କୁଟିଆ କନ୍ଧ ପରିବାରକୁ ବର୍ଷ ବର୍ଷ ଧରି ମିଳିପାରୁନି ପିଡିଏସ୍ ଚାଉଳ, ୮୦ ବର୍ଷର ବୃଦ୍ଧାଙ୍କୁ ବି ମିଳିନାହିଁ ବାର୍ଦ୍ଧକ୍ୟ ଭତ୍ତା


ଲାଞ୍ଜିଗଡ: ରାଜ୍ୟ ସରକାର ଆଦିବାସୀଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ଡିଣ୍ଡିମ ପିଟୁଥିବା ବେଳେ ଲାଞ୍ଜିଗଡ଼ ବ୍ଲକରେ ଏହାର ଓଳଟା ଚିତ୍ର ଦେଖିବାକୁ ମିଳୁଛି। ପୂର୍ବରୁ ନର୍ଲା ସଂରକ୍ଷିତ ଆସନ (ଏସଟି) ଓ ବର୍ତ୍ତମାନ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ (ଏସଟି)ରେ ଥିବା ଲାଞ୍ଜିଗଡ଼ ବ୍ଲକର ଆଦିବାସୀ ମାନଙ୍କ ପ୍ରକୃତ ବିକାଶ ହୋଇପାରିନାହିଁ। ଭାତହାଣ୍ଡିରୁ ଗୋଟିଏ ପରି ଏହି ଚିତ୍ର ସରକାରଙ୍କ ଫମ୍ପା ଆଓ୍ବାଜକୁ ପଦାରେ ପକାଇବାକୁ ସମର୍ଥ।


ଲାଞ୍ଜିଗଡ ବ୍ଲକ ଲାଖବାହାଳି ପଞ୍ଚାୟତ ଅଧିନସ୍ତ ସରଗୁଡା ଗାଁର ଏକ କୁଟିଆ କନ୍ଧ ପରିବାର କରୁଣ ଚିତ୍ର ହିଁ ସରକାର ଓ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ଉପରେ ଆଙ୍ଗୁଳି ଦେଖାଉଛି। ସରଗୁଡା ଗାଁର ବିଧବା ବୃଦ୍ଧା ମହିଳା ରୁପାଦେଇ ମାଝୀ (୮୦)ଙ୍କ ପରିବାର ଅବହେଳିତ ଜୀବନ ନିର୍ବାହ କରୁଛନ୍ତି। ରୁପାଦେଇଙ୍କ ସ୍ବାମୀ ତ୍ରିନାଥ ମାଝୀ ଆଜକୁ ୧୨ ବର୍ଷ ତଳେ ମୃତ୍ୟୁ ବରଣ କରିଛନ୍ତି। ତେବେ ୮୦ ବର୍ଷ ବୟସ ଏବଂ ବିଧବା ହୋଇଥିବା ସତ୍ତ୍ଵେ ତାଙ୍କ ବାର୍ଦ୍ଧକ୍ୟ କିମ୍ବା ବିଧବା ଭତ୍ତା ମିଳିପାରିନାହିଁ। ବର୍ତ୍ତମାନ ରୁପାଦେଇ ବୟସାଧିକ୍ୟ କାରଣରୁ ବୁଲାଚଲା କି କାମ ଧନ୍ଦା ମଧ୍ୟ କରିପାରୁନାହାଁନ୍ତି।ଏହି ପରିବାରରେ ବର୍ତ୍ତମାନ ଛଅ ଜଣ ସଦସ୍ୟ ଅଛନ୍ତି। ହେଲେ ପୁଅକୁ ଛାଡିଦେଲେ କେହିଁ ବି ରୋଜଗାର କରିପାରନ୍ତି ନାହିଁ। ଗୋଟିଏ ଲୋକଙ୍କ ରୋଜଗାରରେ ପରିବାର ଚଳିବା ବହୁ କଷ୍ଟ ହେଉଛି। ବୃଦ୍ଧା ରୁପା ମାଝୀଙ୍କ ବୋହୁ ଲକ୍ଷ୍ମୀ ମାଝୀଙ୍କ ବ୍ୟତିତ କାହାକୁ ମଧ୍ୟ ମିଳୁନି ପଞ୍ଚାୟତ ପିଡ଼ିଏସ ଚାଉଳ। ଯାହା ଫଳରେ ଏହି ପରିବାର ଚଳିବା ପାଇଁ ବହୁତ କଷ୍ଟକର ହୋଇପଡିଛି।


ବିଧବା ଭତ୍ତା ଓ ପିଡ଼ିଏସ ଚାଉଳ ପାଇଁ ସରପଞ୍ଚ ଏବଂ ବ୍ଲକ ପ୍ରଶାସନଙ୍କୁ ବାରମ୍ବାର ଜଣାଇଲା ପରେ ମଧ୍ୟ ସେମାନେ କର୍ଣ୍ଣପାତ କରୁନଥିବା କୋହଭରା କଣ୍ଠରେ କହିଛନ୍ତି ରୁପାଦେଇ। ପଞ୍ଚାୟତ ତଥା ବ୍ଲକ ପ୍ରଶାସନର ଅବହେଳା ପାଇଁ ଏହି କୁଟିଆ କନ୍ଧ ପରିବାର ଭୋକ ଉପାସରେ ଛଟପଟ ହେଉଛନ୍ତି। ଏହି ନିରୀହ ଆଦିବାସୀଙ୍କ ନାଁରେ ସରକାର ବିଭିନ୍ନ ଯୋଜନା କରିଛନ୍ତି। କିନ୍ତୁ ଏହି ଯୋଜନା କାହାପାଇଁ, ଯାହା ଫଳରେ ଏହି ଆଦିବାସୀ ପରିବାର ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଛନ୍ତି ବୋଲି ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ. ଫକୀର ମୋହନ ମାଝୀଙ୍କୁ ପଚାରିବାରୁ ଆମେ ଆପଣଙ୍କ ମାଧ୍ୟମରେ ଜାଣିବାକୁ ପାଇଲୁ। ନିଶ୍ଚିତ ଭାବରେ ସମାଧାନ କରିବୁ, ଅତିଶୀଘ୍ର ସେହି ପରିବାରଙ୍କୁ ଭତ୍ତା ଓ ପିଡ଼ିଏସ ଚାଉଳ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟପକ୍ଷରେ ଏହି ଅସହାୟ ପରିବାରକୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦିଆଯାଉ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in