ଦେଶର ୭୫ଟି ରେଲଓ୍ଵେ ଷ୍ଟେସନରେ ଉଡିବ ୧୦୦ ଫୁଟ ଉଚ୍ଚର ତ୍ରିରଙ୍ଗା ପତାକା। ମଙ୍ଗଳବାର ଏହାର ସୂଚନା ଦେଇଛି ଭାରତୀୟ ରେଳ ବିଭାଗ। ବିଭାଗର ନିଷ୍ପତ୍ତି ଅନୁଯାୟୀ ଦେଶର ୭୫ଟି ବ୍ୟସ୍ତବହୁଳ ରେଲଓ୍ଵେ ଷ୍ଟେସନରେ ୧୦୦ ଫୁଟର ଜାତୀୟ ପତାକା ଲଗାଯିବ। ଏଥିରୁ ସାତୋଟି ରେଲଓ୍ଵେ ଷ୍ଟେସନ ମୁମ୍ବାଇରେ ସାମିଲ ରହିଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏହି କାର୍ଯ୍ୟ ପୂରା ହେବ ବୋଲି ରେଲଓ୍ଵେ ବିଭାଗ କହିଛି।
ରେଲଓ୍ଵେ ବୋର୍ଡର ଉଚ୍ଚ କମିଟି ଅକ୍ଟୋବର ୨୨ରେ ନିଆଯାଇଥିବା ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ଜୋନାଲ ରେଲଓ୍ଵେକୁ ଆଦେଶ ଦେଇଛି। ଆଦେଶ ମୁତାବକ ରେଲଓ୍ଵେ ପ୍ରଶାସନକୁ ଏହା ସୁନିଶ୍ଚିତ କରିବାକୁ କୁହାଯାଇଛି ଯେ ଆସନ୍ତା ମାସ ଶେଷ ସୁଦ୍ଧା ଯେମିତି ରେଲଓ୍ଵେ ଷ୍ଟେସନରେ ଜାତୀୟ ପତାକା ଲାଗିବ। ରେଲଓ୍ଵେ ବୋର୍ଡର କାର୍ଯ୍ୟକାରୀ ନିର୍ଦ୍ଦେଶକ ବିବେକ ସକ୍ସସେନା ଏହି ନିର୍ଦ୍ଦେଶ ଦେଇଛନ୍ତି।
ବୋର୍ଡ ନିଷ୍ପତ୍ତି ନେଇଛି ଯେ ଅତି କମରେ ୧୦୦ ଉଚ୍ଚ ବିଶିଷ୍ଟ ଜାତୀୟ ପତାକା ଏ୧ ଶ୍ରେଣୀର ରେଲଓ୍ଵେ ଷ୍ଟେସନକୁ ଯୋଗାଇ ଦିଆଯିବ। ଏହି କାର୍ଯ୍ୟ ୨୦୧୮ ଡିସେମ୍ବର ସୁଦ୍ଧା ଶେଷ ହେବା ଉଚିତ୍ ବୋଲି ଜୋନାଲ ରେଲଓ୍ଵେକୁ ଜଣାଇ ଦିଆଯାଇଛି।