କୁଟିଆ କନ୍ଧ ପରିବାରକୁ ପିଡ଼ିଏସ୍ ଚାଉଳ ଓ ଭତ୍ତା ମିଳୁନଥିବା ଘଟଣା: ଗାଁକୁ ପହଞ୍ଚିଲେ ବ୍ଲକ ପ୍ରଶାସନ


ଓଡ଼ିଆ ବାର୍ତ୍ତା ପ୍ରଭାବ

ଲାଞ୍ଜିଗଡ: ଏହି ବ୍ଲକ ଲାଖବାହାଲି ପଞ୍ଚାୟତ ଅଧିନସ୍ଥ ସରଗୁଡା ଗାଁର ଏକ କୁଟିଆ କନ୍ଧ ପରିବାର ପିଡ଼ିଏପ ଚାଉଳ ପାଉନଥିବା ତଥା ଏହି ପରିବାରର ୮୦ ବର୍ଷ ବୟସ୍କ ମହିଳା ରୁପାଦେଇ ମାଝୀ ଭତ୍ତା ପାଉନଥିବା ଘଟଣା ମାର୍ଚ୍ଚ ୩ ତାରିଖ ଦିନ ଓଡ଼ିଆ ବାର୍ତ୍ତାରେ ପ୍ରକାଶ ପାଇଥିଲା। ଏହି ଖବର ପ୍ରକାଶ ପାଇବାପରେ ରାଜ୍ୟ ସରକାରଙ୍କ ଡିଣ୍ଡିମପିଟା ନିତି ଉପରକୁ ଆଙ୍ଗୁଳି ଉଠିଥିଲା। କଳାହାଣ୍ଡି ଜିଲ୍ଲାର ଆଦିବାସୀ ବହୁଳ ଲାଞ୍ଜିଗଡ଼ ବ୍ଲକରେ କୁଟିଆ କନ୍ଧଙ୍କ ଜିବନମାନରେ ଉନ୍ନତି ହୋଇପାରିନଥିବାରୁ ପ୍ରଶାସନର କାର୍ଯ୍ୟକଳାପ ଉପରେ ମଧ୍ୟ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ କୁଟିଆ କନ୍ଧଙ୍କ ଜୀବନମାନରେ ଉନ୍ନତି ଆଣିବା ପାଇଁ ‘କୁଟିଆ କନ୍ଧ ଉନ୍ନୟନ ସଂସ୍ଥା’ ମାଧ୍ୟମରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।

ତେବେ କାହିଁକି କୁଟିଆ କନ୍ଧଙ୍କ ଜୀବନମାନରେ ଉନ୍ନତି ଆସିପାରି ନାହିଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେବଳ ଏହି ପରିବାର ନୁହଁ ଅନେକ ଆଦିବାସୀ ପରିବାର ଲାଞ୍ଜିଗଡ଼ ବ୍ଲକରେ ଅବହେଳିତ ଜୀବନ ନିର୍ବାହ କରୁଥିବାରୁ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ଏବଂ ବ୍ଲକରେ ଆଡ୍ଡା ଜମାଇ ନିଜ ସ୍ୱାର୍ଥ କଥା ଚିନ୍ତା କରୁଥିବା ମାଳ ମାଳ ଏନଜିଓ କେଉଁ କାମକୁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି।


ଏକ ଦାଇତ୍ବ ସଂପନ୍ନ ଗଣମାଧ୍ୟମ ଭାବେ ଏହି କୁଟିଆ କନ୍ଧ ପରିବାରର ଅସହ୍ୟ ବେଦନାର ଗାଥା ଓଡ଼ିଆ ବାର୍ତ୍ତାରେ ପ୍ରକାଶ ପାଇଥିଲା। ଏହା ପରେ ଲାଞ୍ଜିଗଡ ବ୍ଲକ ପ୍ରଶାସନ ତତ୍ପରତା ପ୍ରକାଶ କରି ସରଗୁଡା ଗାଁରେ ପହଞ୍ଚିଥିଲା। ବ୍ଲକ ଅଧ୍ୟକ୍ଷ ଇଂ. ଫକୀର ମୋହନ ମାଝୀ, ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ସାମାଜିକ ସଂପ୍ରସାରଣ ଅଧିକାରୀ ସୁଜିତ କୁମାର ସାହୁ ପ୍ରମୁଖ ବୁଧବାର ଦିନ ସରଗୁଡା ଗ୍ରାମକୁ ଯାଇ ରୂପା ଦେଇ ମାଝୀଙ୍କ ପରିବାରଙ୍କୁ ସାକ୍ଷାତ କରି ଏକ ସପ୍ତାହ ମଧ୍ୟରେ ଭତ୍ତା ଓ ପିଡ଼ିଏସ୍ ଚାଉଳ ଦିଆଯିବ ବୋଲି ଆଶ୍ୱାସନା ଦେଇଥିଲେ।


ଏଠାରେ ସୂଚନାଯୋଗ୍ୟ ଯେ, ସରଗୁଡା ଗ୍ରାମର ସ୍ବର୍ଗତ ତ୍ରିନାଥ ମାଝୀଙ୍କ ମୃତ୍ୟୁ ହୋଇ ଆଜିକୁ ୧୨ ବର୍ଷ ବିତିଯାଇଥିଲା। କିନ୍ତୁ ତାଙ୍କ ସ୍ତ୍ରୀ ରୁପା ଦେଇ ମାଝୀ(୮୦)ଙ୍କୁ ଏପର୍ଯ୍ୟନ୍ତ ବିଧବା କିମ୍ବା ବାର୍ଦ୍ଧକ୍ୟ ଭତ୍ତା ମିଳୁନଥିଲା। ବର୍ତ୍ତମାନ ରୁପାଦେଇ ମାଝୀ ବୃଦ୍ଧା ବୟସରେ ବୁଲାଚଲା କି କାମ ଧନ୍ଦା ମଧ୍ୟ କରିପାରୁନଥିବା ବେଳେ ଖାଇବାକୁ ମୁଠାଏ ଭଲ ଭାବରେ ପାଉନଥିବା ଜଣାପଡିଛି। ଏହି ପରିବାରରେ ଛଅ ଜଣ ସଦସ୍ୟ ରହୁଛନ୍ତି କିନ୍ତୁ ରୁପାଦେଇଙ୍କ ପୁଅକୁ ଛାଡିଦେଲେ କେହିଁ ବି ରୋଜଗାର କରୁନ ଥିବା ବେଳେ ଗୋଟିଏ ଲୋକଙ୍କ ଆୟରେ ପରିବାର ଚଳିବା ବହୁ କଷ୍ଟ ହେଉଛି। ବୃଦ୍ଧା ରୁପା ମାଝୀଙ୍କ ବୋହୁ ଲକ୍ଷ୍ମୀ ମାଝୀଙ୍କ ବ୍ୟତିତ ଅନ୍ୟ କାହାକୁ ମଧ୍ୟ ସରକାରଙ୍କ ପ୍ରଦତ୍ତ ପିଡ଼ିଏସ୍ ଚାଉଳ ମିଳୁନାହିଁ।

ଯାହା ଫଳରେ ଏହି ପରିବାର ଚଳିବା ପାଇଁ ବହୁତ କଷ୍ଟକର ସୋଇପଡିଛି। ବିଧବା ଭତ୍ତା ଓ ପିଡ଼ିଏସ୍ ଚାଉଳ ପାଇଁ ସରପଞ୍ଚ ଏବଂ ବ୍ଲକ ପ୍ରଶାସନଙ୍କୁ ବାରମ୍ବାର ଜଣାଇଲା ପରେ ମଧ୍ୟ ସରପଞ୍ଚ କି ସରକାରୀ ବାବୁ ଶୁଣୁନଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ପଞ୍ଚାୟତ ତଥା ବ୍ଲକ ପ୍ରଶାସନର ଅବହେଳା ପାଇଁ ଏହି କୁଟିଆ କନ୍ଧ ପରିବାର ଭୋକ ଉପାସରେ ଉବୁଟୁବୁ ହେଉଛନ୍ତି ବୋଲି ଗ୍ରାମବାସୀମାନେ ପ୍ରକାଶ କରିଥିଲେ। ଏନେଇ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ. ଫକୀର ମୋହନ ମାଝୀଙ୍କୁ ଘଟଣା ସମ୍ପର୍କରେ ଜଣାଇ ଦିଆଯାଇଥିଲା। ଏହାପରେ ଖବର ପ୍ରକାଶ ପାଇବାଦିନ ହିଁ ଲାଞ୍ଜିଗଡ ବ୍ଲକ ପ୍ରଶାସନ ଏହି କୁଟିଆ କନ୍ଧ ପରିବାରକୁ ସାକ୍ଷାତ କରିବାସହ ସପ୍ତାହ ମଧ୍ୟରେ ଭତ୍ତା ଓ ପିଡ଼ିଏସ ଚାଉଳ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in