ଆମେରିକାର ପ୍ରଥମ ହିନ୍ଦୁ ସାଂସଦ ତୁଲସୀ ଗେବାର୍ଡ ୨୦୨୦ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଲଢ଼ିବା ପାଇଁ ବିଚାର କରୁଛନ୍ତି। ତୁଲସୀଙ୍କର ନିକଟତର ଥିବା ଏବଂ ଡା. ସଂପତ ଶିବାଙ୍ଗି ଶୁକ୍ରବାର ଦିନ ଲସ ଏଞ୍ଜଲିସରେ ଆୟୋଜିତ ଏକ କାର୍ଯ୍ୟକ୍ରମ ସମୟରେ ଏହା କହିଛନ୍ତି। ଏହି ସମୟରେ ତୁଲସୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଶିବାଙ୍ଗି କାର୍ଯ୍ୟକ୍ରମରେ ତୁଲସୀଙ୍କର ପରିଚୟ ଦେବାକୁ ଯାଇ କହିଲେ ଯେ ସେ ୨୦୨୦ରେ ଆମେରିକାର ଆଗାମୀ ରାଷ୍ଟ୍ରପତି ହୋଇପାରନ୍ତି। ତାଙ୍କର ଏହି କଥାକୁ କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକମାନେ ଉତ୍ସାହରେ ସ୍ଵାଗତ କରିଥିଲେ।
ଆମେରିକା ସଂସଦର ତଳ ସଦନ ପ୍ରତିନିଧି ସଭା ପାଇଁ ଗତ ସପ୍ତାହରେ ଅନୁଷ୍ଠିତ ନିର୍ବାଚନରେ ସେ ପୁଣି ନିର୍ବାଚିତ ହୋଇଛନ୍ତି। ଏହା ତୁଳସୀଙ୍କର ଚତୁର୍ଥ କାର୍ଯ୍ୟକାଳ। ୨୦୧୨ରୁ ସେ ଏହି ସଦନର ସଦସ୍ୟ ଭାବରେ ରହି ଆସିଛନ୍ତି। ଆମେରିକାରେ ରହୁଥିବା ଭାରତୀୟ ବଂଶଜଙ୍କ ମଧ୍ୟରେ ତୁଳସୀ ଖୁବ୍ ଲୋକପ୍ରିୟ। ସେ ପ୍ରଥମ ଆମେରିକୀୟ ସାଂସଦ ଯିଏ ଗୀତା ଉପରେ ହାତ ରଖି ଶପଥ ଗ୍ରହଣ କରିଥିଲେ।
ତୁଲସୀ ଗେବାର୍ଡ ଯଦି ରାଷ୍ଟ୍ରପତି ନିର୍ବାଚନ ଲଢ଼ନ୍ତି ତେବେ ସେ ହ୍ଵାଇଟହାଉସ ଦୌଡ଼ରେ ସାମିଲ ହେବାର ପ୍ରଥମ ହିନ୍ଦୁ ହେବେ। ଏବଂ ଯଦି ନିର୍ବାଚନ ଜିତି ଯାଆନ୍ତି, ତେବେ ତୁଳସୀ (୩୭) ଆମେରିକାର ସବୁଠାରୁ ଯୁବା ଏବଂ ପ୍ରଥମ ମହିଳା ରାଷ୍ଟ୍ରପତି ହେବେ।