କୁଟିଆ କନ୍ଧଙ୍କ ଗାଁ କୁଲାନାଲ ର ବେଦନା (Visual News)

କଳାହାଣ୍ଡି,୧୦/୨: ବଣ ପାହାଡ ଭିତରେ ଆଜିବି ଲୋକେ କିପରି ଜୀବନ ଜାପନ କରୁଛନ୍ତି, ସେମାନଙ୍କ ସମସ୍ୟା ସବୁ କ’ଣ ରହିଛି ଏସବୁ ଜାଣିବା ପାଇଁ ଓଡିଆ ବାର୍ତ୍ତା ଟିମ୍ ପହଞ୍ଚିଥିଲା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଲାଞ୍ଜି ପଞ୍ଚାୟତର କୁଲାନାଲ ଗାଁରେ । ୪୫ଟି କୁଟିଆ କନ୍ଧ ପରିବାର ରହୁଥିବା ଏହି ଗାଁ ସମସ୍ୟାର ଚାରି ଛକରେ ବନ୍ଧା ପଡିଛି । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ, କୃଷି, ପଶୁପାଳନ ସବୁ ଦୃଷ୍ଟିରୁ ଏହିଗାଁ ଅବହେଳିତ ହୋଇ ରହିଛି ।

ଗାଁରେ ବିଦ୍ୟାଳୟ ନାହିଁ, ଗାଁର ଶିଶୁ ମାନେ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ଅନ୍ୟ ଗାଁକୁ ପଢିବାକୁ ଗଲେ ୩ଟି ନାଳ ପାରି ହେବାକୁ ପଡେ । ଛୋଟ ପିଲା ଦୂର ଗାଁକୁ ପଢିବାକୁ ଯାଇ ପାରନ୍ତି ନାହିଁ ୮/୯ ବର୍ଷର ପିଲା ହିଁ ବାହାରକୁ ପଢିବାକୁ ଯାଅାନ୍ତି । ବର୍ଷା ଦିନେ ଗମନା ଗମନ ସହ ପିଲାଙ୍କ ପାଠରେ ଡୋରି ବନ୍ଧା ହୁଏ । ଏହି ଗାଁରେ ସରକାର ବିଦ୍ୟାଳୟଟିଏ ପ୍ରକିଷ୍ଠା କରିପାରି ନଥିବା ବେଳେ ସମାଜସେବୀ ଧମେନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେ ଓ ମୁସାନାଲ ପୁରାତନ ଛାତ୍ର ସଂସଦଙ୍କ ଉଦ୍ୟମରେ ଗାଁର ପିଲାଠୁ ବୁଢା ଯାଏଁ ସମସ୍ତଙ୍କୁ ଗୋଟିଏ ଜାଗାରେ ରଖି ଅକ୍ଷର ସିଖା ଯାଉଛି । ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦାବି ହେଉଛି ।

ଆଦିବାସୀଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରି ବାହୋସ୍ପଟ ମାରୁଥିବା ରାଜ୍ୟ ସରକାରଙ୍କୁ ଉପହାସ କରୁଛି ଏହି ଗାଁ । ଗ୍ରାମର କୌଣସି ଗୋଟିଏ ପରିବାରକୁ ମଧ୍ୟ ଜଙ୍ଗଲ ଜମି ପଟ୍ଟା କିମ୍ବା ଭୂମିହିନ ପଟ୍ଟା ମିଲିନାହିଁ । ଗାଁର କେହିବି କାଳିଆ ଯୋଜନା ର ଟଙ୍କା ପାଇ ନାହାନ୍ତି । ପୁଷ୍ଟି ହିନତାର ଶିକାର ହେଉଛନ୍ତି ଶିଶୁ, ରୋଗ ବଇରାଗ ଲାଗି ରହୁଛି । ଗାଁର ଆଖ ପାଖରେ ଡାକ୍ତରଖାନା ଟିଏ ନାହିଁ । ଏଠାରୁ ୨୨କିମି ଦୂର ବିଶ୍ବନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରହିଛି । ଏତେ ଦୂରକୁ ଚିକିତ୍ସାପାଇଁ ଯାଇନପାରି ରୋଗ ବେମାରରେ ଘାଣ୍ଟି ହୁଅନ୍ତି ଆଦିବାସୀ । ଆବାସ ଯୋଜନା ଏଠାରେ ବଟବଣା ହେଇଛି ଗାଁର ୪୫ଟି ମାଟିଘର ମଧ୍ୟ ମାତ୍ର ୧୦ ଜଣଙ୍କୁ ମିଳିଛି ଆବାସ ଯୋଜନାର ଗୃହ । କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ଏଠାରେ ଫେଲ ମାରିଛି । ଆଦିବାସୀଙ୍କ ବିକାଶ ନାମରେ ଆସୁଥିବା କୋଟି କୋଟି ଟଙ୍କା ହରିଲୁଟ ହେଉଛି କିନ୍ତୁ କୁଲାନାଲ ପରି ଆଦିବାସୀ ଗାଁ ପ୍ରତି କାହାର ଦରଦ ନାହିଁ ।

ଗାଁର ମୂଖ୍ୟ ସମସ୍ୟା ହେଉଛି ପାନୀୟ ଜଳ । ୪ ବର୍ଷ ହେଲା ନଳକୂପ ଖରାପ ହୋଇଥିବାରୁ ନାଳ ପାଣି ପିଉଛନ୍ତି ଲୋକେ । ନଳକୂପ ମରାମତି ପାଇଁ ବାରମ୍ବାର ସରପଞ୍ଚ ଓ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଲୁନାହିଁ ।

ଗାଁ ଲୋକେ ପୋଡୁ ଚାଷ ଓ ଜଙ୍ଗଳ ଜାତ ଦ୍ରବ୍ୟ ଉପରେ ନିର୍ଭର କରି ଚଳନ୍ତି । ପାହାଡିଆ ଅଞ୍ଚଳ ହୋଇଥିବା ଯୋଗୁଁ ଗ୍ରାମରେ ଥିବା ଜମିରେ ଭଲ ଚାଷ ହୁଏ ନାହିଁ । ଯେଉଁଠି ମଣିଷର ତୃଷ୍ଣା ମେଣ୍ଟାଇବାକୁ ଅକ୍ଷମ ରାଜ୍ୟ ସରକାର ସେଠାରେ କୃଷି ପାଇଁ ଜଳ ସେଚନର କଥା ପଚାରେ କିଏ । ବିସ୍ତିର୍ଣ୍ଣ ଚାରଣ ଭୂମି ଥିଲେ ମଧ୍ୟ ଏହି ଗାଁକୁ ପଶୁ ପାଳନ ବିଭାଗ କିମ୍ବା ପ୍ରଶାସନ ପ୍ରୋତ୍ସାହନ ଯୋଗାଇ ଦେଉନାହିଁ । ପୋଡୁ ଚାଷ ଓ ଜଙ୍ଗଳ ଜାତ ଦ୍ରବ୍ୟ ସଂଗ୍ରହ କରି ବିତୁଛି କୁଟିଆ କନ୍ଧଙ୍କ ଜୀବନ । ସ୍ବାଧୀନ ଭାରତରେ ରହୁଥିଲେ ମଧ୍ୟ ଗଣତନ୍ତ୍ରର ପ୍ରକୃତ ଲାଭ ପାଇପାରି ନାହାନ୍ତି ଏହି ଗାଁର ଆଦିବାସୀ । ଦେଶ ସ୍ବାଧୀନ ହେବାର ୭୨ ବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଏହି ଗାଁରେ କେବେ ଉଡିନଥିଲା ଜାତୀୟ ପତାକା । ଏବର୍ଷ ପ୍ରଥମ କରି ସ୍ବତନ୍ତ୍ରତା ଦିବସରେ ଉଡିଛି ତ୍ରିରଙ୍ଗା ।

ଏଠାରେ ସୂଚନା ଯୋଗ୍ୟଯେ ଲାଞ୍ଜିଗଡ ବିଧାୟକ ବଳଭଦ୍ର ମାଝୀଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏହି ଗାଁ ଲାଞ୍ଜି ପଞ୍ଚାୟତ ଅଧୀନରେ ଯାଉଛି । ବଳଭଦ୍ରଙ୍କ ଗାଁ ମଧ୍ୟ ପୂର୍ବରୁ ଲାଞ୍ଜି ପଞ୍ଚାୟତ ଅଧୀନରେ ଯାଉଥିଲା ଏବେ ବନ୍ଧପାରି ପଞ୍ଚାୟତ ଅଧୀନରେ ଯାଉଛି । ବିଧାୟକ ବଳଭଦ୍ର ମାଝୀଙ୍କ ନାକ ତଲେ ଥାଇ ମଧ୍ୟ ସେ କିପରି ଏହି ଅଞ୍ଚଳର ବିକାଶ କରାଇପାରିଲେ ନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଗାଁର ସମସ୍ୟା ପ୍ରତି ପ୍ରଶାସନ ଓ ଜନ ପ୍ରତିନିଧି ମାନେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

ସ୍ବତନ୍ତ୍ର ପ୍ରତିନିଧି ନିରଞ୍ଜନ ଗଉଡଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.