ଶବ ସତ୍କାର ନୋହିଲା, ଜଙ୍ଗଲରେ ଫିଙ୍ଗିଦେଲେ ଶବ

କଳାହାଣ୍ଡି, (ହେମନ୍ତ ସାହୁ): ନିଜର ଏକ ସୁଖର ସଂସାର ଥିଲା । କୋଉ ଏକ ଅଜଣାରୋଗରେ ଆକ୍ରାନ୍ତ ହେବା ପରେ ମହିଳାଜଣକଙ୍କ ଜୀବନହାନୀ ହେଲା । ହେଲେ କେହି ସାହି ଭାଇ ଆସିଲେନି ଶବ ସତ୍କାର କରିବାକୁ, ଉପାୟ ନ ପାଇ ଗାଁ ନିକଟରେ ଥିବା ଜଙ୍ଗଲରେ ଶବକୁ ଫିଙ୍ଗିଦେଇ ଆସିଲେ ପରିବାର ଲୋକେ । ଏବେ ଘଟଣାଟି ପଦାକୁ ଆସିଛି । ସୂଚନା ମୁତାବକ କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ମୋହନଗିରୀ ତେଜିପଡ଼ା ଗ୍ରାମ ଟିକ୍ରାପଡ଼ା ଗ୍ରାମର ହଳଧର ବରିହାଙ୍କ ପତ୍ନୀ ଝରା ବରିହା(୪୭)ଙ୍କ ଆଜକୁ ୯ ଦିନ ତଳେ ମୃତ୍ୟୁ ହେଇଥିଲା । ତେବେ ସେ ଏକ ଅଜଣାରୋଗରେ ମୃତ୍ୟୁ ବରଣ କରିଥିବାରୁ ତାଙ୍କ ଶବକୁ ବନ୍ଧୁବାନ୍ଧବମାନେ ସତ୍କାର କରିବାରେ ସହଯୋଗ କରିବାକୁ ମନା କରିଦେଇଥିଲେ ।

ପରେ ବାଧ୍ୟ ହେଇ ପରିବାର ଲୋକେ ଏକ ଖଟିଆ ସାହାଯ୍ୟରେ ନିକଟସ୍ଥ ଟେକର ଜଙ୍ଗଲକୁ ନେଇ ଫିଙ୍ଗିଦେଇଥିଲେ । ଶବକୁ ଫିଙ୍ଗିଦେଇ ତା ଉପରେ ଗଛ ଡ଼ାଳ ଢାଙ୍କିଦେଇଥିଲେ । ଏବେ ଘଟଣାଟି ଲୋକଲୋଚନକୁ ଆସିଛି । ଶବକୁ ଫିଙ୍ଗିଥିବା ସ୍ଥାନରେ ଖଟ ପଡ଼ିଥିବାବେଳେ ମୃତକଙ୍କ ହାଡ଼, ଖପୁରୀ ଆଦି ଇତସ୍ତତଃ ପଡ଼ି ରହିଛି । କାହିଁକିି ଏମିତି କଲ ବୋଲି ପଚାରିବାରୁ ମୃତକଙ୍କ ସ୍ୱାମୀ କେହି ସହଯୋଗ ନ କରିବାରୁ ଶବକୁ ନେଇ ଜଙ୍ଗଲରେ ଫିଙ୍ଗିଦେଇଛୁ ବୋଲି କହିଛନ୍ତି । ତେବେ ରୋଗରେ ପଡ଼ିଥିବାବେଳେ ତାଙ୍କ ସ୍ୱାମୀ ତାଙ୍କୁ ବଲାଙ୍ଗୀର ନେଇ ଅନେକ ଅର୍ଥ ଖର୍ଚ୍ଚ କରି ଚିକିତ୍ସା କରାଇଥିଲେ ହେଁ ସେ ଭଲ ହେଇନଥିଲେ । ପରେ ପରେ ଗତ ୯ ଦିନ ତଳେ ସେ ଆଖିବୁଜିଲେ । ଏବେ ପରିବାରରେ ତାଙ୍କରି ଚାରୋଟି ପୁଅଝିଅ ରହିଛନ୍ତି । ତେବେ ରୋଗର ଭୟରେ ଶବକୁ ଜଙ୍ଗଲରେ ଫିଙ୍ଗିଦେବା ଏବେ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.