ଶଙ୍ଖ ଧରିଲେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ଓ ଉପାଧ୍ୟକ୍ଷ ମୁନା ମହାନ୍ତି : କଳାହାଣ୍ଡିରେ ଆଳୋଡନ ; ନର୍ଲା ବିଜେଡିରେ ନୂତନ ସମିକରଣ

କଳାହାଣ୍ଡି : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟେଇ ଶଙ୍ଖ ନାଦ କରିଛନ୍ତି ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ଓ ତାଙ୍କ ସ୍ବାମୀ ତଥା ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୂର୍ଗାପ୍ରସାଦ ମହାନ୍ତି (ମୁନା) । ଜୁନାଗଡ ଠାରେ ଆୟୋଜିତ ମିଳନ ଉତ୍ସବରେ ମାନ୍ୟବର ମୂଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବନ୍ଧ ଭାବେ ମନୋରମା ଓ ମୁନା ବିଜେଡିରେ ସାମିଲ ହୋଇଛନ୍ତି ।

ଏମାନଙ୍କ ସହ ନର୍ଲା ବ୍ଲକର ୧୪ ଜଣ ସରପଞ୍ଚ ଓ ୨୧ ଜଣ ସମିତି ସଭ୍ୟଙ୍କ ସହ ୧୨ଶହରୁ ଉର୍ଧ ସମର୍ଥକ ବିଜେଡିରେ ଯୋଗଦେବାକୁ ନେଇ କଳାହାଣ୍ଡି ରାଜନୀତିରେ ଆଳୋଡନ ସୃଷ୍ଟି ହେବା ସହ ନର୍ଲା ବିଜେଡିରେ ନୂତନ ସମିକରଣ ସୃଷ୍ଟି ହୋଇଛି ।

ଏହା ପୂର୍ବରୁ ନର୍ଲା ବିଜେଡିର ପ୍ରତ୍ୟକ୍ଷ ସମ୍ପର୍କରେ ଆସିନଥିଲେ ମଧ୍ୟ ବିଜେଡି ଜିଲ୍ଲା ସଭାପତି ତଥା ଧର୍ମଗଡ ବିଧାୟକ ପୁଷ୍ପେନ୍ଦ୍ର ସିଂ ଦେଓଙ୍କ ଅଭୟ ହସ୍ତ ମନୋରମା ଓ ମୁନା ମହାନ୍ତିଙ୍କ ଉପରେ ରହିଥିଲା । ପୁଷ୍ପେନ୍ଦ୍ର ସିଂଦେଓ ଙ୍କ ବଳିଷ୍ଠ ନେତୃତ୍ବ ଯୋଗୁଁ ନର୍ଲା ବ୍ଲକ ଅଧ୍ୟକ୍ଷ୍ୟ ଓ ଉପାଧ୍ୟକ୍ଷ ଆସନରେ ଉପବେଷନ କରିଥିଲେ ଏହି ଦମ୍ପତ୍ତି ।

ନର୍ଲା ବିଧାନସଭା ଆଶନରୁ ଆଶାୟୀ ବିଧାୟକ ପ୍ରାର୍ଥି ଥିବା ମନୋରମା ମହାନ୍ତି ଓ ମୁନା ମହାନ୍ତି କେଉଁ ଦଳରୁ ଆଶାୟୀ ଅଛନ୍ତି ତାହା ପୂର୍ବରୁ ସ୍ପଷ୍ଟ କରୁନଥିଲେ । ବର୍ତମାନ ସେମାନେ ବିଜେଡିରେ ଯୋଗ ଦେଇଥିବାରୁ ତଥା ଜିଲ୍ଲା ବିଜେଡି ସଭାପତି ତଥା ସମସ୍ତ ବିଧାୟକ ଓ କଳାହାଣ୍ଡି ସାଂସଦଙ୍କ ସହ ଉତ୍ତମ ସଂପର୍କ ଥିବା ଦୃଷ୍ଟିରୁ ନର୍ଲା ବିଧାନସଭା କ୍ଷେତ୍ରରେ ନୂତନ ସମୀକରଣ ସୃଷ୍ଟି ହେବାକୁ ଯାଉଛି ବୋଲି ରାଜନୈତିକ ସମିକ୍ଷକ ମାନେ ମତପ୍ରକାଶ କରିଛନ୍ତି ।

କଳାହାଣ୍ଡିର ଏକ ଗୁରୁତ୍ବପୂର୍ଣ୍ଣ ନିର୍ବାଚନ ମଣ୍ଡଳୀର ପୂର୍ବ ଓ ବର୍ତମାନର ରାଜନୈତିକ ଦୃଷ୍ୟପଟ ଉପରେ ସମିକ୍ଷା ଆରମ୍ଭ ହୋଇଯାଇଛି । ୧୯୬୭ ପ୍ରତିଷ୍ଠା ହୋଇଥିବା ଏହି ନିର୍ବାଚନୀ କ୍ଷେତ୍ରରେ ବର୍ତମାନ ସୁଦ୍ଧା ୧୨ ଜଣ ବିଧାୟକ ଆସନରେ ଉପବେଶନ କରି ସାରିଛନ୍ତି । ନର୍ଲାର ପ୍ରଥମ ବିଧାୟକ ଅଞ୍ଚଳ ମାଝୀ ( ସ୍ବତନ୍ତ୍ର ପାର୍ଟି ) ଥିବାବେଳେ ବର୍ତମାନ ବିଜେଡି ବିଧାୟକ ଧନେଶ୍ବର ମାଝୀ ନର୍ଲା ଆସନରେ ବସିଛନ୍ତି ।

ନର୍ଲା ଆସନ ପାଇଁ ମୋଟ ୧୨ଥର ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ସ୍ବତନ୍ତ୍ର ପାର୍ଟି ୦୩ ଥର, କଂଗ୍ରେସ ୦୪ ଥର, ଜନତାଦଳ ୦୨ ଥର ଓ ବିଜେଡି ୦୩ ଥର ଏହି ଆସନ ଦଖଳ କରିଛି । ପ୍ରଥମରୁ ୧୯୭୪ ପର୍ଯ୍ୟନ୍ତ କଂଗ୍ରେସ ଏହି ଆସନକୁ ସ୍ପର୍ଶ୍ବ କରିପାରିନଥିଲା । ଏହି ସମୟ ଭିତରେ ଅଞ୍ଚଳ ମାଝୀ, ଗଙ୍ଗାଧର ମେଦୀ ଓ ଅନୁପ ସିଂ ଦେଓ ସ୍ବତନ୍ତ୍ର ପାର୍ଟି ଟିକଟରେ ଜିତି ଆସିଥିଲେ । ୭୭ ନିର୍ବାଚନରୁ ୮୫ ମସିହା ପର୍ଯ୍ୟନ୍ତ ନର୍ଲା କଂଗ୍ରେସ ହାତରେ ରହିଲା । ଏହି ସମୟରେ ତେଜରାଜ ମାଝୀ ଓ କୁମରମଣୀ ଶବର ବିଧାୟକ ରହିଥିଲେ । ୧୯୯୦ ରୁ ୨୦୦୪ ମସିହା ପର୍ଯ୍ୟନ୍ତ ବଳଭଦ୍ର ମାଝୀ ଜନତା ଦଳ ଓ ପରେ ବିଜେଡି ଟିକଟରେ ଲଗାତାର ୦୪ ଥର ଜିତି ବିଜେଡି ଦୂର୍ଗକୁ ସୁଦୃଢ କରିପାରିଥିଲେ । ଦିର୍ଘ ୨୪ ବର୍ଷ ପରେ ୨୦୦୯ ରେ ବିଜେଡିର ଏହି ଦୂର୍ଭେଦ୍ୟ ଗଡକୁ ଭାଙ୍ଗି କଂଗ୍ରେସ ଏହି ଆସନ ଦଖଲ କଲା । ସେହି ସମୟରେ କଂଗ୍ରେସର ଭୂପିନ୍ଦର ସିଂ ବିଧାନସଭାରେ ବିରୋଧିଦଳ ନେତା ହୋଇପାରି ଥିଲେ, ପରବର୍ତି ସମୟରେ ଭୂପିନ୍ଦର କଂଗ୍ରେସର ହାତ ଛାଡି ବିଜେଡିର ଶଙ୍ଖ ବଜାଇଥିଲେ । ୨୦୧୪ ନିର୍ବାଚନରେ ଜନମତ ବିଜେଡି ସପକ୍ଷରେ ଯାଇଥିଲା ।

ବର୍ତାମାନ ନର୍ଲାରେ ବିଜେଡିର ସ୍ଥିତି ସେତେ ଭଲ ନଥିବା ବେଳେ ସଂଗଠନ ହୁଗୁଳା ହୋଇ ପଡିଛି । ଏହାର ସୂଯୋଗ ନେଇ ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ଜିଲ୍ଲା ପରିଷଦ ଆସନରେ ତା’ର କମାଲ ଦେଖାଇ ପାରିଥିଲା । ବର୍ତମାନ ନର୍ଲା ଆଶନକୁ ହାତେଇବାକୁ ପ୍ରାଣମୂର୍ଛା ଉଦ୍ୟମ ଜାରି ରଖିଛି ବିଜେପି । କଂଗ୍ରେସର ସ୍ଥିତି ଦୟନୀୟ ଥିବାବେଳେ ଦଳକୁ ସଜାଡିବାକୁ ଲାଗି ପଡିଛନ୍ତି କଂଗ୍ରେସର ନେତା ଓ କର୍ମି । ଏପରି ସ୍ଥିତିରେ ନର୍ଲା ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ବିଜେଡିରେ ଆବିର୍ଭାବ ଏକ ନୂତନ ସମିକରଣର ଆଭାଶ ଦେଉଛି ।

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.