କାଠ ଚୋରା ଚାଲାଣ ବେଳେ ଟ୍ରକ ଜବତ୍, ୨ ମାଫିଆ ଗିରଫ


ଛତିଶଗଡ଼କୁ ଚାଲାଣ ହେଉଥିଲା ମୁଲ୍ୟବାନ କାଠ ଗଣ୍ଡି

ବୌଦ୍ଧ: ଜଙ୍ଗଲରୁ ବେଆଇନ ଭାବେ କାଠ ଚୋରା ଚାଲାଣ ହେଉଥିବା ବେଳେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବନବିଭାଗ ପକ୍ଷରୁ ଚଢାଉ କରାଯାଇ ୧୦ ଚକିଆ ଟ୍ରକ ଓ ବିପୁଳ ପରିମାଣରେ କାଠ ଜବତ ସହ ଦୁଇଜଣ କାଠ ମାଫିଆଙ୍କୁ ଗିରଫ କରାଯାଇଛି । କାଠ ଚୋରା ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବରପାଇ ବନ ବିଭାଗର ଏସିଏଫ ଜିତେନ୍ଦ୍ର ବେହେରା ଓ ଡେପୁଟି ରେଞ୍ଜର ପ୍ରଦୋଷ ମହାରଣାଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ ରାତିରେ ଖୁଣ୍ଟିଗୋରା ନିକଟରେ ଏହି କାଠଟ୍ରକ ସହିତ ଦୁଇ ଜଣକୁ ଗିରଫ କରିଥିଲେ । ଦୁଇଜଣ କାଠ ମାଫିଆ ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ଅଞ୍ଚଳର ବୋଲି ଜଣା ପଡିଛି । ଜବତ କାଠର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କା ହେବ ବୋଲି ଜଣା ଯାଇଛି । ଗାଡିର ନମ୍ବର (ଓଆର ୧୫ଏଲ ୬୨୨୯) ଲେଖାଥିବା ବେଳେ ଅନ୍ୟ ଏକ ଜାଲ ନମ୍ବର ପ୍ଲେଟ (ସିଜି ୦୪ଜେଡସି ୩୯୬୯) ଜବତ କରାଯାଇଛି । ଚଢ଼ାଉରେ ଦୁଇ ଗୋଟି ମୋବାଇଲ ଓ ଚାରି ହଜାର ଟଙ୍କା ସମେତ ଜାଲ ଚାଲାଣ ମଧ୍ୟ ଜବତ କରାଯାଇଛି । ଏଇ କାଠ ଗଣ୍ଡିକୁ ସେମାନେ ଛତିଶଗଡ଼ ଅଞ୍ଚଳକୁ ଚୋରା ଚାଲାଣ କରୁଥିଲେ ବୋଲି ବୌଦ୍ଧ ଡିଏଫଓ ଯଶୋବନ୍ତ ସେଠୀ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ OdiaBarta.in