ପୂର୍ବତନ ସାମରିକ କର୍ମଚାରୀଙ୍କ ଶବ ପାଇଁ ଅଭାବ ପଡିଲା ଚାରିକାନ୍ଧ : ଆଗେଇ ଆସିଲେ ବିଜୁ ଯୁବ ବାହିନୀ

ବ୍ରହ୍ମପୁର,୧/୨ : ଦେଶର ସୁରକ୍ଷା ପାଇଁ ଜୀବନଜାକ ଖଟିଲେ ହେଲେ, ମଲା ବେଳକୁ ଅଭାବ ପଡିଲା ଚାରିକାନ୍ଧ । ପାଖ ପଡିଶା କିଏ ଦୁଆର ମୁହଁ ମାଡିଲେନି । ରାତିର ମଢ ବାସି ହେଲା, ପରଦିନ ସକାଳ ହେଲା କିନ୍ତୁ ଘରେ ପଡିରହିଥିଲା ଶବ । ଏପରିସ୍ଥଳେ ଆଗକୁ ଆସି ସହଯୋଗର ହାତ ବଢାଇଲେ ବିଜୁ ଯୁବ ବାହିନୀ । ସମ୍ମାନର ସହ ଶବକୁ ମଶାଣିକୁ ନେଇ ଦାହ ସଂସ୍କାର କରିଛନ୍ତି । ଶୁକ୍ରବାର ଏପରି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡ଼ମାଧପୁର ଗାଁରେ ।

ପ୍ରାପ୍ତ ସୂଚନା ଅନୁସାରେ ବଡମାଧପୁର ଗାଁରେ  ରହନ୍ତି  ଅବସରପ୍ରାପ୍ତ ସାମରିକ କର୍ମଚାରୀ ଡି. ଭାସ୍କର ରେଡ୍ଡୀ। ଭାସ୍କରଙ୍କ ଦୁଇଟି ଗୋଡରେ କୌଣସି କାରଣରୁ ଆଘାତ ଲାଗିବାରୁ ତାହା ସଂକ୍ରମଣ ହୋଇ ରହିଥିଲା। ଗୁରୁବାର ରାତି ୧୦ଟାରେ ଭାସ୍କରଙ୍କ ମୃତ୍ୟୁ ହୋଇଥିଲା । ତେବେ କୌଣସି କାରଣରୁ  ସାହି ତଥା କୁଟୁମ୍ବ କେହି ନ ଆସିବାରୁ ଶୁକ୍ରବାର ସକାଳ ୮ ଟା ପର୍ଯ୍ୟନ୍ତ ଘରେ ମୃତଦେହ ପଡ଼ି ରହିଥିଲା । ଏହି ଖବର ପ୍ରଚାରିତ ହେବାପରେ ଆଗେଇ ଆସିଲେ ବିଜୁ ଯୁବ ବାହିନୀ ସଦସ୍ୟ । ଶବକୁ କୋକେଇରେ ରଖି କାନ୍ଧେଇ ନେଇ ଯାଇଥିଲେ ପାଖ ମଶାଣିକୁ । ସେଠାରେ ମର୍ଯ୍ୟଦାର ସହ ଭାସ୍କରଙ୍କ ଶବ ସଂସ୍କାର ହେଲା ।

ଶବ ସତ୍କାରରେ ବିଜୁ ଯୁବ ବାହିନୀର ଘନଶ୍ୟାମ ବେହେରା, ସୁଧୀର ନାହକ, ବିକାଶ ସାହୁ, ଅଜିତ ସ୍ବାଇଁ, ତପନ, ବିକାଶ, ଭାସ୍କର, କାହ୍ନୁ, ପଞ୍ଚୁ, ଆଦି ଅନେକ ସଦସ୍ୟ ଯୋଗ ଦେଇଥିଲେ । ବିଜୁ ଯୁବ ବାହିନୀର ଏପରି କାର୍ଯ୍ୟଧାରାକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.