ଗୋଟିଏ ପରିବାରର ତିନି ସଦସ୍ୟ ଦିବ୍ୟାଙ୍ଗ: ମୁକ ଚିନ୍ତାମଣି ଗହୀରଙ୍କ କାନ୍ଧରେ ପରିବାରର ବୋଝ


କଳାହାଣ୍ଡି: କର୍ଲମୁଣ୍ଡା ବ୍ଳକ ଯୋରାଡବରା ପଂଚାୟତର ସିଲେଟପଡାରେ ରହନ୍ତି ଚିନ୍ତାମଣି ଗହୀରଙ୍କ ପରିବାର । ପରିବାର କହିଲେ ଚିନ୍ତାମଣି ଙ୍କ ସ୍ତ୍ରୀ ଚଂଚଳା ଗହୀର (୫୫), ମାଆ ବେଲମତି ବେୱା (୭୦) ଓ ଅବିବାହିତା ଭଉଣୀ ପଦ୍ମାବତୀ (୪୦) । ନିୟତିର କି ନିଷ୍ଠୁର ପରିହାସ ଯେ ଚିନ୍ତାମଣି ଜଣେ ମୁକ ବ୍ୟକ୍ତି ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଜଣେ ଅନ୍ଧ । ପୁଣି ଭଉଣୀ ପଦ୍ମାବତୀ କ୍ୟାନସର ଯୋଗୁଁ ଗୋଟିଏ ଗୋଡ ତାଙ୍କ ଅକ୍ଷମ ରହିଛି । ପ୍ରାୟ ୨୦ ବର୍ଷ ତଳେ ପଦ୍ମାବତୀଙ୍କ ଡାହାଣ ଗୋଡରେ କୁଆଡେ କଂଟା ଫୋଡି ହୋଇଥିଲା । ତାହା କାଳକ୍ରମେ ଭିତରେ ଭିତରେ ପଚିଯାଇ ଘା’ ହୋଇଗଲା । ଆଉ ସେ ଘା’ ପରେ କ୍ୟାନସର ର ରୂପ ନେଲା । ଅର୍ଥ ଅଭାବରୁ ପଦ୍ମାବତୀ ର କ୍ୟାନସର ରୋଗର ଉପଯୁକ୍ତ ଚିକିତ୍ସା ହୋଇନପାରିବାରୁ ଗୋଟିଏ ଗୋଡ ଅକ୍ଷମ ହୋଇପଡିଛି । ଏଣେ ମୁକ ଚିନ୍ତାମଣି ଗାଁରେ ଲୋକଙ୍କ ଗାଈଗୋରୁ ଚରାଇ ଯାହା ଉପାର୍ଜନ କରେ, ସେଥିରେ ପରିବାର ପ୍ରତିପୋଷଣ ସହ ପଦ୍ମାବତୀ ପାଇଁ ଔଷଧ ଖଞିବାକୁ ହୋଇଥାଏ । ଚିନ୍ତାମଣି ଓ ତା ମା ଓ ଭଉଣୀ ଭତା ପାଇଥାନ୍ତି ହେଲେ ଅନ୍ଧ ସ୍ତ୍ରୀ ଚଂଚଳାକୁ ଏ ଯାଏ ମିଳି ନାହିଁ ଭତା । ସରକାରୀ ସହାୟତା କହିଲେ ତିନି ଜଣଙ୍କ ମାସିକ ଭତା ଓ ୨୦ କେଜି ଚାଉଳ । ଏହାବାଦ ଆଉକିଛି ମିଳି ନାହିଁ ଚିକିତ୍ସା ପାଇଁ । ଅବଶ୍ୟ ଗତ କିଛି ଦିନ ତଳେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଇ.ଜି.ଏସ.ଏସ.ଏସ ପକ୍ଷରୁ ଚିନ୍ତାମଣିକୁ ୮ ହଜାର ଟଂକାର ଆର୍ଥିକ ସହାୟତା ଦିଆଯାଇଥିଲା । ହେଲେ ସରକାରଙ୍କ ପକ୍ଷରୁ ପଦ୍ମାବତୀ ଙ୍କ ଚିକିତ୍ସା ଓ ଏଇ ପରିବାର ପାଇଁ ସ୍ୱତନ୍ତ୍ର ସହାୟତା ଯୋଗାଇଦେବାକୁ ସାମାଜିକ କର୍ମୀ ପ୍ରଦୀପ କୁମାର ସାହୁ, ସିଲେଟପଡା ଗ୍ରାମ୍ୟ ବିକାଶ କମିଟି ସଭ୍ୟ ଜଳନ୍ଧର ଭୋଇ ଓ ଦ୍ରୋଣ ସାହୁ ଦାବୀ ଜଣାଇଛନ୍ତି ।

କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in