ବରିଷ୍ଠ ସାମ୍ବାଦିକ ଅଭିରାମ ନନ୍ଦଙ୍କୁ ଦୁର୍ବ୍ୟବହାର, ଥାନାରେ ମାମଲା


କଳାହାଣ୍ଡି: ଓଡିଶା ସାମ୍ବାଦିକ ୟୁନିୟନ (ଓୟୁଜେ) ନର୍ଲା ଶାଖାର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଅଭିରାମ ନନ୍ଦଙ୍କୁ ଜଣେ ବ୍ୟକ୍ତି ଜାତିଆଣ ଆକ୍ଷେପ, ଅଭଦ୍ର ଭାଷାରେ ଗାଳିଗୁଲଜ ଓ ଧକ୍କା ମାରିଥିବାନେଇ ନର୍ଲା ଥାନାରେ ମାମଲା ରୁଜୁ ହୋଇଛି। ଏନେଇ ଧନୁର୍ଯ୍ୟ ସାହୁ ନାମକ ଜଣେ ଯୁବକଙ୍କ ସହ ଅନ୍ୟ ୨ଜଣଙ୍କ ନାମରେ କେସ ନଂ ୭୭ ଆଇପିସି ୧୮୬୦ ଧାରା ୨୯୪, ୩୪୧, ୩୨୩, ୫୦୬, ୩୪ ସହ ଇନଫରମେସନ ଟେକ୍ନୋଲୋଜି ଆକ୍ଟ ୨୦୦୦ ଧାରା ୬୬ (ଏ) ଏବଂ ଏଟ୍ରୋସିଟିଜ୍ ଆକ୍ଟ ୧୯୮୯ (ଆମାଣ୍ଟମେଣ୍ଟ ୨୦୧୫) ଧାରା ୩(୨) (ଭିଏ)ରେ ଏକ ମାମଲା ରୁଜୁ ହୋଇଥିବା ନର୍ଲା ଥାନା ଭାରପ୍ରାପ୍ତ ଅଧିକାରୀ ଚତୁର୍ଭୁଜ ନାୟକ ସୂଚନା ଦେଇଛନ୍ତି।

ସାମ୍ବାଦିକ ଅଭିରାମ ନନ୍ଦ ନିଜ ଏତଲାରେ ଦର୍ଶାଇଛନ୍ତି ଯେ, ଗତ ମାର୍ଚ୍ଚ ମାସରେ ପ୍ରଗତିବାଦୀ ଖବରକାଗଜରେ ‘ନର୍ଲାରେ ନକଲି ସାମ୍ବାଦିକଙ୍କ ପ୍ରାଦୁର୍ଭାବ’ ଶିର୍ଷକ ଏକ ଖବର ପ୍ରକାଶିତ ହୋଇଥିଲା। ଏହାକୁ ନେଇ ମୁଣ୍ଡାପଲା ଗାଁର ଧନୁର୍ଯ୍ୟ ସାହୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଫୋନ କରି କହିଥିଲେ ଯେ, ଏହା ଲିଙ୍ଗରାଜ ମିଶ୍ରର ଭାଷା ନୁହଁ, ଅଭି ଡମ୍ ବତେଇଛି ଓ ଲିଙ୍ଗ ମିଶ୍ର ଲେଖିଛି। ଅଭଦ୍ର ଭାଷା ଓ ଜାତିଆଣ ଆକ୍ଷେପ କରି ଧନୁର୍ଯ୍ୟ ସାହୁ କହିଥିଲେ, ଅଭି ଡମ୍ ବର୍ତ୍ତମାନ କୈାଣସି ଗଣମାଧ୍ୟମରେ ନଥାଇ କିପରି ନର୍ଲା ସମ୍ବାଦିକ ୟୁନିୟନର ସଭାପତି ହୋଇଛି? ଅନ୍ୟପକ୍ଷରେ ଅଭିରାମ ନନ୍ଦ ୨୦୧୪ରୁ ସମ୍ବାଦ ଖବରକାଗଜର ନର୍ଲା ପ୍ରତିନିଧି ଭାବେ କାର୍ଯ୍ୟକରି ଆସୁଥିବା ବେଳେ ବର୍ତ୍ତମାନ ‘ପ୍ରତିଜ୍ଞା ଟିଭି’ ଓ ଦୈନିକ ‘ସକାଳ’ ଖବରକାଗଜର ନର୍ଲା ପ୍ରତିନିଧି ଭାବେ କାର୍ଯ୍ୟରତ। ଏହାସହ ଓଡିଶା ସାମ୍ବାଦିକ ୟୁନିୟନ (ଓୟୁଜେ)ର ଜଣେ ସଦସ୍ୟ ଓ ନର୍ଲା ସାମ୍ବାଦିକ ୟୁନିୟନର ସଭାପତି ଭାବେ କାର୍ଯ୍ୟକରି ଆସୁଛନ୍ତି। ଧନୁର୍ଯ୍ୟ ସାହୁ ତାଙ୍କୁ ଜାତିଆଣ ଆକ୍ଷେପ ଓ ଅଭଦ୍ର ଭାଷା ପ୍ରୟୋଗ କରିଥିବା ବିଷୟକୁ ସେହି ସମୟରେ ଅଭିରାମ ନନ୍ଦ ବିଶେଷ ଗୁରୁତ୍ବ ଦେଇନଥିଲେ, ସେ କହିବା କଥା ହେଲା ସାମ୍ବାଦିକ ଜୀବନରେ ଏମିତି ଅନେକ କଥା ଆସିଥାଏ। ତେବେ ଅପ୍ରେଲ ୩ ତାରିଖ ଦିନ ସକାଳୁ ଅଭିରାମ ନନ୍ଦ ‘ଓଡିଶା ସମାଚାର ଓଡ଼ିଆ’ ର ଏକ ଭିଡିଓ ଦେଖିବାକୁ ପାଇଲେ। ଏଥିରେ ଉକ୍ତ ଚେନାଲର ନର୍ଲା ପ୍ରତିନିଧି ଧନୁର୍ଯ୍ୟ ସାହୁ ଅଭିରାମ ନନ୍ଦଙ୍କ ନାମରେ ଏକ ଭିତ୍ତିହିନ ଓ ମିଥ୍ୟା ଭିଡିଓ ପ୍ରସ୍ତୁତ କରି ବଦନାମ କରିବାକୁ ଚେଷ୍ଟା କରିଥିଲେ। ଏଥିରେ ଉଦ୍ଦେଶ୍ୟ ମୂଳକ ଭାବରେ ଶ୍ରୀଯୁକ୍ତ ନନ୍ଦଙ୍କ ଚରିତ୍ର ସଂହାର ହୋଇଥିବାରୁ ଅପ୍ରେଲ ୪ ତାରିଖ ଦିନ ସେ ନିଜର ଜଣେ ବନ୍ଧୁଙ୍କ ସହ ମୁଣ୍ଡାପଲା ଯାଇ ଧନୁର୍ଯ୍ୟ ସାହୁଙ୍କୁ ଏହି ଭିଡିଓରେ ସତ୍ୟାସତ୍ୟ ବିଷୟରେ ପଚାରି ବୁଝିଥିଲେ। ଏହି ସମୟରେ ଧନୁର୍ଯ୍ୟ ସାହୁ ହଟାତ ଉତକ୍ଷିପ୍ତ ହୋଇ ଅଭଦ୍ର ଭାଷା ପ୍ରୟୋଗ କରି ଜାତିଆଣ ଆକ୍ଷେପ ସହ ଧକ୍କା ମାରିଥିବା ନେଇ ଅଭିରାମ ନନ୍ଦ ନର୍ଲା ଥାନାରେ ଏକ ଏତଲା ଦାଏର କରିଥିଲେ। ଏନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ଅନ୍ୟପକ୍ଷରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଜାତିଆଣ ଆକ୍ଷେପ, ଆକ୍ରମଣ ଓ ଦୁର୍ବ୍ୟବହାର ଘଟଣାକୁ ନିନ୍ଦା କରିଛି କଳାହାଣ୍ଡି ସାମ୍ବାଦିକ ୟୁନିୟନ (ଓୟୁଜେ)। ସଂଘର ସଭାପତି କମ୍ବୁପାଣି ମିଶ୍ର ଚେତାବନୀ ଦେଇଛନ୍ତି ଯେ, ଯଦି ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ କଳାହାଣ୍ଡି ସାମ୍ବାଦିକ ୟୁନିୟନ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ।