ସିଙ୍ଗାପୁର ଗସ୍ତରେ ଯିବେ କଳାହାଣ୍ଡିର ୪ ପ୍ରତିଭା ; ଜିଲ୍ଲାବ୍ୟାପି ଖୁସିର ଲହରୀ

କଳାହାଣ୍ଡି : ଭାଗବତ କହେ ” ଯେ ପକ୍ଷୀ ଉଡେ ଯେତେ ଦୂର, ସେ ଜାଣେ ତହିଁର ବେଭାର ” । ଏହି ଉକ୍ତିର ସତ୍ୟତାକୁ ନେଇ ଅନେକ ଯୁକ୍ତି ଓ ତର୍କ କରାଯାଇପାରେ । ଏହାର ରାଶି ରାଶି ଉଦାହରଣ ଆମପାଖରେ ଥିବାବେଳେ ବିଶ୍ୱର ଅନେକ ପରିବ୍ରାଜକମାନଙ୍କ ଦ୍ୱାରା ହିଁ ପୃଥିବୀର ଗୋଟିଏ କୋଣରୁ ଅନ୍ୟକୋଣ ଯାଏଁ ତଥ୍ୟ, ଜ୍ଞାନ, ଇତିହାସ ଓ ଘଟଣାବଳୀର ପରିପ୍ରସାର ହୋଇପାରିଛି । ତେବେ ଆଜିର ସୂଚନା ଓ ପ୍ରଯୁକ୍ତି କ୍ରାନ୍ତିର ଯୁଗରେ ମଧ୍ୟ ଜିଜ୍ଞାସୁ ମଣିଷ ଅନେକ ବିଷୟକୁ ନିଜ ମନମସ୍ତିଷ୍କରେ ସାଇତି ରଖୁଛି ସତ କିନ୍ତୁ ବାହ୍ୟ ଭ୍ରମଣ ଜନିତ ଜ୍ଞାନ ଆହରଣ ମଣିଷ ପାଇଁ ଆଜି ଅପରିହାର୍ଯ୍ୟ କହିଲେ ଚଳେ । ଏହିକ୍ରମରେ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ତଥା ରାଜ୍ୟ ଯୁବ କଲ୍ୟାଣ ପରିଷଦ ନେଇଛି ଏକ ଅଭିନବ ପଦକ୍ଷେପ । ପ୍ରଥମେ ଯୁବକଯୁବତୀମାନଙ୍କ ମଧ୍ୟରେ ଜାଗରଣ ଓ ସାମାଜିକ ଚେତନା ଜାଗ୍ରତ ପାଇଁ ଗ୍ରାମ ପଞ୍ଚାୟତକୁ ୟୁନିଟ୍ ଭାବେ ସାମିଲ କରି ପ୍ରତି ପଞ୍ଚାୟତରେ ବିଜୁ ଯୁବବାହିନୀ ଗଠନ କରାଯାଇଥିଲା । ବିଜୁ ଯୁବବାହିନୀକୁ ନେଇ ତମାମ ସମାଲୋଚନା ଚାଲିଥିଲେ ହେଁ ଏହାଦ୍ୱାରା ସାରା ରାଜ୍ୟରେ ଯୁବଶକ୍ତିମାନଙ୍କ ମଧ୍ୟରେ ସାମାଜିକ ପ୍ରତିବଦ୍ଧତାର ନିଦର୍ଶନ ଦେଖିବାକୁ ମିଳିଛି । ଏହାରି ମାଧ୍ୟମରେ ଗ୍ରାମାଂଚଳର ଲୁକ୍କାୟିତ ପ୍ରତିଭାମାନଙ୍କୁ ଖୋଜି ସେମାନଙ୍କ ପ୍ରତିଭାର ମୂଲ୍ୟାଙ୍କନ ପାଇଁ ଆରମ୍ଭ କରାଯାଇଥିଲା ମୁଁ ହୀରୋ, ମୁଁ ଓଡ଼ିଶା ଅଭିଯାନ । ଏହି ଅଭିଯାନରେ ପ୍ରତିଭାମାନଙ୍କୁ ସମ୍ମାନିତ କରାଯାଉଥିବାବେଳେ ଆଉ ପାଦେ ଆଗକୁ ଯାଇ ରାଜ୍ୟର ଶହେଜଣ ଯୁବ ପ୍ରତିଭାଙ୍କୁ ବିଶ୍ୱର ଏକ ଚର୍ଚ୍ଚିତ ଓ ବିକଶିତ ଦେଶ ସିଙ୍ଗାପୁର ଭ୍ରମଣ ସହ ଜ୍ଞାନ ଆହରଣ ପାଇଁ ସୁଯୋଗ ଆଣି ଦେଇଛନ୍ତି ରାଜ୍ୟ ସରକାର । ଏହିକ୍ରମରେ କଳାହାଣ୍ଡି ଜିଲ୍ଲାର ଚାରିଜଣ ଯୁବପ୍ରତିଭା ସିଙ୍ଗାପୁର ଗସ୍ତ ପାଇଁ ମନୋନୀତ ହେବା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।

ଜଣେ ସୁନାମଧନ୍ୟ ଯୁବଲେଖକ ତଥା ସମାଜସେବୀ ଓ ସାମ୍ବାଦିକ ଭାବେ ସାରା ରାଜ୍ୟରେ ପରିଚିତ ସୁଶୀଲ କୁମାର ବାଗଙ୍କ ସହିତ ବିଜୁ ଯୁବବାହିନୀର ସଦସ୍ୟ ପରୀକ୍ଷିତ ନାଏକ,

ଜୁନାଗଡ ବ୍ଲକର ସମାଜସେବୀ ବିଜ୍ଞାନମିହିର ସାହୁ ଓ ଗୋଲାମୁଣ୍ଡା ବ୍ଲକର ଗଣେଶ ନାଏକ ଏହି ସରକାରୀ ଗସ୍ତ ପାଇଁ ମନୋନୀତ ହୋଇଥିବା ଜଣାପଡିଛି ।

ଏନେଇ ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ କମିଟି ବସିଥିବାବେଳେ ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ ଷଡଙ୍ଗୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଗୋପୀନାଥ ମଣିପାତ୍ର, ଜିଲ୍ଲା କ୍ରୀଡା ଅଧିକାରୀ ଶୁଭାଶିଷ ନାୟକଙ୍କ ସମେତ ବିଜୁ ଯୁବବାହିନୀର ଜିଲ୍ଲା ସଂଯୋଜକ ଅବିନାଶ ଠାକୁର, ଶ୍ରୀନିବାସ ରଥ, ଶରତ ବଳିୟାରସିଂହ ପ୍ରମୁଖ ଏହି କମିଟିରେ ସାମିଲ ଥିଲେ ।

ସେହିପରି ଜିଲ୍ଲାର ୩୬ଜଣ ଆବେଦନକାରୀଙ୍କ ମଧ୍ୟରୁ ଉପରୋକ୍ତ ଚାରିଜଣ ଯୁବପ୍ରତିଭାଙ୍କୁ ଏକ କଠିନ ମୌଖିକ ପରୀକ୍ଷା ଜରିଆରେ ବଛାଯାଇଥିଲା । ଏହି ଚାରିଜଣଙ୍କ ମନୋନୟନ ପରେ ସାରା ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଥିବାବେଳେ ନିରପେକ୍ଷ ଚୟନ ପାଇଁ ଜିଲ୍ଲା ପ୍ରଶାସନ ତଥା ସରକାରଙ୍କ ନିକଟରେ ଏହି ଚାରିଜଣ ପ୍ରତିଭା କୃତଜ୍ଞତା ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.