ଭୁବନେଶ୍ୱର,୮/୨: ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ରାଜ୍ୟ ସରକାର ସମସ୍ତ ଭିତ୍ତିଭୁମି ନିର୍ମାଣ ଓ ଅନ୍ୟାନ୍ୟ ଆନୁଷଙ୍ଗୀକ ସୁବିଧା ସକାଶେ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ବଜେଟରେ ଭିତ୍ତିଭୁମି ନିର୍ମାଣ ସକାଶେ ୫ କୋଟି ଟଙ୍କାର ବ୍ୟୟ ବରାଦ କରିଥିବା ନେଇ ଅର୍ଥମନ୍ତ୍ରୀ ଶଶୀ ଭୁଷଣ ବେହେରା ଶୁକ୍ରବାର ବିଧାନସଭା ଠାରେ ଘୋଷଣା କରିଛନ୍ତି । ମାନ୍ୟବର ମନ୍ତ୍ରୀ କହିଛନ୍ତି ଯେ, ପଶ୍ଚିମ କିମ୍ବା ଦକ୍ଷିଣ ଓଡିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ କରିବା ପାଇଁ କେନ୍ଦ୍ର ସରକାର ଅନୁମୋଦନ କରିବା ମାତ୍ରେ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ।
ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାଦୁଅ ଫୋପଡା ରାଜନୀତି ଭିତରେ ଅସ୍ପଷ୍ଟ ହାଇକୋର୍ଟ ବେଞ୍ଚ
ଏଠାରେ ସୂଚନା ଯୋଗ୍ୟ ଯେ ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନକୁ ନେଇ ବିଭିନ୍ନ ଜିଲ୍ଲାର ଓକିଲ ସଂଘ ଆନ୍ଦୋଳନ ଚଳାଇଥିବା ବେଳେ ଏ ନେଇ ରାଜନୀତି ମଧ୍ୟ ଜୋର ଜୋର ଧରିଛି। କେନ୍ଦ୍ର ଓ ରାଜ୍ୟ ସରକାର ପରସ୍ପର ଉପରକୁ ଦାୟିତ୍ୱ ଠେଲିବାରେ ଲାଗିଛନ୍ତି। ରାଜ୍ୟ ସରକାର ହାଇକୋର୍ଟ ବେଞ୍ଚ ସ୍ଥାପନ କରିବା ପାଇଁ କେନ୍ଦ୍ର ପଦକ୍ଷେପ ନେଉ ବୋଲି ଦାବି କରୁଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ପାଲଟା ରାଜ୍ୟ ଉପରେ ଏହି ଗୁରୁଦାୟିତ୍ୱ ନ୍ୟସ୍ତ କରି ଦେଇଛନ୍ତି ।
କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ୨୦୧୮ ଜାନୁୟାରୀ ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ବେଞ୍ଚ ସ୍ଥାପନ ପାଇଁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ପରାମର୍ଶ କରିବାକୁ ପରାମର୍ଶ ଦେଇଥିଲେ।
ପଶ୍ଚିମ କିମ୍ବା ଦକ୍ଷିଣ ଓଡିଶାର ଯେକୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ସ୍ଥାପନ କରିବା ନେଇ ଆବଶ୍ୟକ ପଦକ୍ଷେପ ନେବା ସକାଶେ ୨୦୧୯ ଜାନୁୟାରୀ ୧୧ ତାରିଖରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଚିଠି ଲେଖିଥିଲେ। ଏହାର ଜବାବରେ ରବି ଶଙ୍କର ଚିଠିରେ ଉଲ୍ଲେଖ କରିଥିଲେ ଯେ, କେନ୍ଦ୍ର ସରକାର ନେଉଥିବା ପଦକ୍ଷେପ ସମ୍ପର୍କରେ ୨୦୧୮ ସେପ୍ଟେମ୍ବର ୧୦ ତାରିଖରେ ରାଜ୍ୟ ସରକାରଙ୍କୁ ଜଣାଇଥିଲେ। ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ଜଶଓ୍ବନ୍ତ ସିଂ କମିଶନ ସୁପାରିଶ ସହ ସୁପ୍ରିମକୋର୍ଟର ବିଚାର ବ୍ୟବସ୍ଥା ର ଡବ୍ଲୁପି ନଂ ୩୭୯ /୨୦୦୦ ଅନୁଯାୟୀ ବିଚାର କରାଯାଇଛି ।
ମୁଖ୍ୟ ବିଚାର ପତି ହାଇକୋର୍ଟ ବେଞ୍ଚର ମୁଖ୍ୟ। ରାଜ୍ୟରେ ହାଇକୋର୍ଟ ଦୈନିକ ପ୍ରଶାସନିକ ବ୍ୟବସ୍ଥା ଚଳାଇବା ଏବଂ କୌଣସି ବେଞ୍ଚ ସ୍ଥାପନ କରିବା ତାଙ୍କର ଦାୟିତ୍ୱ। କୌଣସି ନୂତନ ବେଞ୍ଚ ସ୍ଥାପନ କରିବା ପୂର୍ବରୁ ମୁଖ୍ୟ ବିଚାର ପତିଙ୍କ ସହିତ ପରାମର୍ଶ କରିବା ଦକରାର ଯାହାକି ଯେ କୌଣସି ହାଇକୋର୍ଟ ସ୍ଥାପନ କ୍ଷେତ୍ରରେ ତାହାହିଁ ହୋଇଛି। ହାଇକୋର୍ଟଙ୍କ ସହମତି ହେଲା ପରେ ରାଜ୍ୟ ସରକାର ନୂତନ ବେଞ୍ଚ ସ୍ଥାପନ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ରବି ଶଙ୍କର ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଭିତ୍ତିଭୁମି ଓ ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ ଅର୍ଥ ବ୍ୟବସ୍ଥା କରି ରାଜ୍ୟ ସରକାର କେନ୍ଦ୍ର ଉପରେ ଦାୟିତ୍ୱ ନ୍ୟସ୍ଥ କରିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାଦୁଅ ଫୋପଡା ରାଜନୀତି ଭିତରେ ପଶ୍ଚିମ ଓଡିଶାରେ ହାଇ କୋର୍ଟ ବେଞ୍ଚ ସ୍ଥାପନ ନେଇ ଅଡୁଆ ସୂତାର ଖିଅ ବଢିବାରେ ଲାଗିଛି ।