ଗ୍ରାମ ପଞ୍ଚାୟତରେ ଦୁର୍ନୀତି ନେଇ ଜିଲ୍ଳାପାଳଙ୍କ ଠାରେ ଅଭିଯୋଗ କଲେ ସମିତି ସଭ୍ୟ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା କାଶୀପୁର ବ୍ଳକ ଅନ୍ତର୍ଗତ ଶଙ୍କରଡା ଗ୍ରାମ ପଂଚାୟତରେ ବିଭିନ୍ନ କାର୍ଯ୍ୟରେ ମହା ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ପଂଚାୟତର ସମିତି ସଭ୍ୟ ଭୀମସେନ ମାଝି । ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ରଙ୍କୁ ଏ ନେଇ ଏକ ୧୫ଦଫା ସମ୍ବଳୀତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଏହି ଅଭିଯୋଗ ପତ୍ରରେ କୋଭିଡ ସମୟରେ ଦାଦନ ଶ୍ରମିକମାନଙ୍କ ପାଇଁ ଉଦ୍ଧିଷ୍ଟ ଅନୁଦାନ ୨୦୦୦ଟଙ୍କା ପ୍ରଦାନ କରାଯାଇ ନ ଥିବା ବେଳେ ଓଡିଶା ଜୀବିକା ମିଶନ ନଥିପତ୍ର ପରିଚାଳକ ଏବଂ ସରପଂଚ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଦ୍ୱାରା ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଛି । ସେହିପରି ହରିଶ୍ଚନ୍ଦ୍ର ଯୋଜନାରେ ମଧ୍ୟ ଗତ ୨୦୧୭ବର୍ଷ ଠାରୁ ଆଜିଯାଏଁ କୈାଣସି ମୃତକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରାଯାଇ ନ ଥିବା, ଓଏପି/ଓଡିପି/ଏନଓଏପିରେ ସାମିଲ କରିବାକୁ ହାତଗୁଂଜା ନେବା ସହ ନିଜ ପରିବାର ଲୋକଙ୍କୁ ଅଗ୍ରାଧିକାର ଦେବା, ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ତଥା ଗାଇ ଗୁହାଳ ଯୋଜନାରେ ନିଜ ପରିବାର ସଦସ୍ୟ ଏବଂ ସମର୍ଥକଙ୍କୁ ପ୍ରଦାନ କରିବା, ମନରେଗା କାମରେ ଶ୍ରମିକଙ୍କୁ ବାଦ ଦେଇ ଜେସିବି, ଟ୍ରିପର ଏବଂ ଟ୍ରାକ୍ଟର ନିୟୋଜିତ କରିବା, ଭତା ଠିକ୍ ଭାବେ ପ୍ରଦାନ ନ କରିବା, ପିଡିଏସ ଚାଉଳ ବଂଟନରେ ଅନିୟମିତତା, ଟିଏଫସି/ଏସଏଫସି ଟଙ୍କାର ଅପବ୍ୟବହାର, ଗ୍ରାମ ପଂଚାୟତ ପାଣ୍ଠିର ସଦବିନିଯୋଗ ନ କରିବା, ୨୦୧୭ରୁ ୨୦୨୧ ମଧ୍ୟରେ ସମସ୍ତ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ କରିବା, ସୋଲାର ଲାଇଟ୍‌ରେ ଅନିୟମିତତା, କପାଡାଙ୍ଗ ରାସ୍ତା ହୁମାଝୋଲା ଠାରେ ଭଲ ରାସ୍ତାକୁ ଅଯୋଗ ସ୍ଥାନରେ କଲଭର୍ଟ କରି ରାସ୍ତାକୁ ଅଚଳ କରିବା ଓ ଗ୍ରାମ ପଂଚାୟତର ସମସ୍ତ ଗ୍ରାମରେ ବୋରିଂ ଚାନ୍ଦିନୀ ନ କରି କାମର ସମସ୍ତ ବିଲ ଉଠାଣ କରାଯାଇଥିବା ସମିତି ସଭ୍ୟ ଶ୍ରୀ ମାଝି ଅଭିଯୋଗ ପତ୍ରରେ ଉଲ୍ଳେଖ କରିଛନ୍ତି । ଆଗାମୀ ୭ଦିନ ମଧ୍ୟରେ ଏହାର ଭିଜିଲାନ୍ସ ତଦନ୍ତ କରିବା ସହ ସରପଂଚ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଜିଆରଏସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ପଂଚାୟତବାସୀ ରାଜରାସ୍ତାକୁ ଓହ୍ଳାଇବେ ବୋଲି ଚେତାବନୀ ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.