ଜଗଦୀଶ ମହାନ୍ତିଙ୍କ ଗଳ୍ପ : ଉତ୍ତରଣ

ଜଗଦୀଶ ମହାନ୍ତି (୧୯୫୧-୨୦୧୩) ହେଉଛନ୍ତି ଓଡ଼ିଆ କଥା ସାହିତ୍ୟର ଅନ୍ୟତମ ଟ୍ରେଣ୍ଡସେଟର୍। ସେ ଓଡ଼ିଆ ଗଳ୍ପକୁ ଏକ ନୂତନ ଦିଶା ଦେଖାଇଥିଲେ। ୫ଟି ଉପନ୍ୟାସ ଓ ୧୨ଟି ଗଳ୍ପ ସଂକଳନର ସ୍ରଷ୍ଟା ଜଗଦୀଶ ତାଙ୍କ ସାହିତ୍ୟ କୃତି ପାଇଁ ପାଇଥିଲେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ସାରଳା ପୁରସ୍କାର ସମେତ ଅନେକ ପୁରସ୍କାର ଓ ସମ୍ମାନ।

ଆଜି ଜଗଦୀଶ ଜୟନ୍ତୀ ଅବସରରେ odiabarta.in ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଆପଣଙ୍କୁ ଭେଟି ଦଉଛି ତାଙ୍କର ଏଇ ରମ୍ୟ ଗପ।

ଉତ୍ତରଣ

ଜଗଦୀଶ ମହାନ୍ତି

ଶମ୍ଭୁଚରଣ କବି ବନିଯିବା ଆମ ପାଖରେ ଯେତିକି ଆଶ୍ଚର୍ଯ୍ୟଜନକ ଘଟଣା ନଥିଲା, ତା’ଠୁ କାହିଁକି କେତେଗୁଣ ବିସ୍ମୟକର ଘଟଣା ଥିଲା ଶମ୍ଭୁଚରଣ ଦାତାକର୍ଣ୍ଣ ବନିଯିବା। ଏମିତିରେ ବନ୍ଧୁ ମହଲରେ ଶମ୍ଭୁଚରଣର ଭାରି ଦୁର୍ନାମ, କୃପଣ ବୋଲି। ପେଟ୍ରୋଲ ଖର୍ଚ୍ଚ ହେଇଯିବ ବୋଲି ସେ ଦିନେହେଲେ ସ୍କୁଟର୍‌ ଚଳେଇ ବି କୁଆଡ଼େ ଯିବାର କେହି ଦେଖିନି। ଚାଲିଲେ ବ୍ୟାୟମ ହୁଏ ଓ ରକ୍ତସଂଚାଳନ ଭଲହୁଏ ବୋଲି ସେ କେବେ ବି ରିକ୍ସା କରେନାହିଁ। ଅଫିସ୍‌ରେ କେବେ ଦିନେ ଚା’ କପେ କି ସିଗାରେଟ୍‌ ଖଣ୍ଡେ ପିଇବାର କି କାହାରିକୁ ଯାଚିବାର କେହି ଦେଖିନାହିଁ। ହାଟକୁ ଗଲେ, ସେ ଦି’ଘଣ୍ଟା ସମୟ ନିଏ। ପ୍ରଥମେ ସେ ହାଟର ଏମୁଣ୍ଡରୁ ସେ ମୁଣ୍ଡ ବୁଲିଯାଏ, ସବୁ ପରିବା’ର ଦାମ୍‌ ପଚାରି ପଚାରି। ତା’ପରେ, (ଅଦ୍ଭୁତ ସ୍ମୃତି ଶକ୍ତି ତା’ର) ସେ ଫେରି ଆସେ ସବୁଠୁ କମ୍‌ ଦାମ୍‌ରେ ମିଳୁଥିବା ପରିବାବାଲାମାନଙ୍କ ପାଖକୁ। ପରିବା କିଣିବା ବିଷୟରେ ତା’ର ନିଜସ୍ବ କେତୋଟି ପଦ୍ଧତି ସେ ଉଦ୍ଭାବନ କରିଛି। ଯଥା: ଏକତ୍ର କିଲେ ବାଇଗଣ କିଣିଲେ ଯେତିକି ବାଇଗଣ ଆସିବ, ଯଦି ଅଢ଼େଇ ଶହ ଲେଖେଁ ଚାରିଥର କିଣାଯାଏ, ତା’ଠୁ ବହୁତ ବାଇଗଣ ବେଶି ମିଳିବ। ଏମିତି ସେସବୁ ବାଇଗଣକୁ ତଉଲେଇଲେ ଦେଢ଼ କେଜି ବାଇଗଣ ହେଇଯିବ। କାରଣ, ପ୍ରତିଥର ଓଜନ କଲାବେଳେ ଦଣ୍ଡି ଟିକିଏ ବେଶି ଝୁଲେଇକି ଦେବ ପରିବା ବାଲା ଓ ଚାରିଥର ଓଜନ କଲେ, ଦଣ୍ଡି ଝୁଲେଇଥିବା ବାଇଗଣ ସବୁ ଓଜନ ଅଧ କେଜିକ ସାଙ୍ଗରେ ସମାନ ହୋଇଥିବ। ଦ୍ବିତୀୟ ପଦ୍ଧତିଟି ହେଲା, ଧରାଯାଉ ଶମ୍ଭୁଚରଣ ଅଢ଼େଇଶହ ବାଇଗଣ କିଣିଲା ପ୍ରଥମଥର। ତା’ର ଦାମ୍‌ ହେଉଚି ଷାଠିଏ ପଇସା। ଶମ୍ଭୁଚରଣ ପଚାଶ ପଇସା ଦେଲା ଓ କହିଲା ତା’ ପାଖରେ ଆଉ ରେଜା ନାଇଁ। ପନ୍ଦର ମିନିଟ୍‌ ପରେ ପୁଣି ଥରେ ପଚାଶ ପଇସାରେ ଅଢ଼େଇ ଶହ। ପୁଣି ପନ୍ଦର ମିନିଟ୍‌ ପରେ ପୁଣି ପଚାଶ ପଇସାରେ। ଏମିତି କିଲେ ବାଇଗଣକୁ କିଣିଲା ସେ ଦୁଇଟଙ୍କାରେ। ଅଥଚ ଏକାଥରେ କିଣିଲେ ସେ ଦେଇଥାନ୍ତି ଦୁଇଟଙ୍କା ଚାଳିଶି ପଇସା। ପୁରା ଚାଳିଶି ପଇସାର ଲାଭ। ଆହୁରି, ତା’ର ପ୍ରଥମ ଉପପାଦ୍ୟ ଅନୁଯାୟୀ ସେ ପାଉଛି ଦେଢ଼ କିଲୋ ବାଇଗଣ, ଯା’ର ଦାମ୍‌ ହେଉଚି ତିନିଟଙ୍କା ଷାଠିଏ। ଏମିତିରେ ତା’ର ଲାଭ ହେଲା ଟଙ୍କାଏ ଷାଠିଏ।

ଶମ୍ଭୁଚରଣର ଏସବୁ ଉଦ୍ଭାବନ ଆମ ପାଖରେ ଥିଲା ଅତୀବ କୌତୂହଳ ଓ ରହସ୍ୟର ବିଷୟ। ଆମେ ତା’କୁ ଏ ସମ୍ପର୍କରେ ଥଟ୍ଟା କରିବାକୁ ଛାଡ଼ୁନଥିଲୁ ଓ ସେ ବିନା ବାକ୍ୟବ୍ୟୟରେ ଲାଜେଇକି ହସି ଦେଉଥିଲା ମାତ୍ର। ଶମ୍ଭୁଚରଣର ଏଭଳି ଲାଜୁଆ ହସ ଓ ଅପ୍ରତିଭ ଚେହେରା ଆମ ପାଖରେ କୌତୁକର ଖୋରାକ୍‌ ଯୋଗାଉଥିଲେ ବି, କେଉଁଠି କେମିତି ଗୋଟେ ସ୍ନେହ, ଦୟା ଓ କରୁଣା ମିଶି ରହିଥିଲା।

ଏଭଳି ଶମ୍ଭୁଚରଣ ତା’ର କିଛି ବନ୍ଧୁଙ୍କୁ ଡାକି ବରା ଓ ମିଠା ଖୁଆଇବା ଆରମ୍ଭ କରିଦେବ ହଠାତ୍‌। ଏଭଳି ଖବର ଆମକୁ ଆଶ୍ଚର୍ଯ୍ୟ ଚକିତ କରିଦେବାକୁ ଯଥେଷ୍ଟ ନଥିଲା? ଦିନେ ମୋତେ ଭାଇନା ହୋଟେଲ୍‌କୁ ଡାକିନେଇ ଖାଲି ଯେ, ବରା ଖୁଆଇଲା ସେତିକି ନୁହେଁ; ତା’ ଭାଉଜ ଓ ପୁତୁରା ଝିଆରୀଙ୍କ ପାଇଁ ଚାରୋଟି ରସଗୋଲା ଗୋଟେ ମାଟି ଠେକିରେ ‘ପାର୍ଶଲ୍‌’ କରିଦେବା ପାଇଁ ଅର୍ଡ଼ର୍‌ ଦେଲା ଯେତେବେଳେ, ମୋର ସନ୍ଦେହ କରିବାର ଆଉ ଅବକାଶ ରହିଲା ନାହିଁ ଯେ ସେ ନିର୍ଘାତ ପାଗଳ ହୋଇଯାଇଛି।

ମୋର ସନ୍ଦେହ ତା’ ଆଗରେ ପ୍ରକାଶ କରନ୍ତେ, ସେ ଏମନ୍ତ ସଫେଇ ଦେଲା ଯେ, ନା’ ତା’ର ମୁଣ୍ଡ ଖରାପ ହେଇନାହିଁ। ସେ କୌଣସି ଦାନ ଛତ୍ର ଖୋଲି ନାଇଁ ଯେ, ଅଫିସ୍‌ ସାରା ଲୋକଙ୍କୁ ବରା ଓ ମିଠା ଖୁଆଇବ। ସେ କେବଳ ତା’ର ସମଧର୍ମୀମାନଙ୍କୁ ଖୁଆଉଛି, କାରଣ ସେ ଏକ ନୂଆ ଜଗତରେ ପାଦ ଦେଇଚି ଓ ସେଇ ଜଗତର ବାସିନ୍ଦାମାନଙ୍କ ସାଙ୍ଗରେ ଚିହ୍ନା ପରିଚୟ ହେବା ପାଇଁ ଏଭଳି ଖର୍ଚ୍ଚବାର୍ଚ୍ଚ କରିବାକୁ ପଡ଼ୁଛି।

ନୂଆ ଜଗତ କ’ଣ? କିଏ ତା’ର ବାସିନ୍ଦାମାନେ? ନା, ଲାଜେଇକି, ମୁରୁକି ମୁରୁକି ହସି ସେ କହିଲା, ସେ ଏବେ ସାହିତ୍ୟ ଜଗତରେ ପାଦ ଦେବାକୁ ବସିଛି ଓ ସାହିତ୍ୟ ସୃଷ୍ଟି କରୁଛି, ଅର୍ଥାତ୍‌ ଶମ୍ଭୁଚରଣ କବି ବନିଯାଇଛି।

ଏତେ ପ୍ରକାର କାମ ଥାଉ ଥାଉ ଏମିତି ବେକାର ଧନ୍ଦାଟି କାହିଁକି ଶମ୍ଭୁଚରଣ ମୁଣ୍ଡେଇ ନେଲା, ଭାବି ଆମେ ସବୁ ଆଶ୍ଚର୍ଯ୍ୟ ହେବାକୁ ଯାଉଛୁ, ସେତେବେଳେ ଶମ୍ଭୁଚରଣ ଆମ ଆଶଙ୍କାଗୁଡ଼ିକୁ ଗୁରୁତ୍ବ ନଦେଇ କହିଲା ଯେ, କବିତା ସେ ଲେଖୁନାହିଁ, ବରଂ କବିତା ତା’କୁ ନେଇ ଲେଖେଇ ହେଉଛି। ଏସବୁ ଐଶ୍ବରିକ ଶକ୍ତି। କାଳିସୀ ଲାଗିଲା ଭଳି ତା’କୁ କବିତା ଘାରୁଛି ଓ ସେଇ ସମୟରେ ତା’ପାଖରେ ସ୍ତ୍ରୀ, ପୁତ୍ର, କନ୍ୟା ପରିବାର, ଚାକିରି, ସଂସାର ସବୁ ତୁଚ୍ଛ ମନେହେଉଛି।

ଶମ୍ଭୁଚରଣ ଅଚିରେ ଦାଢ଼ି ବଢ଼େଇବାକୁ ଲାଗିଲା, ଜିନ୍‌ ପ୍ୟାଣ୍ଟ ଓ ଖଦଡ଼ ପଞ୍ଜାବୀ ପିନ୍ଧିଲା। କାନ୍ଧରେ କନାର ବ୍ୟାଗ୍‌ ଝୁଲେଇବା ଓ ପୁଅକୁ ଗଣିତ ପଢ଼େଇବା ଛାଡ଼ି ଦେଇ କବିତା ପାଠୋତ୍ସବରେ ଯୋଗଦେଇ କିମ୍ବା ଦୈନିକ ସମ୍ବାଦପତ୍ରମାନଙ୍କର ସାପ୍ତାହିକ ସାହିତ୍ୟ ବିଭାଗ ସମ୍ଭାଳୁଥିବା ସାମ୍ବାଦିକ-ସାହିତ୍ୟିକ-ସମ୍ପାଦକ ତଥା ଓଡ଼ିଆ ସାହିତ୍ୟର ନିଜେ ଭାଗ୍ୟ ବିଧାତା ବୋଲାଉଥିବା ଯୁବ ପ୍ରତିଭା ଏ ଗୁଲିଖଟି ଆଡ୍ଡାରେ ଗପସପ ଜମେଇ (ଅବଶ୍ୟ ବରା ଓ ମିଠା ଖୁଆଇ) ଫେରୁଥିବା ଶମ୍ଭୁଚରଣ ଯେ ପାଗଳ ହେଇଯାଇଛି, ସେ ସମ୍ପର୍କରେ ତା’ର ପରିବାରର କୌଣସି ସନ୍ଦେହ ନଥିଲା।

ଥରେ ଶମ୍ଭୁଚରଣ ଘରକୁ ଗଲାବେଳେ ଦେଖିଲି ଶମ୍ଭୁଚରଣର ‘ପରିବାର’ ଉଗ୍ର ଚଣ୍ଡୀ ଭାବରେ ଘରର ଜିନିଷପତ୍ର ଫିଙ୍ଗାଫୋପଡ଼ା କରୁଛି। କଥା କ’ଣ? ବୁଝୁବୁଝୁ କ’ଣ ନା-ପୁଅର ଗଣିତ ବହିରେ ଗୋଟେ ଅଙ୍କ ଥିଲା। ଅଙ୍କଟି ଏଇଭଳି: ତିନୋଟି ଘଣ୍ଟା ଯଦି ୧୦, ୧୫, ୨୦ ମିନିଟ୍‌ ଅନ୍ତରରରେ ଥରେ ଚାଇଁ କରନ୍ତି ଓ ବାରଟା ପନ୍ଦର ମିନିଟ୍‌ରେ ସେମାନେ ଶେଷ ଥର ପାଇଁ ଏକାଠି ଚାଇଁ କରିଥିଲେ, ତେବେ କେତେ ସମୟ ପରେ ସେମାନେ ଆଉଥରେ ଏକାଠି ଚାଇଁ କରିବେ?

ଅଙ୍କଟି ବୁଝଉ ବୁଝଉ ଶମ୍ଭୁଚରଣ ଖୁବ୍‌ ଭାବାବେଗରେ ଆବେଶିତ ହେଇ ପଡ଼ିଥିଲା। ପ୍ରତି ଦଶ ପନ୍ଦର ଓ କୋଡିଏ ମିନିଟ୍‌ରେ ଘଣ୍ଟା ଗୁଡ଼ିକ ଚାଇଁ କରିବାର ଅସହାୟତା, ବାଧ୍ୟବାଧକତା, କିଏ କଲା ଏ ନିୟମ? ହେ ନିଷ୍ଠୁର ବୈଜ୍ଞାନିକ, ଯାନ୍ତ୍ରିକ ଓ ଅଙ୍କ ବିଶାରଦମାନେ, କାହିଁକି ଏ ସିସିପସୀୟ ଯନ୍ତ୍ରଣା? ଘଣ୍ଟାମାନଙ୍କର କ’ଣ ମୁକ୍ତି ନାଇଁ ଆଉ? ପୁଅର ଅଙ୍କ ଖାତାରେ କବିତା ଲେଖି ପକେଇଥିଲା ଶମ୍ଭୁଚରଣ, ଯାହା ତା’ର ଆଲୁଳାୟିତ କେଶ, ସ୍ଖଳିତ ବସନମାଳା: ‘ପରିବାର’ର ତାଣ୍ଡବନୃତ୍ୟ ପାଇଁ ଯଥେଷ୍ଟ ଥିଲା।

କିଛିଦିନ ପରେ, ଗୋଟେ ଚାରିପୃଷ୍ଠିଆ ଦୈନିକ ପତ୍ରିକାର ସାପ୍ତାହିକ ସାହିତ୍ୟ ବିଭାଗର ଗୋଟେ କୋଣରେ, ଅନ୍ତିମ କଲମର ପାଦଦେଶରେ କବିତାଟି ଛପା ଅକ୍ଷରରେ ଝଲମଲ କରୁଥିଲା ଓ ପତ୍ରିକାଟିକୁ ସଯତ୍ନେ ଆମ ଆଡ଼କୁ ବଢ଼େଇ ଦେଲା ବେଳେ ଲାଜୁଆ ହସଟି, ଶମ୍ଭୁଚରଣର ଓଠରେ ଲଟକି ରହିଥିଲା।

ଶମ୍ଭୁଚରଣ ଅଚିରେ କବି ପାଲଟି ଯାଇଥିଲା। ସାପ୍ତାହିକ ସାହିତ୍ୟ ବିଭାଗ ହିଁ ନୁହଁ-ବରଂ ବିଭିନ୍ନ ପତ୍ର ପତ୍ରିକାରେ ତା’ର କବିତା ଛପା ହେଉଥିଲା, ତାହା ଏତେ ପରିମାଣରେ ବିରକ୍ତିକରଣ ଓ ଅପଠନ ଯୋଗ୍ୟ ଥିଲା ଯେ, ଭାଗ୍ୟକୁ ଖାଉଟି ସୁରକ୍ଷା ଆଇନ୍‌ରେ ପତ୍ରିକାମାନେ ଆସୁ ନଥିଲେ ଓ ଓଡ଼ିଶାରେ ସାହିତ୍ୟ ପତ୍ରିକା ପଢ଼ୁଥିବା ଅଧିକାଂଶ ଲୋକେ କିଣି ନୁହେଁ, ମାଗଣାରେ ପଢ଼ୁଥିବାରୁ ଶମ୍ଭୁଚରଣ ରକ୍ଷା ପାଇଯାଉଥିଲା।

ଶମ୍ଭୁଚରଣର ଆଉଗୋଟେ କାମ ହୋଇଯାଇଥିଲା, ସନ୍ଧ୍ୟା ହେଲାମାତ୍ରେ, ସ୍କୁଟର୍‌ ବାହାର କରି ବିଭିନ୍ନ ପତ୍ରିକା ନିମନ୍ତେ ବିଜ୍ଞାପନ ଖୋଜି ବୁଲିବା। କହିବା ବାହୁଲ୍ୟ, ପତ୍ରିକାମାନଙ୍କରେ ତା’ର ବିଜ୍ଞାପନ ଓ କବିତା ବାହାରୁଥିଲା ଏକା ସାଙ୍ଗରେ। ଏତେ ସାଧ୍ୟ ସାଧନା ପରେ ବି କବିତା ଲେଖୁଥିଲା ଶମ୍ଭୁଚରଣ ଓ ଆମକୁ କହୁଥିଲା କି ସାହିତ୍ୟିକ ବୋଲାଉଚ ହେ ସବୁ? ସାହିତ୍ୟ ସାଧନା କଥାଟା ଜାଣିନ? ସାହିତ୍ୟ ହେଲା କବିତା ଓ ସାଧନା ହେଲା ବିଜ୍ଞାପନ ଯୋଗାଡ଼ କରିବା।

ଦିନେ ରାତି ଦଶଟା ବେଳେ ଶମ୍ଭୁଚରଣ ହାଜର ଆମ ଘରେ। କଥା କ’ଣ ନା, ତା’ର କବିତା ବହି ବାହାରିବ। କବିତା ବହି ବାହାରିବ, ଏ ଏକ ଉତ୍ତମ ପ୍ରସ୍ତାବ। କିନ୍ତୁ ରାତି ଦଶଟା ବେଳେ ଆସିକି ଏ ଖବର ଦେବାର ଅର୍ଥ କ’ଣ? ନା, ତମେ ଭାଉଜଙ୍କୁ ଟିକିଏ ବୁଝାଅ। ଅଥଚ ଭାଉଜଙ୍କୁ ବୁଝେଇବାର କ’ଣ ଅଛି? ଶମ୍ଭୁଚରଣ କବିତା ଲେଖୁଚି; ତା’ର ବହି ବାହାରିବ। ଅଥଚ ତା’ର ପରିବାରର ଆପତ୍ତି କରିବାର କ’ଣ ଅଛି? ନା, ଏ ତା’ର ଗହଣା ଗାଣ୍ଠି ବନ୍ଧା ପକେବାକୁ ଚାହୁଁନି। ମୁସ୍କିଲ୍‌ କଥା।

ଏଇ ଘଟଣାର ଦେଢ଼ ବର୍ଷ ପରେ, ଶମ୍ଭୁଚରଣର ବହି ବାହାରିଲା। ଡି.ଟି.ପି. କରାହେଲା। କଭର୍ ଆର୍ଟ ହେଲା। ଲ୍ୟାମିନେସନ୍‌ ହେଲା। ଏସବୁ ଧନ୍ଦାରେ ଶମ୍ଭୁଚରଣ ଦେଢ଼ବର୍ଷ କବିତା ଲେଖିପାରି ନଥିଲା। ପଚାରିଲେ ସେଇ ଲାଜୁଆ ହସ, ଭାଇ ବହି ଛାପିବା ଏତେ ଜଞ୍ଜାଳର କାମ, ଆଗରୁ କ’ଣ ଜାଣିଥିଲି ? କହିବା ବାହୁଲ୍ୟ, ତା’ର ପରିବାରର ଗହଣା ଗୁଡ଼ିକ ଡି.ଟି.ପି., ଲ୍ୟାମିନେସନ୍‌ ଓ କଭର୍‌ ଆର୍ଟରେ ବଦଳି ଯାଇଥିଲା ଓ ସେଇ ଶୋଭନ ପ୍ରଚ୍ଛଦପଟ ଭିତରେ ଥିବା କବିତାଗୁଡ଼ିକ ଏକଦା ଶମ୍ଭୁଚରଣ ଲେଖିଥିଲା, ଆମର ବିଶ୍ବାସ ହେଉ ନଥିଲା। ଅବଶ୍ୟ ବହିଟି ଶମ୍ଭୁଚରଣ ତା’ର ପରିବାରକୁ ହିଁ ଉତ୍ସର୍ଗ କରିଥିଲା।

ବହି ବାହାରିବାର ଅଳ୍ପ ଦିନ ପରେ ଶମ୍ଭୁଚରଣ ଦିନେ ଆଉଥରେ ରାତି ଦଶଟାରେ ପହଞ୍ଚିଥିଲା। କଥା କ’ଣ? ନା, ସହରର ପ୍ରସିଦ୍ଧ ବହି ଦୋକାନୀ ‘ମଡ଼ର୍ଣ୍ଣ ବୁକ୍‌ ହାଉସ୍‌’ ତା’ର ବହି ରଖିବାକୁ ରାଜି ହେଉନି। କାହିଁକି? ଶମ୍ଭୁଚରଣ ତ ଆଗତୁରା ବହିର ଦାମ୍‌ ମାଗୁନି। ଖାଲି ଚାହୁଁଛି ବହି କେତେଖଣ୍ଡ ଦୋକାନରେ ରଖ। ବିକ୍ରୀ ହେଲେ ତିରିଶ ପ୍ରତିଶତ କମିଶନ କାଟି ବାକି ଟଙ୍କାତକ ଫେରେଇ ଦିଅ। ତେବେ ବହି ରଖିବନି କାହିଁକି?

ମଡ଼ର୍ଣ୍ଣ ବୁକ୍‌ ହାଉସ୍‌ରେ ମାଲିକ କହିଲେ, ଆଜ୍ଞା ମୁଁ କ’ଣ ବହି ରଖିବାକୁ ଅରାଜି ଅଛି? ହେଲେ ଆଜ୍ଞାଙ୍କର ସର୍ତ୍ତ ପାଖରେ ମୁଁ ନାଚାର ହେଇ ଯାଉଛିନା!
ଆଜ୍ଞାଙ୍କର ସର୍ତ୍ତ କ’ଣ ନା, କବି ଚାହୁଁଛନ୍ତି, ମଡ଼ର୍ଣ୍ଣ ବୁକ୍‌ ହାଉସ୍‌ର ବେଷ୍ଟ୍‌ ସେଲ୍‌ସ୍‌ର ବହି ରଖାହେଇ ଯେଉଁ ଚକଟି ବୁଲୁଚି ସେଇ ଚକ ଉପରେ ବହିଟି ଥୁଆ ହେବ। କବିଙ୍କୁ ତ ତମେ କିଛି ହିଁ ଦେଉନ ହେ। ନା ସମାଜରେ ପ୍ରତିଷ୍ଠା, ନା ଧନରତ୍ନ, ନା କୋଠାବାଡ଼ି। ବିନିମୟରେ ଖାଲି ତାଙ୍କ ବହିଟିକୁ ଚକ ଉପରେ ଥୋଇ ଦେବ, ଏତିକି ତମେ ପାରିବନି? ଧିକ୍‌ ତମକୁ। ଧିକ୍‌ ତମର ସମାଜ ବ୍ୟବସ୍ଥାକୁ, ତମର ବିଚାର ପଣିଆକୁ।

ଶେଷରେ ମଡ଼ର୍ଣ୍ଣ ବୁକ୍‌ ହାଉସ୍‌ର ବେଷ୍ଟ୍‌ ସେଲସ୍‌ର୍‌ ଘୁରନ୍ତା ଚକ ଉପରେ ଶମ୍ଭୁଚରଣ କବିତା ବହି ଥୁଆହେଲା ଓ ତାହା ସୂର୍ଯ୍ୟକୁ ଚନ୍ଦ୍ର ପ୍ରଦକ୍ଷିଣ କଲା ଭଳି ବୁଲିବାକୁ ଲାଗିଲା। ଅନନ୍ତର ଶମ୍ଭୁଚରଣକୁ ଆଉ ଗୋଟେ ଭୂମିକାରେ ଦେଖିବାକୁ ମିଳିଲା। ଏଥର ତା’ର ଦାଢ଼ି ହେଲା ଅଯତ୍ନବର୍ଦ୍ଧିତ। ସାର୍ଟ ପ୍ୟାଣ୍ଟ୍‌ ଆହୁରି ମଳିନ। ସେ ସଂସାର ପ୍ରତି ହେଇଗଲା ଆହୁରି ଉଦାସୀନ। ଅଫିସରେ କାମ ଦାମ କଲାନି। ଆହୁରି ଅନ୍ୟମନସ୍କ ହେଲା। ହିସାବକିତାବରେ ଏମିତି ଭୁଲ୍‌ଭାଲ୍‌ କଲା ଯେ, ଅଫିସର୍‌ ଫାଇଲ୍‌ ଫିଙ୍ଗିଲେ ତା’ ଉପରକୁ।

ଶମ୍ଭୁଚରଣ ସନ୍ଧ୍ୟା ପାଞ୍ଚଟା ହେଲାମାତ୍ରେ ଅସ୍ଥିର ହେଇ ଉଠୁଥିଲା। ଅଫିସ୍‌ରୁ ତରତର ହୋଇ ବାହାରି ଯାଉଥିଲା। ନା, ସେ ଘରକୁ ଯାଉ ନଥିଲା, ହାଟକୁ ଯାଉ ନଥିଲା। ସାହିତ୍ୟ ସଭାକୁ, ଆଡ୍ଡାକୁ କିମ୍ବା ବିଜ୍ଞାପନ ଯୋଗାଡ଼କୁ ବି ଯାଉ ନଥିଲା। ସେ ସିଧା ମଡ଼ର୍ଣ୍ଣ ବୁକ୍‌ ହାଉସ୍‌ ପାଖକୁ ଯାଉଥିଲା। ଦୋକାନ କଡ଼ରେ ଥିବା ପାନଦୋକାନରୁ ସିଗାରେଟ୍‌ କିଣି, ଅଧଘଣ୍ଟା କାଳ ସିଗାରେଟ୍‌ ଫୁଙ୍କି ଫୁଙ୍କି ସେ ମଡ଼ର୍ଣ୍ଣ ବୁକ୍‌ ହାଉସ୍‌ର ଘୁରନ୍ତ ଚକ ଓ ତା’ର ଶୋଭନ ପ୍ରଛଦର ବହିକୁ ଅନେଇ ରହୁଥିଲା। ସେତେବେଳେ ତା’କୁ ଦେଖିଲେ କେମିତି ଆଉ ଗୋଟେ ଶମ୍ଭୁଚରଣକୁ ଦେଖିଲା ଭଳି ଲାଗୁଥିଲା ଆମକୁ। ତା’ ଦେହରେ ଯେମିତି ଲୋଟେଇ ଯାଇଛି ଲତା, ଚରିଯାଇଛି ଉଇହୁଙ୍କା, ବେଢ଼ି ଯାଇଚି ଅନାବନା ଘାସ ଓ ସେ ଠିଆ ହୋଇ ରହିଛି।

ଏଇ ଶମ୍ଭୁଚରଣଟି ଆଉ ଯାହା ଥାଉ ନଥାଉ ସେ ଆଉ କବିତା ଲେଖୁ ନଥିଲା। କାହିଁକି ଲେଖୁ ନଥିଲା, ସେଇଟି ହିଁ କାହାରିକୁ ଜଣାନଥିଲା। ସ୍ବୟଂ ଶମ୍ଭୁଚରଣକୁ ବି ନୁହଁ। ତାହାହିଁ ଥିଲା ରହସ୍ୟ।

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.