ଗାଁରେ ମୂଳରୁ ନଳକୂପ ନାହିଁ, ଦୂଷିତ ପାଣି ପିଉଛନ୍ତି କୁଟିଆ କନ୍ଧ


ଆଦିବାସୀଙ୍କ ବିକାଶ ପାଇଁ ପାଣିପରି ବୋହି ଚାଲିଛି ଅନୁଦାନ, ଏପଟେ ପାଣି ମୁନ୍ଦିଏ ପାଇଁ ଡହକ ବିକଳ ଭିତରଧଡେଲ ଗ୍ରାମବାସୀ

ଲାଞ୍ଜିଗଡ: ବିକାଶ ଏଠି କାଗଜ କଳମରେ ଚାଲିଛି। ଆଦିବାସୀଙ୍କ ନାଁରେ ଆସୁଥିବା ଟଙ୍କା ହରିଲୁଟ ହେଉଛି ତେଣୁ କୁଟିଆ କନ୍ଧଙ୍କ ଜୀବନମାନ ଯେଉଁ ତିମିରକୁ ସେହି ତିମିରେ ରହିଯାଇଛି। କଳାହାଣ୍ଡି ଜିଲ୍ଲାର ଉପାନ୍ତ ଅଞ୍ଚଳ ଲାଞ୍ଜିଗଡ଼ ବ୍ଲକରେ ଆଦିବାସୀଙ୍କ ଉନ୍ନତି ନାଁରେ କୋଟି କୋଟି ଟଙ୍କା ପାଣିପରି ବୋହି ଚାଲିଛି, କିନ୍ତୁ ବିଶୁଦ୍ଧ ପାନୀୟ ଜଳ ଟୋପାଏ ପାଇଁ ଡହକ ବିକଳ ହେଉଛନ୍ତି ଅନେକ ଗ୍ରାମବାସୀ। ଏଠି ବହୁରାଷ୍ଟ୍ରିୟ କମ୍ପାନୀ ବେଦାନ୍ତ, କୁଟିଆ କନ୍ଧ ଉନ୍ନୟନ ସଂସ୍ଥା (କେକେଡିଏ), ମାଳ ମାଳ ଏନଜିଓ ଥିବାସତ୍ତ୍ବେ କିପରି ଆଦିବାସୀଙ୍କୁ ବିଶୁଦ୍ଧ ପାଣି ଟୋପାଏ ମିଳିପାରୁନାହିଁ ତାହା ସମସ୍ତଙ୍କୁ ବିସ୍ମିତ କରୁଛି।


ଲାଞ୍ଜିଗଡ ବ୍ଲକ ବେନଗାଁ ପଞ୍ଚାୟତ ଠାରୁ ୭ କିମି ଦୂରରେ ରହିଛି ଭିତରଧଡେଲ ଗାଁ। ଏଠାରେ କେଉଁ ଏକ ଆବାହମାନ କାଳରୁ ବାସ କରି ଆସୁଛନ୍ତି କୁଟିଆ କନ୍ଧ ପରିବାର। ଯୁଗ ବଦଳି ଚାଲିଛି, ଅନ୍ୟାନ୍ୟ ଅଞ୍ଚଳରେ ଆଦିବାସୀଙ୍କ ଜୀବନଚର୍ଯ୍ୟା ମଧ୍ୟ ବଦଳିଚାଲିଛି କିନ୍ତୁ ଆଜି ବି ବଦଳି ପାରିନାହିଁ ଭିତରଧଡେଲର କୁଟିଆ କନ୍ଧଙ୍କ ଭାଗ୍ୟ। ବିକାଶ ଏଠାରେ ଅନ୍ଧ ଅର୍ଗଳିରେ ବନ୍ଧା ପଡ଼ିଛି। ଗାଁରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳ, ଜୀବନଜୀବିକା, କୃଷି, ପଶୁପାଳନ ଆଦି ବହୁବିଧ ସମସ୍ୟା ଲାଗିହିଥିବାବେଳେ ଉତ୍କଟ ହୋଇଛି ପାନୀୟ ଜଳ ସମସ୍ୟା।


ଭିତରଧଡେଲରେ ମୂଳରୁ ନଳକୂପ ନଥିବା ଯୋଗୁଁ ବର୍ଷ ବର୍ଷ ଧରି ଝରଣା ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରିଥାନ୍ତି ଗ୍ରାମବାସୀ।ଖରାଦିନେ ଝରଣା ପାଣି ଶୁଖିଯିବା ଫଳରେ ଏମାନେ ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହୋଇଥାନ୍ତି। ଏହି ଗ୍ରାମରେ ପ୍ରାୟ ତିରିଶ ଘର କୁଟିଆ କନ୍ଧ ପରିବାର ଦୀର୍ଘ ବର୍ଷ ଧରି ବସ ବାସ କରୁଛନ୍ତି। ହେଲେ ଏହି ଗାଁରେ ମୂଳରୁ ନଳକୂପ ନଥିବା ଯୋଗୁଁ ଏକ କିଲୋମିଟର ଦୂର ଘାଟି ରାସ୍ତା ଦେଇ ‘ଟିଟି ଝରଣା’ର ପାଣିକୁ ପାନୀୟ ଜଳ ଭାବେ ସେମାନେ ବ୍ୟବହାର କରୁଛନ୍ତି। ବର୍ଷା ଦିନରେ ପାଣି ଗୋଳିଆ ଓ ଖରା ଦିନରେ ଟିଟି ଝରଣା ପାଣି ସୁଖି ଯାଉଥିବାରୁ ନାହିଁ ନଥିବା ଅସୁବିଧା ଭୋଗିବାକୁ ପଡୁଛି ବୋଲି ପ୍ରକାଶ କରିଛନ୍ତି ଗ୍ରାମବାସୀ। ଏନେଇ ବାରମ୍ବାର ସରପଞ୍ଚ ଓ ବ୍ଲକ ପ୍ରଶାସନକୁ ଜଣାଇ ଥିଲେ ମଧ୍ୟ କେହିବି ସେମାନଙ୍କ ସମସ୍ୟା ପ୍ରତି ଧ୍ୟାନ ଦେଉନଥିବା ଗାଁ ଲୋକେ କହିଛନ୍ତି।


ଏହି ଝରଣା ପାଣିରେ ବିଭିନ୍ନ ବନ୍ୟ ଯନ୍ତୁ ଓ ଗୃହ ପାଳିତ ପ୍ରାଣୀ ଚଳ ପ୍ରଚଳ କରୁଥିବାବେଳେ ସେହି ଝରଣାର ଦୂଷିତ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରି ଅନେକ ରୋଗରେ ଆକ୍ରାନ୍ତ ହେଉଛୁ ବୋଲି ପ୍ରକାଶ କରିଛନ୍ତି ଗ୍ରାମବାସୀ। କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ଏବଂ ଅନେକ ଏନଜିଓ ଲାଞ୍ଜିଗଡ ବ୍ଲକରେ କାର୍ଯ୍ୟ କରୁଛନ୍ତି, ଆମ ନାଁରେ ଆସୁଥିବା ଟଙ୍କା ହରିଲୁଟ କରି ଖାଉଛନ୍ତି କିନ୍ତୁ ଆମର କଥା ବୁଝୁ ନାହାନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଭିତରଧଡେଲ ଗ୍ରାମ ହିଁ ସୂଚିତ କରୁଛି ଯେ, କୁଟିଆ କନ୍ଧଙ୍କ ଉନ୍ନତି ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଚାଲି ଥିବା ବିଭିନ୍ନ ଯୋଜନା କିଛି କାମକୁ ନୁହଁ। ଆଦିବାସୀଙ୍କ ବିକାଶ ନାଁରେ ଆସୁଥିବା ଟଙ୍କା ହରି ଲୁଟ ହେଉଛି କିନ୍ତୁ ଏହି ଆଦିବାସୀ ଗାଁ ପାଇଁ କାହାର ଦରଦ ନାହିଁ। ତେଣୁକରି ଭିତରଧଡେଲ ସମେତ ଲାଞ୍ଜିଗଡ଼ ବ୍ଲକର ଆଦିବାସୀ ଗାଁମାନଙ୍କ ସମସ୍ୟା ପ୍ରତି କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଜନପ୍ରତିନିଧି ମାନେ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in