କରୋନାର ଦ୍ୱିତୀୟ ଲହରକୁ ନାହିଁ ଭୟ: ସହର ବଜାରରେ କୋଭିଡ କଟକଣା ହୋଇଛି ବାଟବଣା

ରାୟଗଡାରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଭୂଲି ଯାଇଛନ୍ତି ଗ୍ରାହକ ଓ ବ୍ୟବସାୟୀ

ରାୟଗଡ, (ଶିବ ନାରାୟଣ ଗୈାଡ): ମହାମାରୀ କରୋନା ସଂକ୍ରମଣରେ ଗତ ବର୍ଷ ବିଶ୍ୱରେ କୋଟି କୋଟି ଲୋକେ ସଂକ୍ରମିତ ହେବା ସହ ମୃତ୍ୟୁବରଣ କରିଥିବା ବେଳେ ଠିକ୍ ଏକ ବର୍ଷର୍ ପରେ ଏହାର ଦ୍ୱିତୀୟ ଲହରରେ କୋଭିଡ-୧୯ ଭାଇରସ ଆହୁରି ଆତଙ୍କ ଖେଳାଉ ଥିବା ବେଳେ ଭାରତ ଦେଶର ମହାରାଷ୍ଟ୍ର, ପଂଜାବ, କର୍ଣ୍ଣାଟକ, ଗୁଜରାଟ, ମଧ୍ୟପ୍ରଦେଶ ଏବଂ କେରଳରେ ବ୍ୟାପକ ସଂକ୍ରମଣ ଯୋଗୁଁ ସ୍ଥିତି ବିଗିଡିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ଓଡିଶା ସରକାର କୋଭିଡ-୧୯ ଗାଇଡଲାଇନକୁ କଡାକଡି ଭାବେ ପାଳନ କରିବାକୁ ଜିଲ୍ଳା ଓ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଜାରି କରିଛନ୍ତି ।


ରାୟଗଡ ଜିଲ୍ଳା ପ୍ରଶାସନ ଓ ପୋଲିସ ପ୍ରଶାସନ ତରଫରୁ ସହରର ବିଭିନ୍ନ ସ୍ଥାନରେ ନିୟମିତ ଭାବେ ପ୍ରତିଦିନ ମାସ୍କ ଓ ହେଲମେଟ୍ ଯାଂଚ କରାଯାଇ ଅମାନିଆମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଜୋରିମାନା ଆଦାୟ କରାଯାଉଛି । ତେବେ ରାୟଗଡ ସହରର ମୁଖ୍ୟ ବଜାର ଉପରେ ନିର୍ଭର କରୁଥିବା ଏହାର ଆଖାପାଖ ବ୍ଳକ ତଥା ଗ୍ରାମବାସୀମାନେ ପ୍ରତିଦିନ ବଜାର କରିବା ପାଇଁ ଆସୁଥିବା ବେଳେ ସଚେତନତା ଅଭାବରୁ ଅନେକ ଲୋକଙ୍କ ମୁହଁରେ ମାସ୍କ ନ ଥିବା ପରିଲିକ୍ଷିତ ହେଉଛି । ଏପରିକି ଦୋକାନୀମାନେ ମଧ୍ୟ କୋଭିଡ ନିୟମାନୁଯାୟୀ ସାମାଜିକ ଦୂରତା ରକ୍ଷା କରିବା ଓ ମାସ୍କ ପିନ୍ଧିବା ଉପରେ ଗ୍ରାହକମାନଙ୍କୁ କିଛି କହୁ ନ ଥିବାରୁ ଗ୍ରାହକମାନେ ମଧ୍ୟ କଟକଣାକୁ ମାନୁ ନାହାନ୍ତି ।


ଅନୁରୂପ ଭାବେ ଅନେକ ଦୋକାନୀ ତଥା ବ୍ୟବସାୟୀମାନେ ମଧ୍ୟ ମାସ୍କ ବ୍ୟବହାର କରୁ ନଥିବା ଦେଖିବାକୁ ମିଳୁଛି । ରାୟଗଡ ସହରର ଏକ ବ୍ୟବସାୟିକ ପେଣ୍ଠ ସ୍ଥଳୀ ହୋଇଥିବା ବେଳେ ଏହାର ମୁଖ୍ୟ ବଜାର ଉପରେ ଜିଲ୍ଳାବାସୀଙ୍କ ସମେତ ପଡୋଶୀ ଜିଲ୍ଳା ତଥା ରାଜ୍ୟର ବ୍ୟବସାୟୀମାନେ ମଧ୍ୟ ବ୍ୟବସାୟ କରିବା ପାଇଁ ଆସିଥାନ୍ତି । ତେବେ ପ୍ର୍ରତିଦିନ ଶତାଧିକ ସଂଖ୍ୟକ ଲୋକଙ୍କ ସମାଗମ ଭଳି ବଜାରରେ ଜନଗହିଳ ଲାଗି ରହିଥିବା ବେଳେ ବର୍ତମାନ ସ୍ଥିତିରେ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବାକୁ ପଡିବ ବୋଲି ବୁଦ୍ଧିଜୀବିମାନେ ମତପ୍ରକାଶ କରୁଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.