ୱାଲଟିୟର ରେଳ ଡିଭିଜନ ଡିଆରଏମଙ୍କ ରାୟଗଡ ଗସ୍ତ

ଷ୍ଟେସନରେ ସୁରକ୍ଷା ଓ ଯାତ୍ରୀଙ୍କ ସୁବିଧା ସହ ଆନୁଷାଙ୍ଗିକ ବ୍ୟବସ୍ଥାର କଲେ ଅନୁଧ୍ୟାନ

ରାୟଗଡ, (ଶିବ ନାରାୟଣ ଗୈାଡ): ପୂର୍ବତଟ ରେଳବାଇ ୱାଲଟିୟର ଡିିଭିଜନର ଡିଆରଏମ ଚୈତନ୍ୟ ଶ୍ରୀବାସ୍ତବ ଆଜି ରୁଟିନ୍ କାର୍ଯ୍ୟକ୍ରମ ଅନୁଯାୟୀ ରାୟଗଡ ଗସ୍ତ କରିଛନ୍ତି । ଶୁକ୍ରବାର ସକାଳ ୯ଟା ସମୟରେ ସ୍ୱତନ୍ତ୍ର ଟ୍ରେନ ଯୋଗେ ବିଶାଖାପାଟଣମରୁ ରାୟଗଡକୁ ଆସିଥିଲେ । ରାୟଗଡ ରେଳ ଷ୍ଟେସନ ସମ୍ମୁଖରେ ବିଭାଗ ଦ୍ୱାରା ସ୍ଥାପନା କରାଯାଇଥିବା ଶହେ ଫୁଟ ଉଚ୍ଚରେ ଜାତୀୟ ପତକାକୁ ଉତ୍ତୋଳନ କରି ଏହାର ଶୁଭ ଉଦଘାଟନ କରିଥିଲେ ।


ଗତବର୍ଷ କୋଭିଡ ଯୋଗୁଁ ଡିଆରଏମଙ୍କ ରୁଟିନ୍ ଗସ୍ତ ବନ୍ଦ ରହିଥିବା ବେଳେ ଦୀର୍ଘ ଦିନର ବ୍ୟବଧାନ ପରେ ଏହି ଗସ୍ତ କରିଛନ୍ତି ବୋଲି ଶ୍ରୀ ବାସ୍ତବ ପ୍ରକାଶ କରିଥିଲେ । ସେହିପରି ରାୟଗଡ ରେଳ ଡିଭିଜନ ନିମନ୍ତେ କରାଯାଉଥିବା ନୂତନ ରେଳ ଷ୍ଟେସନ ଗୃହର ନିର୍ମାଣ କାର୍ଯ୍ୟ ସହ ରେଳ ଷ୍ଟେସନ ପରିସରରେ ସଫାସୁତୁରା, ସୁରକ୍ଷା ବ୍ୟବସ୍ଥା, ଯାତ୍ରୀମାନଙ୍କ ନିମନ୍ତେ ରହିଥିବା ସୁବିଧାଗୁଡିକ ଅନୁଧ୍ୟାନ କରିଥିଲେ । ସେହିପରି ବିଭାଗୀୟ ଅଧିକାରୀ ଓ ଡିଭିଜନ ମୁଖ୍ୟଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।


ବିଶାଖାପାଟଣମରୁ ବାହାରି ଡିଆରଏମ ବୋବିଲି, ପାର୍ବତୀପୁରମ, ରାୟଗଡ ପରେ କୋରାପୁଟ ମଧ୍ୟରେ ରହିଥିବା ସମସ୍ତ ଷ୍ଟେସନଗୁଡିକକୁ ପରିଦର୍ଶନ କରିଥିଲେ । ବର୍ତ୍ତମାନ କରୋନା କିଛି ମାତ୍ରାରେ ନିୟନ୍ତ୍ରଣକୁ ଆସିବା ପରେ ବନ୍ଦ ରହିଥିବା କାର୍ଯ୍ୟଗୁଡିକ ପୁର୍ନବାର କାର୍ଯ୍ୟକ୍ଷମ ହେଉଥିବା ବେଳେ ଆସନ୍ତା ଏପ୍ରିଲ ମାସ ଠାରୁ ଆହୁରି ଅନେକ ଟ୍ରେନଗୁଡିକର ଚଳାଚଳ ବୃଦ୍ଧି ପାଇବ ତେଣୁ ସମସ୍ତ ବିଷୟଗୁଡିକକୁ ଗୁରୁତ୍ୱ ଦେଇ କଣ ଆବଶ୍ୟକ ରହିଛି ତାହାର ଅନୁଧ୍ୟାନ ପାଇଁ ଏହି ରୁଟିନ୍ ଗସ୍ତ କରିଛନ୍ତି ବୋଲି ପ୍ରକାଶ କରିବା ସହ କରୋନା ଯୋଗୁଁ ରେଳବାଇ ବହୁତ ରାଜସ୍ୱ ହରାଇଥିବାରୁ ଚଳିତ ରେଳ ବଜେଟ୍‌ରେ ରାୟଗଡ ରେଳ ଡିଭିଜନ ନିର୍ମାଣରେ କମ ଅନୁଦାନ୍ ଅର୍ଥ ବ୍ୟୟବରାଦ ହୋଇଥିବା ବେଳେ ପୂର୍ବବସ୍ଥାକୁ ଫେରିଲେ ଏହି ଅନୁଦାନ ରାଶି ବୃଦ୍ଧି ପାଇବା ସହ କାର୍ଯ୍ୟ ମଧ୍ୟ ତ୍ୱାରାନ୍ନିତ ହେବ ଏବଂ ଜଗଦଲପୁର-ଭୁବନେଶ୍ୱର-ଜୁନାଗଡ ହୀରାଖଣ୍ଡ ଲିଙ୍କ ଏକ୍ସପ୍ରେସ ଯଥାଶୀଘ୍ର ଭାୟା ରାୟଗଡ ଦେଇ ଚଳାଚଳ କରିବ ବୋଲି ଡିଆରଏମ ଶ୍ରୀ ବାସ୍ତବ ପ୍ରକାଶ କରିଥିଲେ । ଡିଆରଏମଙ୍କ ଏହି ଗସ୍ତ ବେଳେ ଡିଇଏନ ପ୍ରଦୀପ ଯାଦବ, ସିନିୟର ଡିସିଏମ ଏ.କେ. ତ୍ରିପାଠୀ ଏବଂ ଡିଓଏମ କିଶୋର କୁମାରଙ୍କ ସହ ରାୟଗଡ ରେଳ ଷ୍ଟେସନ ମାଷ୍ଟର ସୁରେଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.