ଓଡିଶା-ଛତିଶଗଡ଼ ସୀମା ବିବାଦ: ସ୍ଥିତି ନିରିକ୍ଷଣ କଲେ କଳାହାଣ୍ଡି ସାଂସଦ


ନୂଆପଡା: ସଦର ବ୍ଲକ କେନ୍ଦୁବାହାରା ପଂଚାୟତ ଗୁରୁଜୀଭଟା ଗାଁ ନିକଟରେ ଥିବା ଓଡିଶା – ଛତିଶଗଡ଼ ସୀମାନ୍ତ ନଟେଇ ନାଳା ଅଂଚଳରେ ଅବାଧ ରୂପେ ପ୍ରାୟ ୨୦୦ମିଟର ଭିତରକୁ ପ୍ରବେଶ କରିଛି ଛତିଶଗଡ଼ ପ୍ରଶାସନ। ଗୁରୁଜୀଭଟା ଗାଁ ଲୋକେ କହିବା ଅନୁସାରେ କିଛି ବର୍ଷ ପୂର୍ବେ ଛତିଶଗଡ଼ ପ୍ରଶାସନ ଓଡିଶା ସୀମା ଭିତରକୁ ପସିଆସି ସୀମା ନିର୍ଧାରଣ କରିବା ପାଇଁ କେତେକ ସିମେଣ୍ଟର ଖୁଣ୍ଟ ତିଆରି କରିଥିଲା। ଗାଁ ଲୋକେ ସେହି ସମୟରେ ସଚେତନତା ଅଭାବ ଯୋଗୁ ଜିଲ୍ଲା ପ୍ରଶାସନକୁ ଜଣାଇ ନ ଥିଲେ।‌


ତେବେ ଗତ କିଛି ଦିନ ପୂର୍ବେ ଛତିଶଗଡ଼ର ବନ ବିଭାଗର କିଛି କର୍ମଚାରୀ ଓଡିଶାରେ ପ୍ରାୟ ୩ କିମି ପର୍ଯ୍ୟନ୍ତ ଖାଲ କରୁଥିବାର ଗାଁ ଲୋକେ ଦେଖି ପଚାରି ବୁଝିବାରୁ ସେମାନେ ଏଠି ସୀମାର ତାର ବାଡ଼ ଦେଇ ତାଙ୍କ ଅଂଚଳରେ ବୃକ୍ଷ ରୋପଣ କରିବେ ବୋଲି କହିଥିଲେ। ତେବେ ଗାଁ ଲୋକେ ସେମାନଙ୍କୁ ତୁରନ୍ତ ବିରୋଧ କରିଥିଲେ ଓ ପୂର୍ବ ନିର୍ଦ୍ଧାରିତ ସୀମା ଦେଖାଇ ଥିଲେ।ପରେ ଛତିଶଗଡ଼ କର୍ମଚାରୀ ସେଠାରୁ ଫେରି ଯାଇଥିଲେ।

ଗୁରୁଜୀଭଟା ସରପଞ୍ଚ ଗାଁ ଲୋକଙ୍କ ସହିତ ମିଶି ଏ ସମ୍ପର୍କରେ ଗଣ ମାଧ୍ୟମ ଓ ଜିଲ୍ଲା ପ୍ରଶାସନକୁ ଟେଲିଫୋନ ଯୋଗେ ଖବର ଦେବାରୁ ମଙ୍ଗଳବାର ପୂର୍ବାହ୍ନରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଏକ ସ୍ୱତନ୍ତ୍ର ଟିମ ସହିତ ଘଟଣା ସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରି ନୂଆପଡା ଜିଲ୍ଲପାଳଙ୍କୁ ସୂଚନା ଦେଇଥିଲେ।ତେବେ ସାଂସଦ ଶ୍ରୀଯୁକ୍ତ ପଣ୍ଡା ଏହି ସୀମା ବିବାଦ ଘଟଣାକୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଅପାରଗତା ବୋଲି ପ୍ରକାଶ କରିଛନ୍ତି। ନୂଆପଡା ବ୍ଲକ ଅଧକ୍ଷା ତାରେଶ୍ବରୀ ସାହୁ, ବିଜେପି ବରିଷ୍ଠ ନେତା ଧନିରାମ ସାହୁ, ସାରବଙ୍ଗ ସରପଞ୍ଚ ଭରତ ଲାଲ ରାଉତ, ସାରବଙ୍ଗ ସମିତି ସଭ୍ୟ ଟୁକେଶ୍ୱର ଯାଦବ, ବିଜେପି ଏସ.ସି. ସେଲ ଉପ ସଭାପତି ମନିଜର ଆର୍ଯ୍ୟ, ବିଜେପି ଜିଲ୍ଲା ସମ୍ପାଦକ କମଲେସ ଦୀକ୍ଷିତ, କେନ୍ଦୁବାହାରା ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

ସେହିଦିନ ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ତରଫରୁ ନୂଆପଡା ତହସିଲଦାର ଦେବେନ୍ଦ୍ର ରାଉତ ଘଟଣା ସ୍ଥଳରେ ଆସି ସରଜମିନ ତଦନ୍ତ କରିଥିଲେ। ଆର.ଆଇ., ଏ. ଆର.ଆଇ., ପଟୱାରୀ ଓ କିଛି କର୍ମଚାରୀ, ଗାଁ ଲୋକ ଏବଂ ଛତିଶଗଡ଼ ପ୍ରଶାସନ ତରଫରୁ ଆସି ଥିବା ବନରକ୍ଷୀ ସନ୍ନି ଠାକୁର ଓ ପଟୱାରୀ ରୋହିତ ଠାକୁରଙ୍କ ସହିତ ମିଶି ଶ୍ରୀ ରାଉତ ଗୋଟି ଗୋଟି କରି ଉଭୟ ଛତିଶଗଡ଼ ଓ ଓଡିଶାର ସୀମାନ୍ତ ଅଂଚଳରେ ଥିବା ସୀମା ଖୁଣ୍ଟ ଗୁଡିକୁ ମ୍ୟାପରେ ମ୍ୟାଚିଙ୍ଗ କରି ଦେଖି ଥିଲେ। ପ୍ରକୃତରେ ଛତିଶଗଡ଼ ପ୍ରଶାସନ ଓଡ଼ିଶା ଭିତରକୁ ପସି ଆସିବା ଜାଣି ପାରି ଶ୍ରୀ ରାଉତ ଛତିଶଗଡ଼ ପ୍ରଶାସନର ଉଭୟ କର୍ମଚାରୀଙ୍କୁ ବୁଝାଇ ତାଙ୍କର ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପାଇଁ କହିଥିଲେ ଏବଂ ସେ ନିଜେ ମଧ୍ୟ ଏକ ରିପୋର୍ଟ ପ୍ରସ୍ତୁତ କରି ନୂଆପଡା ଜିଲ୍ଲାପାଳଙ୍କୁ ଦେବେ ବୋଲି କହିଥିଲେ।

ଛତିଶଗଡ଼ କରିଥିବା ଗାତକୁ ତହସିଲଦାର ଶ୍ରୀ ରାଉତ ଗାଁ ଲୋକଙ୍କ ସହିତ ମିଶି ପୋତି ଦେଇଥିଲେ। ଜିଲ୍ଲା ପ୍ରଶାସନର ତୁରନ୍ତ ପଦକ୍ଷେପକୁ ଗାଁ ଲୋକେ ସ୍ୱାଗତ କରି ଖୁସି ପ୍ରକଟ କରୁଛନ୍ତି। ତେବେ ଉଭୟ ପକ୍ଷରୁ ଅଧିକାରୀ ଓ ଗାଁ ଲୋକେ ମିଶି ଏହି ବିବାଦର ସମାଧାନ କଲେ ଠିକ ହେବ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି।

ନୂଆପଡ଼ା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in