ଭଦ୍ରକ,୧୦/୨: ମେଲୋଡି ଗାୟିକା ପ୍ରଭାତୀ ଜେନା (୨୨) ଆତ୍ମହତ୍ୟା କରିଛନ୍ତି । ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧୀନ ପଦ୍ମପୋଖରୀ ଗ୍ରାମ ସ୍ଥିତ ତାଙ୍କ ବାସଭବନରୁ ପୋଲିସ ପ୍ରଭାତୀଙ୍କ ମୃତ ଦେହ ଉଦ୍ଧାର କରିଛି । ମେଲୋଡି କୁଇନ ଭାବେ ପ୍ରଭାତୀଙ୍କ ବେଶ ସୁନାମ ଥିଲା ।
ପୋଲିସ ସୂଚନା ଅନୁସାରେ, ଶନିବାର ସକାଳେ ପ୍ରଭାତୀ ତାଙ୍କ ଭାଇଙ୍କୁ ଅନ୍ୟ କୋଠରିକୁ ପାଠ ପଢ଼ିବା ପାଇଁ ପଠାଇ ଦେଇ ନିଜ ଓଢ଼ଣୀ ବେକରେ ଲଗାଇ ଫ୍ୟାନରେ ଝୁଲି ପଡ଼ିଥିଲେ।
ମୃତ୍ୟୁ ପୂର୍ବରୁ ଏକ ସୁଇସାଇଡ ନୋଟରେ ମୃତଦେହକୁ ନ ପୋଡ଼ି ପୋତି ଦେବାକୁ ଅନୁରୋଧ କରିଛନ୍ତି ପ୍ରଭାତୀ । ଏଥିସହ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ବୋଲି ସେଥିରେ ଲେଖା ରହିଛି। ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ। ସେ ତାଙ୍କ ମୋବାଇଲରୁ ସମସ୍ତ କଲ୍ ରେକର୍ଡ ଓ ହ୍ବାଟସଆପ୍ ଚାଟିଂ ଡିଲିଟ କରି ଦେଇଥିବା ତଦନ୍ତ ବେଳେ ଜଣାପଡ଼ିଛି। ଧାମନଗର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ. ୪/୧୯) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରାଇଛି। ଘଟଣାର ତଦନ୍ତ ଜାରି ରହିଥିବା ପୋଲିସ କହିଛି। ପ୍ରାରମ୍ଭିକ ତଦନ୍ତରୁ ଏହା ପଛରେ ପ୍ରେମ ପ୍ରତାରଣା ଥିବା ସଂଦେହ କରିଛି ପୋଲିସ ।