୧୭ମାର୍ଚ୍ଚ ସାହାଜଖୋଲ ଜଙ୍ଗଲ ସୁରକ୍ଷା ପାଇଁ ପଦଯାତ୍ରା

ପଦା ହେବାକୁ ବସିଲାଣି ଜଙ୍ଗଲ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅଧୀନରେ ରହିଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଜଙ୍ଗଲ ବିଭାଗର ଅବହେଳା ଓ କାଠ ମାଫିଆଙ୍କ ଯୋଗୁଁ ଦିନକୁ ଦିନ ପଦା ହେବାକୁ ବସିଲାଣି । ଯାହାକୁ ନେଇ ସାହାଜଖୋଲ ସୁରକ୍ଷା ସମିତିର ଆବାହକ ଲାଷ୍ମୀକାନ୍ତ ବାଗଙ୍କ ନେତୃତ୍ୱରେ ଆସନ୍ତାକାଲି (ବୁଧବାର) ଜଙ୍ଗଲ ସୁରକ୍ଷା ପାଇଁ କାଉଡୋଲାରୁ କୋକସରା ପର୍ଯ୍ୟନ୍ତ ପଦଯାତ୍ରାରେ ବାହାରି ଲୋକଙ୍କୁ ସଚେତନ କରିବା ସହ ପ୍ରତିବାଦ କରାଯିବ ବୋଲି ସୁଚନା ଦେଇଛନ୍ତି ।


ପ୍ରାୟ ୧୨୭୨୦ ହେକ୍ଟର ପରିମିତ ଏହି ସାହାଜଖୋଲ ଜଙ୍ଗଲ ମାଫିଆଙ୍କ ଲୋଲୁପ ଦୃଷ୍ଟି ଯୋଗୁଁ ମୂଲ୍ୟବାନ ଗଛ କଟାହୋଇ ଅସ୍ତିତ୍ୱ ହରାଇବାକୁ ବସିଲାଣି । କୋକସରା ବ୍ଲକର ଆମପାଣି, ଡୁଡୁକାଠେଙ୍ଗା, ମହିମା, ବଡପୋଡ଼ାଗୁଡା, ବରାଡୋଙ୍ଗା ଆଦି ପଞ୍ଚାୟତ କୁ ଲାଗି ରହିଛି ଏହି ଜଙ୍ଗଲ ।


ଏହି ପଞ୍ଚାୟତ ଗୁଡିକର ଅନେକ ଆଦିବାସୀ ସମେତ ଗ୍ରାମବାସୀ ମାନେ ଏହି ଜଙ୍ଗଲ ଉପରେ ଜୀବନ ଜୀବିକା କରି ପେଟପାଟଣା କରୁଥିଲେ । ତେବେ ବିଗତ କିଛି ବର୍ଷ ହେବ ଜଙ୍ଗଲ ମଧ୍ୟରେ ଅନାଧିକୃତ ଭାବେ ଜଙ୍ଗଲ ବିଭାଗର କିଛି ଅଧିକାରୀଙ୍କ ପ୍ରୋତ୍ସାହନରେ ହେକ୍ଟର ହେକ୍ଟର ଜଙ୍ଗଲ କାଟି ମକାଚାଷ ଓ ପୋଡ଼ୁଚାଷ କରି ଜଙ୍ଗଲର ପ୍ରାକୃତିକ ପରିବେଶ ନଷ୍ଟ ହେବା ଦ୍ୱାରା ପଦା ହେବାକୁ ବସିଲାଣି ।


ପୁଣି ଖରା ଦିନେ ଜଙ୍ଗଲ ରେ ହୁ ହୁ ହୋଇ ଜଳୁଛି ନିଆଁ । ଏହା ମଧ୍ୟ ଜଙ୍ଗଲ ସନ୍ତୁଳନତା ବିଗାଡିବାରେ ଏକ ପ୍ରମୁଖ କାରଣ । ଜଙ୍ଗଲ ଦିନକୁ ଦିନ ନଷ୍ଟ ଯୋଗୁଁ ଗାଁ ମୁହାଁ ହେଉଛନ୍ତି ଜଙ୍ଗଲି ଜୀବଜନ୍ତୁ । ଏହି ସବୁ ସମସ୍ୟା କୁ ନେଇ ଅଣ୍ଟା ଭିଡ଼ିଛି ସାହାଜଖୋଲ ସୁରକ୍ଷା ସମିତି । ଏହି ସୁରକ୍ଷା କମିଟି ର ଅଧ୍ୟକ୍ଷ ଭଜମନ ନାଏକ, ଆମପାଣି ଜିଲ୍ଲା ପରିଷଦ ସଭ୍ୟା ହେମାଙ୍ଗିନି ହଂସ ପ୍ରମୁଖ ଏହି ପଦଯାତ୍ରା କାର୍ଯ୍ୟକ୍ରମରେ ସମସ୍ତ ଙ୍କ ସହଯୋଗ ପାଇଁ ଅନୁରୋଧ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.