ଅନୁଗୁଳ,୮/୨: ବିଦ୍ୟାଳୟକୁ ଯାଉଥିବା ନାବାଳିକା ଭଉଣୀଙ୍କୁ ସଂପର୍କିୟ ଭାଇ ରାସ୍ତାରୁ ଉଠାଇ ନେଇ ଜଙ୍ଗଲ ଭିତରେ ବଳତ୍କାର କରିବା ପରି ଏକ ଅଭାବନିୟ ଘଟଣା ଘଟିଛି ଅନୁଗୁଳ ଥାନା ଅଞ୍ଚଳରେ ।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ବୁଧବାର ପୂର୍ବାହ୍ନରେ ନାବାଳିକା ଭଉଣୀ ସାଙ୍ଗମାନଙ୍କ ସହ ସ୍କୁଲ ଯାଉଥିଲେ । ଏହି ସମୟରେ ଅଭିଯୁକ୍ତ ସମ୍ପର୍କୀୟ ଭାଇ ସୁମିତ ସ୍ବାଇଁ ଓରଫ ସାଗର ଏକ ବାଇକ୍ (OD 19 J 6913)ରେ ଆସି ଭଉଣୀଙ୍କ ବେକରେ ଛୁରି ଲଗାଇ ତାଙ୍କ ସହ ଯିବାକୁ ବାଧ୍ୟ କରିଥିଲେ। ଭୟରେ ଭଉଣୀ ଗାଡ଼ି ପଛରେ ବସିବା ପରେ ସାଗର ଆଠଗଡ଼ ଦେଇ ତାଙ୍କୁ ଭୁବନେଶ୍ୱର ଅଭିମୁଖେ ନେଇଯାଇ ରାସ୍ତା ପାର୍ଶ୍ୱରେ ଥିବା ଆଠଗଡ ଜଙ୍ଗଲ ମଧ୍ୟରେ ଭଉଣୀଙ୍କୁ ବଳାତ୍କାର କରିଥିଲେ। ପରେ ତାଙ୍କୁ ରାଜ୍ୟ ବାହାରକୁ ନେଇଯିବାକୁ ଭୁବନେଶ୍ୱର ଷ୍ଟେଶନରେ ଟ୍ରେନ୍କୁ ଅପେକ୍ଷା କରିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ପିଛା କରୁଥିବା ଅନୁଗୋଳ ପୋଲିସ ସେଠାରେ ପହଞ୍ଚି ସାଗରଙ୍କୁ ଗିରଫ କରିବା ସହ ନାବାଳିକାଙ୍କୁ ଉଦ୍ଧାର କରି ଉଭୟଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା। ଅଭିଯୁକ୍ତ ସାଗର ନିଜ ଦୋଷ ସ୍ବୀକାର କରିବା ସହ ସମ୍ପର୍କୀୟ ଭଉଣୀଙ୍କୁ ପୂର୍ବରୁ ଭଲ ପାଉଥିବା ଓ ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ତିକ୍ତତା ଦେଖାଦେବାରୁ ରାଗରେ ଏପରି କରିଥିବା ପୋଲିସକୁ କହିଥିଲେ। ଅପରପକ୍ଷରେ ସମ୍ପୃକ୍ତା ନାବାଳିକା ଭଉଣୀ ଥାନାରେ ବଳାତ୍କାର ଅଭିଯୋଗ କରିବା ପରେ ପୋଲିସ ୯୩/୧୯ରେ ଏକ ମାମଲା ରୁଜୁ କରିବା ସହ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉଭୟଙ୍କ ଡାକ୍ତରୀ ମାଇନା କରିଥିଲା। ଗୁରୁବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ପ୍ରକାଶ କରିଛନ୍ତି।