ମୋହନଗିରୀ ଅଂଚଳରେ ଚୋରଗ୍ୟାଙ୍ଗ୍ ସକ୍ରିୟ

୧୫ ଦିନ ମଧ୍ୟରେ ୭ ଘରୁ ଚୋରୀ : ହାତବାନ୍ଧି ବସିଛି ପୋଲିସ

ମ.ରାମପୁର,୩/୨: କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ସୀମାନ୍ତ ଅଂଚଳ ମୋହନଗିରିରେ ଦିନକୁ ଦିନ ବୃଦ୍ଧି ପାଉଛି ଚୋରଙ୍କ ଉପଦ୍ରବ । ଚୋରଙ୍କ ଉପଦ୍ରବ ଯୋଗୁଁ ଅଂଚଳବାସୀ ଆତଙ୍କିତ ଥିବାବେଳେ ଏନେଇ ପୁଲିସର ନୀରବତା ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ମୋହନଗିରୀ କନ୍ଧମାଳ,ବଉଦର ସୀମାନ୍ତବର୍ତ୍ତୀ ଅଂଚଳ ହେଇଥିବାବେଳେ ଏହି ଅଂଚଳରେ ମାଓବାଦୀଙ୍କ ଉପସ୍ଥିତି ବି ସବୁସମୟରେ ଲୋକଙ୍କ ମୁଣ୍ଡବ୍ୟଥାର କାରଣ ସାଜିଛି । ସୀମାନ୍ତ ଜିଲ୍ଲା ଅଂଚଳରେ ବିଗତ ଦିନରେ ଅନେକ ସମୟରେ ଗଂଜେଇ ଚୋରାଚାଲାଣ ଧରାପଡ଼ିଥିବାବେଳେ ଏବେ ଏକ ଚୋର ଦଳ ସକ୍ରୀୟ ହେଇଉଠିଥିବା ଜଣାଯାଇଛି । ଗତ ୧୫ ଦିନ ମଧ୍ୟରେ ଏ ଅଂଚଳର ୭ଟି ଘରରୁ ଚୋରିହୋଇଥିବା ଜଣାପଡିଥିବା ବେଳେ ମୋହନଗିରି ପୋଲିସ ପକ୍ଷରୁ  କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଫଳରେ ସଧାରଣରେ ତୀବ୍ର ପ୍ରତିକ୍ରିୟା ଦେଖାଯାଇଛି ।

ପ୍ରାପ୍ତ ସୁଚନା ମୁତାବକ ଗତ ଜାନୁୟାରି ୧୪ ତାରିଖ ଦିନ ସିଂହପୁର ଗ୍ରାମର ବସନ୍ତ ଭୋଇ, ବସନ୍ତ ପାଣ୍ଡେ, ସୁଦାମ ପଧାନ, ନରୋତ୍ତମ ପ୍ରଧାନ ଓ ସେଇ ଏକା ରାତ୍ରୀରେ ସିର୍କିହେଜୁ ଗ୍ରାମର ଗୋପାଲ ଦଣ୍ଡସେନା ଙ୍କ ଘରୁ ଚୋରି ହୋଇଥିବା ଜଣା ପଡିଛି । ଏହି ଘଟଣାର ୧୫ ଦିନ ନପୁରୁଣୁ ମୋହନଗିରୀ ଅଂଚଳରେ ଚୋରଗ୍ୟାଙ୍ଗ୍ ସକ୍ରିୟ ହୋଇ ପୁଣି ଫେବୃୟାରୀ ୧ ତାରିଖରେ ମୁଚେଲପଦର ଗ୍ରାମର ଲୋକନାଥ ସାହୁ ଓ ପବିତ୍ର ପଧାନଙ୍କ ଘରୁ ଚୋରି ହୋଇଥିବା ବେଳେ ପଣ୍ଡାପଦର ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରେ ଚୋର ପଶି ଚୋରି ଉଦ୍ୟମ କରିଥିବା ଖବର ମିଳିଛି । ଚୋରି ସଂର୍ପକରେ ମୁଚେଲ ପଦର ଗ୍ରାମର ଲୋକନାଥ ସାହୁ ମୋହନଗିରି ଫାଣ୍ଡିରେ ଲିଖିତ ଭାବରେ ଜଣେଇ ଛନ୍ତି । ଏ ଅଂଚଳରେ କିଛିଦିନ ହେଲା ଏକ ଚୋର ଗ୍ୟାଙ୍ଗ ବୁଲୁଥିବା ଖବର ପ୍ରଚାର ହୋଇଆସୁଥିଲେ ମଧ୍ୟ ମୋହନଗିରି ପୋଲିସ ଚୁପ ରହିଥିବା ଦେଖାଯାଇଛି । ଏ ନେଇ ମୋହନଗିରି ପୋଲିସ ଫାଣ୍ଡି ଅଧିକାରୀ ଦୁର୍ଗା ପ୍ରାସାଦ ସାହୁଙ୍କୁ ପଚାରିବାରୁ ଚୋର ମାନଙ୍କୁ ରୋକିବା ପାଇଁ ଗାଁ ଲୋକଙ୍କ ସହାୟତା ଆବଶ୍ୟକ ବୋଲି କହି ନିଜ ଦାୟିତ୍ୱକୁ ଏଡ଼ାଇଯାଇଥିବାରୁ ବୁଦ୍ଧିଜୀବି ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ସ୍ୱତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.