ଓଡିଶାରେ କଂଗ୍ରେସର କେନ୍ଦ୍ରୀୟ ସ୍କ୍ରାନିଂ କମିଟି ସଦସ୍ୟ : ଆରମ୍ଭ ହେଲା ସାମ୍ଭାବ୍ୟ ପ୍ରାର୍ଥି ତାଳିକା ପ୍ରସ୍ତୁତି

ଭୁବନେଶ୍ୱର, ୧୪/୨:  ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ତାତି ସେତେ ବଢିବାକୁ ଲାଗିଛି ଏଥର ସାଧାରଣ ନିର୍ବାଚନରେ ଆଶାୟୀ ପ୍ରାର୍ଥିଙ୍କ ତାଳିକା ବଢି ବଢି ଯାଉଥିବାରୁ ତିନି ପ୍ରମୂଖ ଦଳର ମୁଣ୍ଡ ବିନ୍ଧା ଆରମ୍ଭ ହୋଇଛି । ରାଜନୈତିକ ପାଣିପାଗର ସୂଚନା ଅନୁସାରେ ଏଥର ସ୍ଥାନୀୟ ପ୍ରାର୍ଥିତ୍ବ ଉପରେ ଗୁରୁତ୍ବ ଦେବେ ଜନତା । ନିର୍ବାଚନୀ କ୍ଷେତ୍ର ମାନଙ୍କର ଚିତ୍ରକୁ ଦେଖି ପ୍ରାର୍ଥି ଚୟନ କରିବା ଏକ ସ୍ବଭାବିକ ପ୍ରକ୍ରିୟା କିନ୍ତୁ ଏଥର ଗୋଟିଏ ଯାଗାରୁ ଅଗଣିତ ଆଶାୟୀ ବାହାରି ଥିବାରୁ ସେମାନଙ୍କୁ କିପରି ମନେଇବେ ତାହା ସବୁ ଦଳ ପାଇଁ ଚିନ୍ତାର ବିଷୟ ପାଳଟିଛି । ଏହି ପରିସ୍ଥିତିରେ ଶାସକ ବିଜେଡି କିମ୍ବା ବିଜେପି ପ୍ରାର୍ଥି ତାଳିକା ଘୋଷଣା ନେଇ ନିରବତା ଅବଳମ୍ବନ କରିଖିବାବେଳେ କଂଗ୍ରେସ ଶିବିରରେ ତତ୍ପରତା ଦେଖା ଦେଇଛି । 

କଂଗ୍ରେସର କେନ୍ଦ୍ରୀୟ ସ୍କ୍ରିନିଂ କମିଟି ସଦସ୍ୟମାନେ ବୁଧବାର ଠାରୁ ଓଡିଶା ଗସ୍ତରେ ଆସି ବିଭିନ୍ନ ଲୋକ ସଭା ଆସନ ଏବଂ ଏହା ଅନ୍ତର୍ଗତ  ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିବା ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । କେନ୍ଦ୍ର ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭି.ଡି. ସାଥୀସାନ ରାଜ୍ୟ କଂଗ୍ରେସ  କାର୍ଯ୍ୟାଳୟଠାରେ  ବୁଧବାର ଭୁବନେଶ୍ୱର ଓ କଟକ ଲୋକ ସଭା ନିର୍ବାଚନମଣ୍ଡଳୀ ଏବଂ ଏହାର ଅନ୍ତର୍ଗତ ବିଧାନସଭା କ୍ଷେତ୍ରର ସମ୍ଭାବ୍ୟ ପ୍ରାର୍ଥୀମାନଙ୍କ ସହ ଆଲୋଚନା କରିଛନ୍ତି। ଏ ନେଇ ଦୁଇଟି ଯାକ ଲୋକ ସଭା ନିର୍ବାଚନମଣ୍ଡଳୀର ଆଶାୟୀ ପ୍ରାର୍ଥୀମାନଙ୍କ ସହ କ୍ରମାନୁଯାୟୀ ଆଲୋଚନା କରି ଏକ ତାଲିକା ପ୍ରସ୍ତୁତ କରିଛନ୍ତି।

ସୂଚନା ମୁତାବକ, ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ଲୋକନାଥ ମହାରଥୀ, ଶିବାନନ୍ଦ ରାୟ, ରାଜୀବ ପଟ୍ଟନାୟକ ଓ ଶୁଭେନ୍ଦୁ ମହାନ୍ତିଙ୍କ ନାମ ତାଲିକାରେ ରଖାଯାଇଛି। ଏକାମ୍ର ବିଧାନସଭା ଆସନ ପାଇଁ ରଶ୍ମି ମହାପାତ୍ର ଏବଂ ମାନସ ଆଚାର୍ଯ୍ୟ। ଉତ୍ତର ଆସନ ପାଇଁ ମନୋରଞ୍ଜନ ଦାଶ, ଇତିଶ ପ୍ରଧାନ, ଆଶିଷ ମଲ୍ଲିକ ଏବଂ କିଶୋର ଜେନାଙ୍କ ନାମ ରହିଛି। ମଧ୍ୟ ଆସନରୁ ପ୍ରକାଶ ଜେନା, ଶକୁନି କଅଁର ଏବଂ ଶୁଭେନ୍ଦୁ ମହାନ୍ତିଙ୍କ ନାମ  ଯାଇଛି। ଜଟଣୀ ଆସନ ପାଇଁ ସୁରେଶ ରାଉତରାୟ, ରସିକ ପଟ୍ଟନାୟକ ଏବଂ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନାମ ରହିଛି। ଖୋର୍ଦ୍ଧାରୁ ରାମଚନ୍ଦ୍ର ମହାପାତ୍ର, ଯୋଗୀନାଥ ବାହୁବଳେନ୍ଦ୍ର ଏବଂ ସ୍ବାଗତିକା ପଟ୍ଟନାୟକଙ୍କ ନାମ ରହିଛି। ବେଗୁନିଆରୁ ପୃଥ୍ବୀବଲ୍ଲଭ ପଟ୍ଟନାୟକ ଏବଂ ପ୍ରଭାତ ପରିଡାଙ୍କ ନାମ ରହିଛି। ଅନ୍ୟପଟେ କଟକ ଲୋକ ସଭା ଆସନ ପାଇଁ ବିଜୟଲକ୍ଷ୍ମୀ ସାହୁ, ପଞ୍ଚାନନ କାନୁନ୍‌ଗୋ, ସାବିତ୍ରୀ ଚୌଧୁରୀ ଏବଂ ବିଶ୍ୱଜିତ୍‌ ଦାଶଙ୍କ ନାମ ରହିଛି। କଟକ-ଚୌଦ୍ୱାର ପାଇଁ ମାନସ ଚୌଧୁରୀ ଏବଂ ବାରବାଟୀ ଆସନ ପାଇଁ ମହମ୍ମଦ ମୋକ୍କିମଙ୍କ ନାମ ରହିଛି। କଟକ ସଦର ପାଇଁ ଦୁଷ୍ମନ୍ତ ବେହେରା ଏବଂ ରତ୍ନାକର ବେହେରାଙ୍କ ନାମ ରହିଛି। ସେହିପରି ଆଠଗଡ଼ ପାଇଁ ଉମା ବଲ୍ଲଭ ରଥ, ବାଙ୍କି ଆସନ ପାଇଁ ଦେବାଶିଷ ପଟ୍ଟନାୟକଙ୍କ ନାମ ଯାଇଥିବା ଜଣାପଡିଛି। ପ୍ରଥମ ଦିନରେ ସାଥୀସାନ ଏହି ତାଲିକା ପ୍ରସ୍ତୁତ କରିଥିବାବେଳେ ଗୁରୁବାର ପୁରୀ ଓ ଜଗତ୍‌ସିହପୁର ଲୋକ ସଭା, ବିଧାନସଭା ନିର୍ବାଚନମଣ୍ଡଳୀ ଗୁଡିକର ସମୀକ୍ଷା କରି ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଚୂଡାନ୍ତ କରିବେ। ଅପରପକ୍ଷରେ ସ୍କ୍ରିନିଂ କମିଟିର ଅନ୍ୟଜଣେ ସଦସ୍ୟ ନୌସାଦ ସୋଲାଙ୍କି ବୁଧବାର ଆସ୍କା ଓ ବ୍ରହ୍ମପୁର ଲୋକ ସଭା ନିର୍ବାଚନମଣ୍ଡଳୀ ଏବଂ ଏହାର ଅନ୍ତର୍ଗତ ବିଧାନସଭା କ୍ଷେତ୍ରର ଆଶାୟୀ ପ୍ରାର୍ଥୀମାନଙ୍କ ତାଲିକା ପ୍ରସ୍ତୁତ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହାପରେ ସୋଲାଙ୍କି ନବରଙ୍ଗପୁର ଓ କଳାହାଣ୍ଡି ଲୋକ ସଭା ନିର୍ବାଚନମଣ୍ଡଳୀ ଏବଂ ଏହାର ଅନ୍ତର୍ଗତ ବିଧାନସଭା କ୍ଷତ୍ରଗୁଡିକ ପାଇଁ ଆଶାୟୀ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.