ନର୍ଲାରୋଡରେ କିନ୍ନରଙ୍କ ସାବିତ୍ରୀ ବ୍ରତ, ଜାଣନ୍ତୁ କାହାପାଇଁ ଏହି ବ୍ରତ କରିଥାନ୍ତି କିନ୍ନର

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ସଧବା ହିନ୍ଦୁ ନାରୀ ସ୍ୱାମୀର ମଙ୍ଗଳ ମନାସୀ, ଦୀର୍ଘାୟୁ କାମନା କରି ଉପବାସରେ ରହି ସାବିତ୍ରୀ ବ୍ରତ ପାଳିଥାଏ । ଏହି କ୍ରମରେ କଳାହାଣ୍ଡି ଜିଲ୍ଲାର ପୁର ପଲ୍ଲୀରେ ସାବିତ୍ରୀ ବ୍ରତ ପାଳନ ହୋଇଯାଇଛି। ନର୍ଲାରୋଡରେ ସେବାକରୀ କିନ୍ନର ସଂଘର ସଦସ୍ୟ ମାନେ ଆଜି ନର୍ଲାରୋଡ ଶିବ ମନ୍ଦିର ସ୍ଥିତ ବଟବୃକ୍ଷ ମୂଳରେ ସାବିତ୍ରୀ ବ୍ରତ ପାଳନ କରୁଥିବା ଦେଖିବାକୁ ମିଳିଥିଲା । ପୁରାଣ ବର୍ଣ୍ଣିତ କଥାନୁଯାୟୀ ଅଶ୍ୱପତି ରାଜାଙ୍କର ସୁପୁତ୍ରୀ ସାବିତ୍ରୀ ଜଣେ ଅଳ୍ପାୟୁ ରାଜ କୁମାର ସତ୍ୟବାନଙ୍କୁ ପତି ରୁପରେ ବରଣ କଲେ । ବିବାହର କଛିଦିନ ପରେ ରାଜ କୁମାର ସତ୍ୟବାନ ଜଙ୍ଗଲକୁ ଯିବା ପାଇଁ ଚାହିଁବାରୁ ତାଙ୍କ ସହ ତାଙ୍କ ସହଧର୍ମିଣୀ ସାବିତ୍ରୀ ମଧ୍ୟ ଜଙ୍ଗଲକୁ ଯାଇଥିଲେ । ସେଠାରେ ସତ୍ୟବାନଙ୍କ ମୃତ୍ୟୁ ହୋଇଥିଲା । ଯମରାଜ ଆସି ସତ୍ୟବାନକୁ ନେଇଯିବା ପାଇଁ ଚାହିଁବାରୁ ତାଙ୍କଠାରୁ ନମ୍ର, ଭଦ୍ର ବ୍ୟବହାର ପ୍ରଦର୍ଶନ ଓ ଚତୁରତାର ସହ ପିତୃ ଗୃହ, ଶଶୁରାଳୟର ମଙ୍ଗଳ ସାଧନ ନିମନ୍ତେ ବର ମାଗି ସତ୍ୟବାନଙ୍କୁ ମଧ୍ୟ ଯମରାଜାଙ୍କ ନିକଟରୁ ଚତୁରତାର ସହ କୌଶଳ କ୍ରମେ ଛଡାଇ ଆଣିଥିଲେ । ସାବିତ୍ରୀଙ୍କ ପତିବ୍ରତା ଆଗରେ ଯମରାଜା ମଧ୍ୟ ହାର ମାନିଥିଲେ । ଏଣୁ ସାବିତ୍ରୀଙ୍କୁ ମହାସତୀ ବୋଲି ମଧ୍ୟ କୁହାଯାଏ । ସେହି ଦିନ ଠାରୁ ପ୍ରତ୍ୟେକ ହିନ୍ଦୁ ଓଡିଆ ପରିବାରର ବୋହୁ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି । ସ୍ୱାମୀର ମଙ୍ଗଳ ମନାସୀ ଥାନ୍ତି ।


ଜ୍ୟେଷ୍ଠ ଅମାବାସ୍ୟା ତିଥିରେ ସାବିତ୍ରୀ ବ୍ରତ ପାଳିତ ହୋଇଥାଏ । ଏଣୁ ଆଜି ଘରେ ଘରେ ସାବିତ୍ରୀ ବ୍ରତ ପାଳନ କରାଯାଉଛି । ନର୍ଲା ଅଞ୍ଚଳର ଚାରିଛକ ସ୍ଥିତ ଜଗନ୍ନାଥ ମନ୍ଦିର, ନର୍ଲାରୋଡ ଶିବ ମନ୍ଦିର, ନର୍ଲା ବସ୍ତି ମଧ୍ୟସ୍ଥ ଶିବ ମନ୍ଦିର, ସର୍ଗିଗୁଡା ପ୍ରହରୀ ମଣ୍ଡପ ପ୍ରଭୃତି ଧାର୍ମିକ ସ୍ଥାନରେ ମହିଳା ମାନେ ସମବେତ ହୋଇ ସାବିତ୍ରୀ ବତ ପୂଜା କରି ଆସୁଥିଲେ । ହେଲେ ଚଳିତ ବର୍ଷ କୋଭିଡ କଟକଣା ହେତୁ ଯାହା ଘରେ ସିଏ ଏହି ବ୍ରତ ପାଳନ କରୁଛନ୍ତି । ଇଏ ତ ଗଲା ସଧବା ମହିଲା ସାବିତ୍ରୀ ବ୍ରତ ପାଳନ ଏକ ପରମ୍ପରା ଯୁକ୍ତ ପ୍ରକ୍ରୀୟା । ହେଲେ ଆଜି ନର୍ଲାରୋଡ ଶିବ ମନ୍ଦିର ପାଶ୍ୱସ୍ଥ ବଟ ବୃକ୍ଷ ମୂଳରେ ନର୍ଲାରୋଡ କିନ୍ନର ମାନେ ସାବିତ୍ରୀ ବ୍ରତ ପୂଜା କରିଛନ୍ତି ।


ପୂଜକ ପଣ୍ଡିତ ଭାବରେ ବୃନ୍ଦାବନ ମିଶ୍ର ପୂଜନ କାର୍ଯ୍ୟ ସମ୍ପାଦନା କରିଥିବା ବେଳେ କଳାହାଣ୍ଡି ଜିଲ୍ଲା ସେବାକାରୀ କିନ୍ନର ସଂଘର ସଭାପତି କାମିନୀ କିନ୍ନରଙ୍କ ନେତୃତ୍ୱରେ ପାୟଲ, ମୁସ୍କାନ, ବୁଲବୁଲ, ରୀତା, ବିନୁ, ଆରତୀ, କାଜଲ କିନ୍ନର ପ୍ରମୁଖଙ୍କ ସମେତ ୧୩ ଜଣ କିନ୍ନର ବଟସାବିତ୍ରୀ ପୂଜା କରିଥିଲେ । ସଧବା ନାରୀ ନିଜ ସ୍ୱାମୀର ମଙ୍ଗଲ ମନାସୀ ସାବିତ୍ରୀ ପୂଜା କରି ବ୍ରତ ବାନ୍ଧିଥାନ୍ତି । ହେଲେ ଆପଣ ମାନେ କାହା ପାଇଁ ସାବିତ୍ରୀ ପୂଜା କରୁଛନ୍ତି ବୋଲି ପ୍ରଶ୍ନ କରିବାରୁ ସେବାକାରୀ କିନ୍ନର ସଂଘର ସଭାପତି କାମିନୀ କିନ୍ନର କହିଛନ୍ତି ଯେ ଆମ କିନ୍ନର ମାନଙ୍କର ଗୁରୁ ଚେଲାର ପରମ୍ପରା ରହିଛି । ପ୍ରତ୍ୟେକ କିନ୍ନରଙ୍କର ଜଣେ ଗୁରୁ ରହିଛନ୍ତି । ଗୁରୁ ହିଁ ଆମର ସର୍ବେସର୍ବା । ଏଣୁ ଆମେ କିନ୍ନର ମାନେ ଆଜି ଦିନରେ ଗୁରୁଙ୍କ ମଙ୍ଗଳ ମନାସୀ, ଗୁରୁଙ୍କ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପାଳନ କରିଥାଉ । ଏହା ଆଜିର ପରମ୍ପରା ନୁହଁ । ଦୀର୍ଘ ଦିନରୁ ଏହି ପରମ୍ପରା ଚାଲି ଆସୁଛି ବୋଲି କାମିନୀ ମତବ୍ୟକ୍ତ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.