ନାହିଁ ନାହିଁର ଗାଁ ମହିନାଲ୍ ତା’ର ନାଁ (Visual News)

ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର, ରାସ୍ତା କିମ୍ବା ନଳକୂପ ନାହିଁ : ନାଳ ପାଣି ପିଉଛନ୍ତି ଆଦିବାସୀ

କଳାହାଣ୍ଡି,୩/୨: ରାଜ୍ୟ ସରକାର ବିକାଶର ଡିଣ୍ଡିମ ପିଟୁଥିବା ବେଳେ ଆଜିବି ଲାଞ୍ଜିଗଡର ଅନେକ ଉପାନ୍ତ ଅଞ୍ଚଳ ସମସ୍ୟାର ଚାରି ଛକରେ ବନ୍ଧା ପଡିଛି । ଲାଞ୍ଜିଗଡ ବ୍ଲକ ଭୂର୍ଟିଗଡ ପଞ୍ଚାୟତ ଅଧିନସ୍ଥ ମହିନାଲ ଓ ତେତେଲପଡା ଗ୍ରାମ ବାସୀଙ୍କ ପାଇଁ ମୌଲିକ ସୁବିଧା ମଧ୍ୟ ଅପହଞ୍ଚ ହୋଇ ରହିଛି । ୨୫ଟି ଆଦିବାସୀ ପରିବାର ରହୁଥିବା ଏହି ଗାଁକୁ ରାସ୍ତା ନାହିଁ, ବିଦ୍ୟାଳୟ କିମ୍ବା ଅଙ୍ଗନ ୱାଡି କେନ୍ଦ୍ର ନାହିଁ । ସବୁଠାରୁ ପରିତାପର ବିଷୟ ତେତଲପଡାରେ ନଳକୂପ ଟିଏ ମଧ୍ୟ ନାହିଁ, ଯାହାଫଳରେ ଲୋକେ ବାଦ୍ଧ୍ୟ ହୋଇ ନାଳ ପାଣି ପିଇ ଆସୁଛନ୍ତି ।

ଯେଉଁଠି ପିଇବାପାଇଁ ପାଣି ମୁନ୍ଦିଏର ସୁବିଧା ନାହିଁ ସେଠାରେ ସ୍ବାସ୍ଥ୍ୟ କଥା ପଚାରେ କିଏ । ଗାଁର ଶିଶୁ ମାନେ ଅପପୁଷ୍ଟିର ଶିକାର ହେଉଥିବା ବେଳେ ଗ୍ରାମବାସୀ ମାନେ ଅନେକ ସମୟରେ ରୋଗ ବଇରାଗରେ ପଡିଥାନ୍ତି । ଆଖପାଖରେ  ଡାକ୍ତରଖାନା ଟିଏ ନାହିଁ । ଏଠାରୁ ବିଶ୍ବନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ୩୦ କିମି । ରାସ୍ତା ନଥିବାରୁ ଗାଁକୁ ଜନନୀ ସୁରକ୍ଷା ଗାଡି ଆସିପାରେ ନାହିଁ । ଅସୁରକ୍ଷିତ ଭାବେ ଏଠାରେ ଜଣେ ମା’ ସନ୍ତାନ ପ୍ରଶବ କରେ ।

ସେହି ଶିଶୁ ଯେତେବେଳେ ଶୈଶବରେ ଥାଏ ସେତେବେଳେ ତାପାଇଁ ଅଙ୍ଗନୱାଡି କେନ୍ଦ୍ରରେ ପଢିବା ଦୂରର କଥା ସରକାର ଶିଶୁ ମାନଙ୍କ ପାଇଁ ଯୋଗେଇ ଦେଉଥିବା କୌଣସି ପ୍ରକାର ସହାୟତା କିମ୍ବା ପୁଷ୍ଟିକର ଖାଦ୍ୟ ପାଇନଥାଏ । ସେହି ଶିଶୁ ଯେତେବେଳେ ୬ ବର୍ଷର ହୋଇଯାଏ ସେତେବେଳେ ତା’ର ପିତା ମାତା ପଢେଇବାକୁ ଚାହାନ୍ତି କିନ୍ତୁ ଗାଁ କିମ୍ବା ଆଖପାଖ ୫ କିମି ଦୂରରେ ବିଦ୍ୟାଳୟଟିଏ ନାହିଁ ତ ସେ ଶିଶୁ ପଢିବ କେଉଁଠି । ସେହି ଶିଶୁ ବଡ ହେଲେ ତା ପାଇଁ ରୋଜଗାର ନଥାଏ, ବାଦ୍ଧ୍ୟ ହୋଇ ସେ ଦାଦନ ଖଟିବାକୁ ପରଦେଶୀ ହୁଏ । ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଏଠାରେ ପହଞ୍ଚିପାରେ ନାହିଁ ଦାରିଦ୍ର୍ୟର କଷା ଘାତରେ ଜର୍ଜରିତ ହୁଅନ୍ତି ଏଠାକାର ଅଧିବାସୀ । ବଣ ପାହାଡ ଘେରା ଅଞ୍ଚଳ ହେତୁ ଏଠାରେ ଭଲ ଚାଷ ହୁଏନାହିଁ । ନାଁକୁ ମାତ୍ର ଜମିଥାଏ କିନ୍ତୁ ସେଠାରେ ଫସଲ ନଥାଏ, ଯାହାବି ହୁଏ ହିସାବ କିତାବରେ ନିଅଣ୍ଟ । ସରକାରଙ୍କ ତରଫରୁ ଗାଁର କେତେକ ଲୋକଙ୍କ ନାଁରେ ଇନ୍ଦିରା ଆବାସ ଯୋଜନା ଆସିଛି କିନ୍ତୁ ଏହା ସଂପୃକ୍ତ ହିତାଧିକାରୀ ନକରି ଠିକାଦାର ମାଧ୍ୟମରେ ହୋଇଥାଏ ।  ଆବାସ ଯୋଜନା ଗୃହର ବାହାର ପଟ ପଲସ୍ତର ହୁଏ କିନ୍ତୁ ଭିତରପଟ ସେମିତି ପଡି ରହିଥାଏ, ବିନା ପଲସ୍ତରରେ ଘର ଦେଇ ଚାଲି ଯାଆନ୍ତି ଠିକାଦାର ଓ ସରକାରୀ ବାବୁ । 

ଏହି ଗାଁକୁ ଆସିବାକୁ ହେଲେ ଦୁଇଟି ନାଳ ଅତିକ୍ରମ କରିବାକୁ ପଡେ । ବର୍ଷ ସାରା ଏହି ନାଳରେ ପାଣି ଯାଉଥାଏ । ନାଳ ଉପରେ ଛୋଟ ବ୍ରିଜ ଓ ରାସ୍ତା ନିର୍ମାଣ କରିବାକୁ ସ୍ଥୀନୀୟ ଜନ ପ୍ରତିନିଧି ଓ ବ୍ଲକ ପ୍ରଶାସନକୁ ବାରମ୍ବାର ଗୁହାରୀ କରି କିଛି ସୁଫଳ ହୋଇ ନଥିବା ଗ୍ରାମବାସୀ ମାନେ ଅଭିଯୋଗ କରନ୍ତି । ବର୍ତମାନ ତେତେଲପଡା ଗାଁକୁ ପାଦଚଳା ରାସ୍ତା ଛଡା ଜାନବାହାନ ଜିବାପାଇଁ ରାସ୍ତା ଟିଏବି ନାହିଁ । ତେବେ ବର୍ତମାନ ମହିନାଲ ସହ ପ୍ରଧାନମନ୍ତ୍ରୀ ସଡକ ଯୋଡି ହେବାକୁ ଯାଉଛି । 

ଗାଁର ସବୁଠାରୁ ବଡ ସମସ୍ୟା ହେଉଛି ପାନୀୟ ଜଳ । ପ୍ରତ୍ୟେକ ନାଗରିକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ ହେଉଥିବାବେଳେ ଏହି ଗାଁରେ ସାମାନ୍ୟ ନଳକୂପ ଟିଏ ମଧ୍ୟ ହୋଇ ପାରିଲା ନାହିଁ । ପାଖରେ ବୋହି ଯାଉଥିବା ନାଳରୁ ବହୁ କଷ୍ଟରେ ପାଣି ସଂଗ୍ରହ କରନ୍ତି ମହିଳା ମାନେ । ଖରାଦିନେ ପଣି ସମସ୍ୟା ବଢିଯାଏ, ପାଣି ମୁନ୍ଦିଏ ପାଇଁ ଡହଳ ବିକଳ ହୁଅନ୍ତି ଏଠାକାର ଅଧିବାସୀ । ନଳକୂପ ପାଇଁ ବାରମ୍ବାର ପଞ୍ଚାୟତ ଓ ବ୍ଲକ କର୍ତ୍ତୁପକ୍ଷଙ୍କ ପାଖରେ ନେହୁରା ହେଲେ ମଧ୍ୟ ସେମାନେ ସୁଣୁନଥିବା କହନ୍ତି ଗ୍ରାମର ବୟୋଜେଷ୍ଠା ମହିଲା ଗୁରୁବାରୀ ମାଝୀ ।

ଏହି ଗାଁ ଲାଞ୍ଜିଗଡ ବିଧାୟକ ବଳଭଦ୍ର ମାଝୀଙ୍କ ନିର୍ବାଚନ ମଣ୍ଡଳୀ ମଧ୍ୟରେ ଯାଉଥିବା ବେଳେ ମାନ୍ୟବର ବିଧାୟକ ଏହି ଅଞ୍ଚଳର ବିକାଶ ପାଇଁ ମୋଟେ ଧ୍ୟାନ ଦେଉନଥିବା ଗ୍ରାମବାସୀ ଅଭିଯୋଗ କରନ୍ତି । ଗ୍ରାମବାସୀଙ୍କ କହିବା କଥା ହେଲା ନେତାମାନେ ନିର୍ବାଚନ ସମୟରେ ହିଁ ଏହି ଗ୍ରାମକୁ ଆସି ପ୍ରତିଶୃତିର ପାହାଡ ଅଜାଡି ପକାନ୍ତି, କିନ୍ତୁ ଜିତିଲା ପରେ ଆଉ ସେମାନଙ୍କ ଦେଖା ଦର୍ଶନ ନଥାଏ ।

ଏହି ଗାଁ ପରି ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ ଅନେକ ଗ୍ରାମ ସମସ୍ୟାର ଆଁ ଭିତରେ ରହିଛି ତେଣୁ ଏଥିପ୍ରତି ପ୍ରଶାସନ ଓ ନିର୍ବାଚିତ ଜନ ପ୍ରତିନିଧି ମାନେ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

ଉପସ୍ଥାପନା : ସୁନୀଲ କୁମାର ଧଙ୍ଗଡାମାଝୀ, ସଂପାଦକ odiabarta.in

ରିପୋର୍ଟ : ନିରଞ୍ଜନ ଗଉଡ, ସ୍ବତନ୍ତ୍ର ପ୍ରତିନିଧି odiabarta.in

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.