ଆକର୍ଷଣୀୟ ଚେହେରା ଓ ନିଖୁଣ ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ ଆଜି ବି ମଧୁବାଲାଙ୍କର ରହିଛି ଏକ ସ୍ୱତନ୍ତ୍ର ସ୍ଥାନ। ୧୯୩୩ ମସିହା ଭାଲେଂଟାଇନ ଡେ’ରେ ମଧୁବାଲାଙ୍କ ଜନ୍ମ ହୋଇଥିଲା ଏକ ମୁସଲମାନ୍ ପରିବାରରେ। ତାଙ୍କର ପ୍ରକୃତ ନାମ ଥିଲା ମୁମତାଜ ଜହାଁ ବେଗମ। ସେ ୧୧ ଭାଇ ଓ ଭଉଣୀ ମାନଙ୍କ ମଧ୍ୟରେ ପଂଚମ ସନ୍ତାନ ଥିଲେ।
ସେ ଛୋଟ ଥିବା ସମୟରେ ଜଣେ ଭବିଷ୍ୟବାଣୀ କରିଥିଲେ ଯେ ଏହି ଝିଅ ବହୁ ଯଶ ଓ ଧନ ଅର୍ଜନ କରିବ, କିନ୍ତୁ ଜୀବନରେ କେବେ ଖୁସି ପାଇବ ନାହିଁ। ତାକୁ କେବେ ମଧ୍ୟ ବାସ୍ତବ ପ୍ରେମ ମିଳିବ ନାହିଁ। କମ ବୟସରେ ମୃତ୍ୟୁ ହେବା କଥା ମଧ୍ୟ ଭବିଷ୍ୟବାଣୀ କରିଥିଲେ। ପରେ ଏହି ସମସ୍ତ କଥା ସତ୍ୟ ପ୍ରମାଣିତ ହୋଇଥିଲା।
ମଧୁବାଲା ଖୁବ ସୁନ୍ଦର ଥିଲେ। ତାଙ୍କୁ ଯିଏବି ଦେଖୁଥିଲା, ସେ ଦିୱାନା ହୋଇ ଯାଉଥିଲା। ମଧୁବାଲାଙ୍କର ତୁଳନା ହଲିଉଡର ଅଭିନେତ୍ରୀ ମାର୍ଲିନ ମୁନରୋଙ୍କ ସହିତ କରାଯାଏ। ସେ ଯେଉଁ ନାୟକ ଏବଂ ନିର୍ଦ୍ଦେଶକଙ୍କ ସହିତ କାମ କରୁଥିଲେ, ସେମାନେ ମଧ୍ୟ ତାଙ୍କ ପ୍ରେମରେ ପଡ଼ିଯାଉଥିଲେ।
ଯେଉଁଠାରେ ସଫଳତା ତାଙ୍କ ପାଦ ଛୁଉଁଥିଲା ସେଠାରେ ଗଭୀର ରୋଗ ତାଙ୍କ ପାଇଁ କାଳ ହୋଇ ଆସିଥିଲା।
ସେ ୧୯୪୨ରେ ସିନେମା ବସନ୍ତରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ। ୧୦ ବର୍ଷ ପରେ ୧୯୫୨ରେ ତାଙ୍କୁ ଜଣାପଡ଼ିଲାଯେ ତାଙ୍କ ହୃତପିଣ୍ଡରେ ଏକ କଣା ଥିଲା। ଏହାପରେ ମଧ୍ୟ ସେ କାମ କରୁଥିଲେ। ତେବେ କେବଳ ସେତିକି ନୁହେଁ ଆଉ କେତେକ ଗମ୍ଭୀର ରୋଗରେ ମଧ୍ୟ ସେ ପୀଡିତ ଥିଲେ।
ତାଙ୍କ ଶରୀରରେ ରକ୍ତ ରହୁନଥିଲା। ଅସୁସ୍ଥ ହୋଇପଡ଼ିଲେ ଓ କାଶିବାକୁ ଲାଗିଲେ। ଏହା ପରେ ଶ୍ୱାସରେ ସମସ୍ୟା ଦେଖାଦେବା ପରେ ତାଙ୍କୁ ଅମ୍ଳଜାନ ମଧ୍ୟ ଦିଆଯାଉଥିଲା।
୯ ବର୍ଷ ପର୍ଯ୍ୟନ୍ତ ସେ ଶଯ୍ୟାରେ ଥିଲେ। ତେବେ ତାଙ୍କ ମୃତ୍ୟୁ ଖୁବ ଯନ୍ତ୍ରଣାଦାୟକ ଥିଲା। ଶେଷରେ ତାଙ୍କ ସ୍ୱାମୀ କିଶୋର କୁମାର ମଧ୍ୟ ତାଙ୍କୁ ଛାଡ଼ି ଦେଇଥିଲେ। ୧୯୬୯ ଫେବୃୟାରୀ ୨୩ରେ ଏହି ଚୁଲବୁଲି ନାୟିକା ଚିରନିଦ୍ରାରେ ଶୋଇଯାଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୭ ବର୍ଷ ହୋଇଥିଲା।