ଆଜି ଆନ୍ତର୍ଜାତୀୟ ମହିଳା ଦିବସ । ନାରୀଙ୍କୁ ସମ୍ମାନ ସହିତ ନାରୀଙ୍କ ପ୍ରତି ସମଭାବାପନ୍ନ ହେବା ହିଁ ପୁରୁଷର ପରମ ଓ ଚରମ ଧର୍ମ । ଆଜିର ନାରୀ ବିଭିନ୍ନ ଦିଗରେ ନିଜକୁ ପ୍ରତିଷ୍ଠିତ କରିପାରୁଛି ନିଜର ଭିନ୍ନ ଭିନ୍ନ ପ୍ରତିଭା ବଳରେ । ତେବେ ଏଇମିତି ଜଣେ ନୀରବ ସାରସ୍ୱତ ସାଧିକାଙ୍କୁ ଆଜି ଆମେ ଆପଣମାନଙ୍କ ସାମ୍ନାକୁ ଆଣି ଆଜିର ଦିବସରସଯଥାର୍ଥତା ସହିତ ସାରସ୍ୱତ ସାଧିକାଙ୍କୁ ଦଉଛୁ ସମ୍ମାନ ।
ରଶ୍ମି ରଂଜିତା ସିଂହ, ଯିଏ ଜଣେ ନୀରବ ସାରସ୍ୱତ ସାଧିକା । ଛାତ୍ର ଜୀବନରୁ ପ୍ରଥମେ କବିତାରୁ ନିଜର ଲେଖାଲେଖି ଆରମ୍ଭ କରି ପରେ ପରେ ଗଳ୍ପ ଲେଖାଦିଗରେ ମଧ୍ୟ ନିଜକୁ ହଜେଇଦେଇଥିଲେ । ତାଙ୍କରି ଲେଖା ଯେ, କୌଣସି ପତ୍ରପତ୍ରିକାରେ ପ୍ରକାଶିତ ହେଇନି ସେକଥା ନୁହେଁ । ଲେଖାଲେଖି ଆରମ୍ଭ କରିବା ସମୟରେ, ପ୍ରାୟ ଦୁଇହଜାର ମସିହା ବେଳକୁ ତାଙ୍କରି କିଛି କବିତା ଓ ଗଳ୍ପ ସମୟ ସାପ୍ତାହିକୀ, ସମୟ, ପ୍ରଗତିବାଦୀ, ଅର୍ଜି,ଯୁଗଯାତ୍ରୀ ଭଳି ସାହିତ୍ୟ ପତ୍ରିକାରେ ପ୍ରକାଶ ପାଇଥିଲା । ପରେ ପରେ ସେ କିନ୍ତୁ କେବଳ ଲେଖିବା ଦିଗରେ ହିଁ ମନୋନିବେଶ କଲେ । ସଂପ୍ରତି ସମ୍ବଲପୁର ଜିଲ୍ଲା ଅଇଁଠାପାଲିରେ ନିଜ ପରିବାର ସହିତ ରହୁଥିବା ରଶ୍ମି ରଂଜିତାଙ୍କ କବିତା ଗୁଡ଼ିକ ସମସାମୟିକ ଜୀବନବୋଧ, ସମାଜର ବିଧିବ୍ୟବସ୍ଥା ଉପରେ ବେଶ ରୋଚକ ହେଇଥାଏ । ଗଳ୍ପ ଗଠନରେ ମଧ୍ୟ ସେ ନିପୂଣା । ସମାଜରୁ ଚରିତ୍ରମାନଙ୍କୁ ଗୋଟେଇ ଆଣି ଅତି ସୁନ୍ଦର ଓ ନିଖୁଣ ଭାବରେ ନିଜ ଗଳ୍ପ ସମୂହରେ ଥୋଇଦେଇ ପାରନ୍ତି, ଯାହାକି ଜଣେ ପାଠକଙ୍କୁ ଗଳ୍ପର ଶେଷ ପର୍ଯ୍ୟନ୍ତ ବାନ୍ଧିରଖିପାରେ । ତେବେ ସେଇ ଭଳି ଜଣେ ଅନାଲୋଚିତ ପ୍ରତିଭାଙ୍କୁ ଆଜି ଆମେ ଆପଣମାନଙ୍କ ସାମ୍ନାକୁ ଆଣିବାର ପ୍ରଯତ୍ନ ପୂର୍ବକ ନାରୀ ଓ ସାହିତ୍ୟର ଜୟଜୟକାର କରୁଛୁ । ଆଜିର ସମାଜରେ ନାରୀ ପ୍ରତି ପୁରୁଷର ଲୋଲୁପ ଦୃଷ୍ଟିକୁ ମର୍ମେ ମର୍ମେ ଅନୁଭବ କରି ସେ ତା’ରି ଭିତରେ ନିଜର କୋହକୁ ବାଢି ଦେଉଛନ୍ତି । ଆସନ୍ତୁ ପଢିବା ତାଙ୍କରି ଏକ କବିତା:
କୋହ
✒️ରଶ୍ମି ରଞ୍ଜିତା ସିଂହ
ଅଣାୟତ୍ତରେ ଅଗ୍ରସର
ସେଇ ମାଁ କୋଳର ଅସହ୍ୟ ବେଦନା
ବୁକୁଥରା ଯନ୍ତ୍ରଣା,ଅଥୟ ନୀତି
ଅତ୍ୟାଚାର ଲଙ୍ଘଇ ସୀମା ବାରମ୍ବାର।
ଆଉ କେତେ ଦିନ ବୋହିବି ବକ୍ଷରେ
ଲମ୍ପଟ, ଦାନବ, ପାଶବିକ ପାପ ଭାର
ସୀମାହୀନ ସବୁ ଗର୍ବ, ଗୌରବ
ତୁଚ୍ଛାପୋଡ଼ା ଅଙ୍ଗାର
ଦେଖୁଛ ତ ନୀତିଦିନ
ଲୋମ ହର୍ଷଣ ଦୃଶ୍ୟ
ଖବରକାଗଜ ପୃଷ୍ଠାରେ
ଛାତିଚିରା ହତ୍ୟା, ବାରମ୍ବାର ଗଣଧର୍ଷଣ
ଆରପଟେ ମହାସମାରୋହ
ଶୋଭାଯାତ୍ରା ପ୍ଲାକାର୍ଡ଼ ସହ
ଓଃ କେତେ ପ୍ରହସନ, କେତେ ଚର୍ଚ୍ଚା
ମହିଳା ସଶକ୍ତିକରଣ,ମାଁକୁ ସମ୍ମାନ
ପୁରୁଷ-ମହିଳା ଉଭୟ ସମାନ।।
ଛି ଛି କାପୁରୁଷ କେବେ ତ ନିଜକୁ ଧିକ୍କାର !
ଯେବେ ଧୂ ଧୂ ଖରାବେଳଟାରେ
ତିନିବର୍ଷର ଶିଶୁକୁ କର ବଳତ୍କାର ।।
ବେଶ୍ ଭଲଥିଲା କନ୍ୟାଭୃଣ ହତ୍ୟା
ତ୍ରାହି ତ ମିଳି ଇ ଥାନ୍ତା
ଲୀନ ହେଇଯାଇଥାନ୍ତା
ସବୁଯନ୍ତ୍ରଣା ମୁଣ୍ଡେଇବା ଆଗରୁ
କି ଲାଭ ରୋକି ଏ ନିୟମ??
ଖାଲି ଦାଣ୍ଡରେ ପଡ଼ି ହାଟରେ ଗଡ଼ିବା ସାର
ଅଲାଜୁକ କାପୁରୁଷ !
ଭାରୀ ଖଟି କରୁଥିଲ ତ
ପାନ ଦୋକାନୀର ଫଟା ବେଂଚରେ ବସି
ଆଙ୍ଗୁଳି ଆଉ ଆଖି ଉଠଉଥିଲ
ସ୍କୁଲ,କଲେଜ ଫେରନ୍ତା ଝିଅଙ୍କୁ ଦେଖି
କଟାକ୍ଷ ବି କରୁଥିଲ
କହୁଥିଲ, ଭାରୀ ଖରାପ ଝିଅଗୁଡ଼ା
ପୋଷାକ ପରିଧାନ, ହୀନସ୍ତା ଶିକାର, ବର୍ବରତା
ଖୁବ ହସୁଥିଲ ଓଠ ନେଫେଡ଼େଇ ଖି ଖି ହେଇ
ଏବେ କୁହ, କୋଉ ଆଧୁନିକତାର ଛାପ ଥିଲା
ତିନିବର୍ଷର କଅଁଳିଆ ଛୁଆ ଦେହରେ
ନା ଥିଲା ସେ ପ୍ରତିଦ୍ୱନ୍ଦୀ ଅର୍ଦ୍ଧନଗ୍ନ
ଋାମ୍ପ ସୋର କୋଉ ମଂଚରେ ?
ଖିନ୍ ଭିନ୍ କରି ଚିରିଦେଲ
ଫୁଙ୍ଗୁଳା ଦେହଟା ରଡ଼ି ରଡ଼ି ଆର୍ତ୍ତ ଚିତ୍କାରରେ ।
ଲେଉଟିଲାନି ତା ରାହା
ଚିହ୍ନି ହିଁ ନଥିଲା ନିଜକୁ ନିଜେ
କହିବ କାହା ନାଁ ମାଁକୁ
ନା ଅଛି ପ୍ରମାଣ..?
ଏଇ ତ ବୁଲୁଛନ୍ତି ଖୋଲାବଜାରରେ
ଅଇଁଠାପତ୍ର ଚଟା କୁକୁର ପରି
ପକେଟରେ ହାତ ପୁରେଇ
ଟାର୍ଗେଟ ପୁଣି ଆଉ କୋଉ ପରୀକୁ
କାଳ ବେଳ ଉଣ୍ଡି .. … ..
ଅଇଁଠାପାଲି, ସମ୍ବଲପୁର
ଆଜିର ଏଇ ପବିତ୍ର ଦିବସ ଅବସରରେ ଏତିକି କୁହାଯାଇପାରେ, ସାହିତ୍ୟ କେବେ କୋଉ ଭିତରେ ଲୁଚି ରହିପାରେନି । ସାଧନା ନୀରବ ହେଇପାରେ, କିନ୍ତୁ ସେ ଦିନେ ନା ଦିନେ ଲୋକଙ୍କ ପାଖକୁ ଆସିବ । ଆଶା କରିବୁ ଏହି ସାରସ୍ୱତ ସାଧିକା ନିଜର ସମସ୍ତ ସୃଷ୍ଟିକୁ ଲୋକଲୋଚନକୁ ଆଣି ସାହିତ୍ୟର ବାଣୀଭଣ୍ଡାରକୁ ରୁଦ୍ଧିମନ୍ତ କରିବେ ।