୪ର୍ଥ ବାଟାଲିୟନ ସିଆରପିଏଫ ପକ୍ଷରୁ ଜନସଂପର୍କ କାର୍ଯ୍ୟକ୍ରମ


ବିଦ୍ୟାଳୟ, ମନ୍ଦିର ଓ ଗ୍ରାମବାସୀଙ୍କୁ ୨୨ଟି ୱାଟର ସିନଟେକ୍ସ ବଂଟନ

ରାୟଗଡ, (ଶିବ ନାରାୟଣ ଗୈାଡ): ମାଓ ପ୍ରବଣ ରାୟଗଡ ଜିଲ୍ଳାର ମାଓ ପ୍ରଭାବିତ ଅଂଚଳ ଗୁଡାରୀ ଠାରେ ୪ର୍ଥ ବାଟାଲିୟନ୍ କେନ୍ଦ୍ରୀୟ ରିଜର୍ଭ ପୋଲିସ ସୁରକ୍ଷା ବଳ (ସିଆରପିଏଫ) ପକ୍ଷରୁ ଜନ ସଂପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାଓ ସଂଗଠନର କାର୍ଯ୍ୟକୁ ଛାଡି ସରକାରଙ୍କ କାର୍ଯ୍ୟ ଉପରେ ବିଶ୍ୱାସ କରିବା ଓ ସୁରକ୍ଷା କର୍ମୀମାନେ ଅଂଚଳବାସୀଙ୍କ ହୃଦୟ ଜିତି ସେମାନଙ୍କ ସହ ସୁସଂପର୍କ ସ୍ଥାପନା କରିବା ଏହି ଜନସଂପର୍କ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ବାଟାଲିଅନ ତରଫରୁ ସୂଚନା ମିଳିଛି ।

୪ର୍ଥ ବାଟାଲିୟନ ସିଆରପିଏଫ କମାଣ୍ଡଡେଂଟ ମନୋଜ କୁମାର ଯାଦବଙ୍କ ତତ୍ୱାବଧାନରେ ଗ୍ରୀଷ୍ମ ଦିନରେ ଆବଶ୍ୟକ କରୁଥିବା ବିଦ୍ୟାଳୟ, ମନ୍ଦିର ଓ ଗ୍ରାମବାସୀଙ୍କୁ ବାଟାଲିୟନର ସେକେଣ୍ଡ ଇନ କମାଣ୍ଡଡେଂଟ ଶ୍ରୀମତି ମିତୁ ରଏ ୱାଟର ସିନଟେକ୍ସ ପାଣିଟାଙ୍କି ଗୁଡିକ ବଂଟନ କରିଥିଲେ ।

ଚଳିତ ୨୦୨୦-୨୧ବର୍ଷର ଜନ ସଂପର୍କ କାର୍ଯ୍ୟକ୍ରମରେ ଗୁଡାରୀ ଠାରେ ଥିବା ଜି/୪ ବାଟାଲିୟନ ସିଆରପିଏଫ କ୍ୟାମ୍ପ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୁଡାରୀର ସରସ୍ୱତୀ ଶିଶୁ ମନ୍ଦିର, ଶ୍ରୀ ଭାସବୀ କନ୍ୟା ପରମେଶ୍ୱରୀ ପଂଚାୟତର ସରକାରୀ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟ, ଶ୍ରୀ ମାଣିକେଶ୍ୱରୀ ମନ୍ଦିର, ସତ୍ୟସାଇ ସେବା ସମିତି ସମେତ ମଧୁବନ, ଭୁରୁକୁଡୁ, କାଦମା, ସାନହୁମା, ଡୁମୁରିଗୁଡା, ଆସଡା, ଶିରିଗୁଡା ଏବଂ ତଳଖରିଗୁଡା ଗ୍ରାମବାସୀଙ୍କୁ ମିଶାଇ ମୋଟ ୨୨ଗୋଟି ପାଣି ଟାଙ୍କି ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଗୁଡାରୀ ସ୍ଥିତ ଜି/୪ ସିଆରପିଏଫ ବାଟାଲିୟନର ଇନ୍ସପେକ୍ଟର ଶମ୍ଭୁ ତିୱାରୀ,ଗୁଡାରୀ ଥାନା ଅଧିକାରୀ ସୁଶାନ୍ତ କୁମାର, ଗୁଡାରୀ ଏନଏସି କର୍ତୁପକ୍ଷ ଶମ୍ଭୁଭୁଷଣ ଶବର, ମଧୁବନ ଗ୍ରାମ ପଂଚାୟତ ସରପଂଚ ଶ୍ରୀମତି ପ୍ରତିମା ଶବର, କାଦମା ପଂଚାୟତ ସରପଂଚ ବରାମ କିମ୍ବାକା ଏବଂ ଆସଡା ଗାଁର ୱାର୍ଡ ସଭ୍ୟ ମାଧବ ଶବରଙ୍କ ସମେତ ଅନ୍ୟ ଗ୍ରାମବାସୀମାନେ ଉପସ୍ଥିତ ରହିଥିବା ନେଇ ଲୋକ ସଂପର୍କ ଅଧିକାରୀ ମେଜର ସରୋଜ କୁମାର ମହାନ୍ତି ସୂଚନା ପ୍ରଦାନ କରିଛନ୍ତି ।