ପ୍ରଖ୍ୟାତ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ପରଲୋକ

‘ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର’ ଗୀତର କାଳଜୟୀ ଗାୟକ ଚିତ୍ତ ଜେନାଙ୍କର ଆଜି ପ୍ରତ୍ୟୁଷରେ କଟକଠାରେ ପରଲୋକ ଘଟିଛି। କିଛି ଦିନ ତଳେ ତାଙ୍କ ମସ୍କିଷ୍କରେ ପ୍ରବଳ ରକ୍ତସ୍ରାବ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଚିତ୍ତ ଜେନା ୧୯୪୧ ମସିହା ଡିସେମ୍ବର ୨୪ ଦିନ କଟକ ଜିଲ୍ଲା ପୋପରଡା ଗ୍ରାମର ଏକ ସଙ୍ଗୀତମୟ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପିତା ଯଦୁମଣି ଜେନା ଓ ମାତା ହେମଲତା ଜେନା ଉଭୟ ସଙ୍ଗୀତପ୍ରେମୀ ଥିଲେ । ସ୍କୁଲ କଲେଜରେ ପଢିଲା ବେଳକୁ ସେ ଗୀତ ଗାଉଥିଲେ । ସେତେବେଳେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ନିର୍ଦ୍ଦେଶରେ ଯୁବ ମହୋତ୍ସବର ଆୟୋଜନ କରାଯାଉଥିଲା । ଏହି ଯୁବ ମହୋତ୍ସବରେ ଚିତ୍ତ ଜେନା ସମଗ୍ର ଓଡ଼ିଶାରେ ପ୍ରଥମ ସ୍ଥାନ ଲାଭ କରିଥିଲେ । ଆଗରୁ କୌଣସି ବିଧିବଦ୍ଧ ସଙ୍ଗୀତ ଶିକ୍ଷାଲାଭ କରିନଥିବା ଚିତ୍ତଙ୍କୁ, ପଣ୍ଡିତ ଭୁବନେଶ୍ଵର ମିଶ୍ର ସଙ୍ଗୀତ ଶିକ୍ଷାଦେବାକୁ ଆଗ୍ରହ ପ୍ରକାଶ କରିଥିଲେ । କାଳକ୍ରମେ, ସେ ଆକାଶବାଣୀର ଜଣେ ସ୍ଵୀକୃତିପ୍ରାପ୍ତ କଳାକାରର ମର୍ଯ୍ୟଦା ଲାଭକରିଥିଲେ । ୧୯୬୮ରେ ନିର୍ମିତ ଚଳଚ୍ଚିତ୍ର ମନ ଆକାଶରେ ଉପେନ୍ଦ୍ର କୁମାର ତାଙ୍କୁ ପ୍ରଥମେ ଗୀତ ଗାଇବାକୁ ସୁଯୋଗ ଦେଇଥିଲେ । ଏହି ଚଳଚ୍ଚିତ୍ରର ଗୀତ “ଏ ବନ ଝରଣା ନାଚି ନାଚି ଯାଅନା”, ପ୍ରଶାନ୍ତ ନନ୍ଦଙ୍କ ପାଇଁ ଗାଇ ସେ ଲୋକପ୍ରିୟ ହୋଇ ପାରିଥିଲେ । ଏହି ଗୀତଦ୍ଵାରା ତାଙ୍କ ପ୍ରଚ୍ଛଦପଟ୍ଟ ଗାୟକ ଜୀବନର ମୂଳଦୁଆ ପଡିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.