ପାଟନା,୧୩।୧୧: ବିହାରର ମହାପାର୍ବଣ ‘ ଛଟ୍ ‘ ପାଇଁ ରାଜ୍ୟ ସାରା ଉତ୍ସବର ମାହୋଲ । ଚାରି ଦିନ ବ୍ୟାପି ପାଳିତ ହେଉଥିବା ଏହି ମହା ପର୍ବ ଅତ୍ୟନ୍ତ ନିଷ୍ଠା ସହକାରେ ପାଳନ କରାଯାଇଥାଏ । ଏହି ପର୍ବକୁ ସାଧାରଣ ଜନତା ଠାରୁ ଆରମ୍ଭ କରି ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କ ପରିବାର ପାରଂପାରିକ ବିଧିବିଧାନ ସହକାରେ ପାଳନ କରିଥାନ୍ତି । କାର୍ତିକ ଶୁକ୍ଲ ପକ୍ଷ ଚତୁର୍ଥୀରୁ ଆରମ୍ଭ ହୋଇଥିବା ଛଟ୍ ପର୍ବ ବିହାର ରାଜନୀତିର ଦୁଇ ତୁଙ୍ଗ ନେତା ଲାଲୁ ଯାଦବ ଓ ନିତିଶ କୁମାରଙ୍କ ଘରେ ଦେଖିବାକୁ ମିଲିଛି ଅଲଗା ଅଲଗା ପରିବେଶ । ମୂଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଘରେ ଉତ୍ସବର ମାହୋଲ ସହ ନେତାଙ୍କ ସୁଅ ଛୁଟିବାରେ ଲାଗିଥିଲା । ଏପଟେ ଲାଲୁ ଯାଦବଙ୍କ ଘର ଖାଁ ଖାଁ ।
ଦୂର୍ନିତି ଅଭିଯୋଗରେ ଜେଲରେ ଥିବା ଲାଲୁ ଛଟ୍ ପୂଜାପାଇଁ ବିହାର ଜନତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଲାଲୁଙ୍କ ବଡ ପୁଅ ଜେତ ପ୍ରତାପ ପତ୍ନୀ ଐଶ୍ୱର୍ଯ୍ୟାଙ୍କ ଠାରୁ ଅଲଗା ହେବା ମାମଲାକୁ ନେଇ ଏବେ ବୃନ୍ଦାବନରେ ସମୟ କାଟୁଥିବା ବେଳେ ସୋମବାର ଗୋବର୍ଦ୍ଧନ ପର୍ବତ ପରିକ୍ରମା କରିଥିଲେ। ଏହି ପର୍ବତ ପରିକ୍ରମା କଲେ ମନୋକାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ତେଜ ପ୍ରତାପ ବିନା ଖାଦ୍ୟପାଣିରେ ଦୀର୍ଘ ୨୧ କିଲୋମିଟର ବାଟ ଖାଲି ପାଦରେ ଚାଲି ଚାଲି ଯାଇଥିଲେ। ଦୀର୍ଘ ପ୍ରାୟ ୬ଘଣ୍ଟା କାଳ ଖାଲି ପାଦରେ ଓ ଖାଲି ପେଟରେ ପରିକ୍ରମା କରିବା ପରେ ସେ ଅସୁସ୍ଥ ହୋଇ ପଡିଥିବା ସୂଚନା ମିଳିଛି। ଏବର୍ଷ ରାବ୍ରୀ ଦେବୀ ଛଟ୍ ପୂଜା କରିବେ ନାହିଁ ବୋଲି ଆଗରୁ କହିଥିଲେ ।