କେନ୍ଦୁଝର : ବିକାଶର ଅପହଞ୍ଚ ଇଲାକାରେ ଦଲିକ୍ ଗ୍ରାମ

ସାଳନ୍ଦୀ ହଦଗଡ ଡ୍ୟାମର ବିଚ୍ଛିନ୍ନାଞ୍ଚଳରେ ରହିଛି ଗାଁ : ହୁଲି ଡଙ୍ଗା ଭରସା

କେନ୍ଦୁଝର,୪/୧: ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିକାଶର ଡିଣ୍ଡିମ ପିଟୁଥିବାବେଳେ ଆଜିବି ଅନେକ ଆଦିବାସୀ ଇଲାକା ଉପେକ୍ଷିତ ଭାବେ ପଡି ରହିଛି । ଶିକ୍ଷା ସ୍ବାସ୍ଥ୍ୟ ଗମନା ଗମନ, ପାନୀୟଜଳ ପରି ମୌଳିକ ସମସ୍ୟା ଯେଉଁଠି ପହଞ୍ଚି ପାରୁନାହିଁ ସେମିତି ଗାଁ ଓଡିଶାରେ ଭର୍ତ୍ତି ହୋଇ ରହିଛି, କିନ୍ତୁ ସରକାର ସେହି ଅଞ୍ଚଳ ସବୁର ଉନ୍ନତି କରିବା ପରିବର୍ତେ ବିକାଶର ନାଗରା ବଜାଇବାରେ ବ୍ୟସ୍ଥ ।

ବିକାଶର ଅପହଞ୍ଚ ଇଲାକାରେ ରହିଛି ଦଲିକ୍ ଗ୍ରାମ । କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅନ୍ତର୍ଗତ ହଦଗଡ଼ ପଞ୍ଚାୟତର ବିଚ୍ଛିନ୍ନାଞ୍ଚଳର ଉକ୍ତ ଗାଁକୁ ଯିବାକୁ ହୁଳି ଡଙ୍ଗା ହିଁ ଭରସା ସାଜିଛି । ଗ୍ରାମର ସମସ୍ତ ପରିବାର ଆଦିବାସୀ ଓ ଗରିବ ଶ୍ରେଣୀର। କୁଲି ମଜୁରୀ କାର୍ଯ୍ୟ କରି ନିଜର ଗୁଜୁରାଣ ମେଣ୍ଟାଇ ବଞ୍ଚନ୍ତି । ହଦଗଡ଼ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ହେଲେ ସାଳନ୍ଦୀ ହଦଗଡ଼ ଡ୍ୟାମ ଜଳଭଣ୍ଡାରର ଅତଳତଳ ପାଣି ଭିତରେ ଜୀବନକୁ ବାଜି ଲଗାଇ ହୁଲି ଡଙ୍ଗାରେ ପାର ହେବାକୁ ପଡେ। ଜଙ୍ଗଲ ଜାତଦ୍ରବ୍ୟ ବିକ୍ରି କରି ଲୋକେ ଚଳୁଛନ୍ତି। ଜଙ୍ଗଲ ଜୀବନର ବାସ୍ନାରୁ ଦୂରେଇ ରହିପାରୁ ନ ଥିବା ବେଳେ ସରକାରଙ୍କ ସମସ୍ତ ଯୋଜନା ସେମାନଙ୍କ ପାଖରେ ଅପହଞ୍ଚ ହୋଇଛି। ମୌଳିକ ସୁବିଧା ସୁଯୋଗରୁ ସେମାନେ ବଞ୍ଚିତ ହୋଇଛନ୍ତି। ପକ୍କାଗୃହ ଆବଶ୍ୟକ ଅନୁଯାଇ ମିଳୁନାହିଁ। ଯେଉଁ ହିତାଧିକାରୀଙ୍କୁ ଘର ମିଳୁଛି ସେମାନେ ବନ ବିଭାଗର ଆଙ୍କୁଶ ପାଇ ନିର୍ମାଣ କାର୍ଯ୍ୟ କରିପାରୁନାହାନ୍ତି। ବିଜୁ ପକ୍କାଗୃହ ଯୋଜନା ଫେଲ ହୋଇଛି। ଗାଁ ରାସ୍ତା ଗୁଡ଼ିକର ୭୦ ଭାଗ ପଥୁରିଆ ହୋଇ ପଡ଼ିରହିଛି। ସାପ୍ତାହିକ  ରବିବାର ହାଟକୁ ନିଜର ସାମଗ୍ରୀ ଧରି ବିକ୍ରି ପାଇଁ ହୁଲି ଡଙ୍ଗାରେ ଯାତାୟାତ କରିଥାନ୍ତି। ବର୍ଷାଦିନରେ ଡ୍ୟାମର ପାଣିର ଢେଉ ଓ ଲହଡ଼ି ଭୟରେ କେତେକ ଲୋକ ଜୀବନକୁ ବାଜି ଲଗାଇ ଆସିଥାନ୍ତି। ଜଙ୍ଗଲର ପାଦଚଲା ରାସ୍ତାରେ ଚାଲିକରି ଆସିଥାନ୍ତି। ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧି ଗରିବ ଲୋକଙ୍କ କଥା ବୁଝୁନାହାନ୍ତି। ଜଙ୍ଗଲ ଓ ଅଭୟାରଣ୍ୟ ଭିତରେ ସେମାନେ ଜୀବନ ବିତାଉଛନ୍ତ। ଗାଁଟି ଅଭିଶପ୍ତ ହୋଇପଡ଼ିଛି। ସେଥିପ୍ରତି କାହାରି ଦୃଷ୍ଟି ପଡ଼ୁନି। ହଦଗଡ଼ ଡାକବଙ୍ଗଳା ପାର୍ଶ୍ୱରେ  ରାସ୍ତା ନିର୍ମାଣ ହେଲେ ଯାତାୟାତର ସୁବିଧା ହୋଇପାରନ୍ତା ବୋଲି କୁହାଯାଉଛି। ପ୍ରଶାସନ ଏଥିପ୍ରତି ପଦକ୍ଷେପ ନେଉ ନ ଥିବା ସେଠାକାର ଅଧିବାସୀ ଅଭିଯୋଗ କରିଛନ୍ତି। ପ୍ରଶାସନ ସଜାଗ ହେବାସହ ଗାଁକୁ ଯାତାୟାତ ପାଇଁ  ରାସ୍ତା ଯୋଗାଇ ଦେବାକୁ ସରପଞ୍ଚ ଅଶୋକ ଜେନା ଦାବି କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.