜ୍ଞାନର ବହୁଳ ପ୍ରୟୋଗ ।

୩-ନୂଆ ନୂଆ ବୈଜ୍ଞାନିକ କୌଶଳର ଉଦ୍ଭାବନ ଓ ଆବିଷ୍କାର ।

୪- ବିଜ୍ଞାନ ପ୍ରେମୀ ତଥା ବିଜ୍ଞାନ ଧର୍ମୀ ମାନଙ୍କୁ ସୁଯୋଗ ପ୍ରଦାନ ।

୫-ସର୍ବୋପରି ଦେଶର ଜନସାଧାରଣ, ଛାତ୍ର ଛାତ୍ରୀ ଓ ଯୁବକ ମାନଙ୍କ ମନରେ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ବିକାଶ ।

ପ୍ରତିବର୍ଷ ଜାତୀୟ ବିଜ୍ଞାନ ଦିବସ ପାଳନ ପାଇଁ ଭାରତ ସରକାର ଙ୍କ ତର‘ରୁ ଭିନ୍ନ ଭିନ୍ନ ବିଷୟ ବସ୍ତୁ ରଖା ଯାଇ ଥାଏ । ଜାତୀୟ ବିଜ୍ଞାନ ଦିବସ-୨୦୨୧ ର ବିଷୟ ବସ୍ତୁ ହେଲା “Future of Science, Technology and Innovation: Impact on Education, Skill and Work” ଅର୍ଥାତ “ବିଜ୍ଞାନ, ପ୍ରଦ୍ୟୋଗିକି ଓ ନବାଚାର ର ଶିକ୍ଷା, କୌଶଳ ଓ କାର୍ଯ୍ୟ ଉପରେ ଏହାର ପ୍ରଭାବ” । ବର୍ତମାନ ଯୁଗରେ ବିଜ୍ଞାନର ବହୁଳ ବ୍ୟବହାର ହେଉଛି । ଦୈନନ୍ଦିନ ଜୀବନରେ ବିଜ୍ଞାନର ପ୍ରୟୋଗ ତଥା ବୈଜ୍ଞାନିକ ଉପକରଣ ଜନସାଧାରଣଙ୍କ ନିକଟରେ ସହଜରେ ଉପଲବ୍ଧ ତଥା ବ୍ୟବହୃତ ହେଉଥିବାରୁ ବିଜ୍ଞାନ ଦିନକୁ ଦିନ ଜନାଦୃତ ହେବାରେ ଲାଗିଛି । ଆମେ ନିଜର ସମସ୍ତ ଆବଶ୍ୟକତା ପୁରଣ କରିବାରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ଗୁରୁତ୍ୱ ଦେଇ ଆସିଅଛୁ । ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ରୋଗ ନିରାକରଣ, ଅନ୍ଧ ବିଶ୍ୱାସ ଦୂରୀକରଣ , ମୋବାଇଲ, କମ୍ପ୍ୟୁଟର ଓ ଅନ୍ୟାନ୍ୟ ଯୁଗାନ୍ତକାରୀ ଉଦ୍ଭାବନ ଓ ଆବିଷ୍କାର ସମସ୍ତଙ୍କର ଗ୍ରହଣ ଯୋଗ୍ୟ ହୋଇ ପାରିଛି । କରୋନା ପରି ମହାମାରୀ ସମୟରେ ବିଜ୍ଞାନ ଓ ପ୍ରାଦ୍ୟେଗିକି ର ସହୟତା ରେ ଡିଜିଟାଲ ମାଧ୍ୟମରେ ଶିକ୍ଷାଦାନ କିପରି ଭାବେ ବିକଳ୍ପ ରୂପେ କାମ କରିଛି ତାହା ସମସ୍ତେ ହୃଦୟଙ୍ଗମ କରିସାରିଛନ୍ତି ।

କୌଶଳ ଓ କାର୍ଯ୍ୟ ଦକ୍ଷତା ବଢାଇବାରେ ମଧ୍ୟ ବିଜ୍ଞାନ ର ପ୍ରମୁଖ ଭୁମିକା ରହିଛି । ଭାରତ ତାର ନିଜସ୍ୱ ଜ୍ଞାନ କୌଶଳ ବଳରେ ଚନ୍ଦ୍ର ଅଭିଯାନ, ମଙ୍ଗଳ ଅଭିଯାନ ତଥା ବିଭିନ୍ନ ଦେଶର ଶତାଧିକ ଉପଗ୍ରହକୁ ଏକା ସାଙ୍ଗରେ ମହାକାଶକୁ ପ୍ରେରଣ କରିବାରେ ସକ୍ଷମ ହୋଇଛି । ଦୁଇ ଦୁଇଟି କୋଭିଡ଼ ଟୀକା ର ସଫଳ ପ୍ରୟୋଗ ସହ ସାରା ବିଶ୍ୱକୁ ରପ୍ତାନି କରିବା ଏହାର ଏକ ପ୍ରମୁଖ ଉଦାହରଣ । ତେଣୁ ବର୍ତମାନ ସମୟର ପ୍ରମୁଖବିଜ୍ଞାନକୁ ଧ୍ୱସଂମୁଖୀ ଦିଗରେ ବିନିଯୋଗ ନକରି ସ୍‌ୃଷ୍ଟିମୁଖୀ ଓ ସକରାତ୍ମକ ଦିଗରେ ବିନିଯୋଗ କରି ବିଶ୍ୱବାସୀ ଓ ବିଶ୍ୱର ସମସ୍ତ ଉପାଦାନ ଯେପରି ଆଗାମୀ ଭବିଷ୍ୟତ ପାଇଁ ସଂରକ୍ଷିତ ରହି ପାରିବ ତାହା ଜାତୀୟ ବିଜ୍ଞାନ ଦିବସ ଉପଲେକ୍ଷ ଆମ ସମସ୍ତଙ୍କର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହେବା ଉଚିତ । ତେଣୁ ବିଜ୍ଞାନ ଦିବସରେ ଶପଥ ନେବା ଆଉ ସମାଜରେ ବୈଜ୍ଞାନିକ ଦୃଷ୍ଟି କୋଣର ପ୍ରଚାର ପ୍ରସାର କରି ସୁସ୍ଥ ସମାଜ ଗଠନରେ ସହାୟକ ହେବା ଏବଂ ଏକ ସ୍ୱରରେ କହିବା

ଜୟ ବିଜ୍ଞାନ୍‌, ଜୟ ବିଜ୍ଞାନ୍‌, ଜୟ ବିଜ୍ଞାନ୍ ।

ବିଜ୍ଞାନ ଶିକ୍ଷକ, ଜୟଦୁର୍ଗା ହାଇସ୍କୁଲ
ନର୍ଲାରୋଡ, କଳାହାଣ୍ଡି
ମୋ: ୯୪୩୮୦୫୨୧୧୫