ପୁଇଗୁଡ଼ା ନଦୀ କଡ଼ରୁ ଅଜଣା ଯୁବକଙ୍କ ଶବ ଉଦ୍ଧାର, ହତ୍ୟା ସନ୍ଦେହ

ଲାଞ୍ଜିଗଡ଼: ଲାଞ୍ଜିଗଡ ବ୍ଲକ ପୁଇଗୁଡା ଗାଁ ନଦୀ କଡରେ ଜଣେ ଅଜଣା ଯୁବକଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ  ପଠାଇଛି ବିଜେପୁର ପୁଲିସ। ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ବୁଧବାର ସକାଳେ ବିଜେପୁର ଗ୍ରାମପଞ୍ଚାୟତ ସୀମାନ୍ତ ପୁଇଗୁଡା ଗାଁ ନିକଟରେ ବହିଯାଇଥିବା ନଦୀ କଡରେ ଜଣେ ଅଜଣା ଯୁବକଙ୍କ ଶବ ପଡିଥିବା ନେଇ ଖବର ମିଳିଥିଲା। ପରେ ଏନେଇ ବିଜେପୁର ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମାଝୀ ବିଜେପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ବିଜେପୁର ଥାନାଧିକାରୀ ପ୍ରଶାନ୍ତ କୋଲ୍‌ହାରସଙ୍କ ନେତୃତ୍ୱରେ ପୁଲିସ ଦଳ ଘଟଣାସ୍ଥଳକୁ ଯାଇ ଶବ ଜବତ କରିଥିଲେ। ଘଟଣାର ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ ଜାଣିବାକୁ ପାଇଥିବାବେଳେ ଅଜଣା ଯୁବ ସଂପର୍କରେ ଖୋଳତାଡ ଆରମ୍ଭ କରିଦେଇଛି। ମୃତ ଯୁବକଙ୍କ ବୟସ ୨୫ରୁ ୨୬ ବର୍ଷ ବୟସ ମଧ୍ୟରେ ହୋଇଥିବା ବୋଲି ଅନୁମାନ କରାଯାଉଥିବାବେଳେ ସେ ଏକ ନୀଳ ରଙ୍ଗର ଟି ସାର୍ଟ ଓ ଜିନ୍ସ ପ୍ୟାଣ୍ଟ ପିନ୍ଧିଛନ୍ତି। ତାଙ୍କ ବାମ ହାତରେ ଚିତା କୁଟାଯାଇ ଓଡିଆରେ ନାମ ଲେଖାଯାଇଥିବାବେଳେ ଏହା ଅସ୍ପଷ୍ଟ ରହିଛି। ଯୁବକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳି ପାରିନଥିବାବେଳେ ପୁଇଗୁଡା ଲାଞ୍ଜିଗଡ ବ୍ଲକର ଶେଷ ସୀମାନ୍ତରେ ଥିବାବେଳେ ନଦୀ ଆରପଟ ଥୁଆମୂଳ ରାମପୁରର ସୀମା ହୋଇଥିବାରୁ ସେଇ ଅଞ୍ଚଳର ବି ହୋଇଥାଇପାରନ୍ତି ବୋଲି କୁହାଯାଉଛି। ସେହିପରି ଶବ ପଡିଥିବା ପାଖରେ ତିନୋଟି ବିୟର ବୋତଲ, ଗ୍ଲାସ ଓ ଚାଖଣା ପଡିଥିବାବେଳେ ମଦ ପିଇସାରିବା ପରେ ଝଗଡାରୁ ହତ୍ୟା କିମ୍ବା ସୁପରିକଳ୍ପିତ ହତ୍ୟା କିଛି ବି ଜଣାପଡୁ ନାହିଁ। ଏପରିକି ବିଜେପୁର ଗ୍ରାମପଞ୍ଚାତର ଏହି ସୀମାନ୍ତ ଅଞ୍ଚଳରେ କିଛିଦିନ ହେଲା ବିଦ୍ୟୁତୀକରଣ କାମ ଚାଲୁଥିବାବେଳେ ଏଥିରେ କେସିଙ୍ଗା ଅଞ୍ଚଳର ଲୋକେ ଶ୍ରମିକ ଭାବେ କାମ କରୁଥିଲେ। ତେବେ ଅଜଣା ଯୁବକଙ୍କ ଶବ ମିଳିବା ପ୍ରଚାର ହେବାପରେ ସେମାନେ ମଧ୍ୟ କାମ ବନ୍ଦ କରିଦେଇଛନ୍ତି। ଏଣୁ ପୁଲିସ ସବୁ ଦିଗରୁ ତଦନ୍ତ କଲେ ଏ ସଂପର୍କରେ ଜଣାପଡିବ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ଏ ସଂପର୍କରେ ପୁଲିସର ତନାଘନା ଜାରି ରହିଥିବାବେଳେ ମୃତ ଯୁବକଙ୍କ ସଂପର୍କରେ କୌଣସି ସୂଚନା ପାଇଲେ ବିଜେପୁର ଥାନାଧିକାରୀ ପ୍ରଶାନ୍ତ କୋଲ୍‌ହାରସଙ୍କ ମୋବାଇଲ ନମ୍ବର ୮୮୯୫୫୭୯୪୦୦ରେ ତୁରନ୍ତ ଜଣାଇବାକୁ ସେ ଅନୁରୋଧ କରିଛନ୍ତି ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.