ପୁଲୱାମା,୧୪/୨: ଛୁଟି ସାରିବା ପରେ ଡ୍ୟୁଟିରେ ଯୋଗ ଦେବାକୁ ଯାଉଥିଲେ ସିଆରପିଏଫ୍ ଯବାନ। ହେଲେ ବାଟରେ ତାଙ୍କ ଗାଡ଼ିକୁ ଗୋଟେ ସ୍କର୍ପିଓ ଆସି ଧକ୍କା ଦେଲା। ସ୍କର୍ପିଓରେ ଥିଲା ୩୫୦ କିଲୋଗ୍ରାମ ବିସ୍ଫୋରକ ସାମଗ୍ରୀ।ଜଳି ଉଠିଲା ବସ୍। ତା’ପରେ ବର୍ଷିଲା ଗୁଳି। ବଞ୍ଚିବାର ସମସ୍ତ ରାସ୍ତା ବନ୍ଦ। ସହିଦ ହୋଇଗଲେ ସେଥିରେ ଥିବା ୪୨ ଯବାନ।
ଏହି ବର୍ବର ଆକ୍ରମଣ ଘଟାଇଛି ପୁଲୱାମା ଜିଲ୍ଲାର ନିବାସୀ ଆତଙ୍କବାଦୀ ଆଦିଲ ଅହମ୍ମଦ। ବର୍ଷେ ହେଲା ଜୈସ-ଇ-ମହମ୍ମଦ ପାଇଁ ଆଦିଲ କାର୍ଯ୍ୟ କରୁଥିଲା। ସେ ବିସ୍ଫୋରକ ଭର୍ତ୍ତି ସ୍କ୍ରପିଓ ଗାଡିରେ ଆସି ସିଆରପିଏଫ ଯବାନଙ୍କ ବସକୁ ଧକ୍କା ଦେଇଥିଲା।
୭୦ରୁ ଅଧିକ ବସରେ ୨୫୦୦ରୁ ଅଧିକ ସିଆରପିଏଫ ଯବାନ ଜମ୍ମୁ-କାଶ୍ମୀରରୁ ଶ୍ରୀନଗର ଅଭିମୁଖେ ହାଇୱେରେ ଯାତ୍ରା କରୁଥିବା ବେଳେ ପୁଲୱାମା ନିକଟରେ ଏଭଳି ଘଟଣା ଘଟିଛି। ଏଥିରେ ୩୫ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି।