ଭୁବନେଶ୍ୱର,୧୪/୧୧:
ପରକୀୟା ପ୍ରୀତି କଣ୍ଟକିତ କଳଙ୍କମୟ । ଏପରି ସଂପର୍କ ବାହାରେ ପ୍ରକାଶ ପାଇଲେ ହଟହଟା ହେବାସହ ଜୀବନ ଚାଲିଯିବାର ଭୟଥାଏ । ବନ୍ଧୁପତ୍ନୀ ସହ ପରକୀୟା ପ୍ରୀତିରେ ମାତିଥିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ସେହି ଯୁବକ ଜଣକ ହେଲେ ଜ୍ଞାନ ରଂଜନ ପରିଡା (୩୩)। ବନ୍ଧୁ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଛନ୍ତି । ଯାହାଫଳରେ ଜ୍ଞାନ ନିଜର ୪ଟି ଅଙ୍ଗୁଳି ହରାଇଛନ୍ତି । ପ୍ରାପ୍ତ ସୂଚନାରୁ ପ୍ରକାଶଯେ ଖଣ୍ଡଗିରି ଥାନା ଅନ୍ତର୍ଗତ ଏକ ବସ୍ତିରେ ସପରିବାର ରୁହନ୍ତି ଜ୍ଞାନ ରଂଜନ ପରିଡା । ସେହିଭଳି ଆକ୍ରମଣ କାରି ଯୁବକ ମଧ୍ୟ ସେହି ବସ୍ତିରେ ସପରିବାର ରହୁନ୍ତି । ଆହତ ଜ୍ଞାନ ଏବଂ ଉକ୍ତ ଯୁବକ ଦୁହେଁ ଘନିଷ୍ଠ ବନ୍ଧୁ। ଉଭୟେ ପରସ୍ପରର ଘରକୁ ଯା ଆସ କରନ୍ତି। ଜ୍ଞାନ ଉକ୍ତ ବନ୍ଧୁ ଘରକୁ ବାରଂବାର ଯିବା ଫଳରେ ସେହି ବନ୍ଧୁସ୍ତ୍ରୀଙ୍କ ସହିତ ତାଙ୍କର ସହ ପ୍ରେମ ସମ୍ପର୍କ ଗଢିଉଠିଥିଲା। ଏହି ପ୍ରେମ ସମୟକ୍ରମେ ଶାରିରୀକ ସଂପର୍କର ଋପ ନେଇଥିଲା । ସାଙ୍ଗ ଘରେ ନ ଥିବାବେଳେ ଜ୍ଞାନ ତାଙ୍କ ଘରକୁ ଯାଇ ତାଙ୍କ ସ୍ତ୍ରୀଙ୍କ ସହିତ ଶାରୀରିକ ସମ୍ପର୍ରେ ଲିପ୍ତ ରହୁଥିଲେ । କିଛିଦିନ ତଳେ ଜ୍ଞାନ ସାଙ୍ଗ ଘରକୁ ଯାଇ ତାଙ୍କ ସ୍ତ୍ରୀ ସହ ଶାରୀରିକ ସମ୍ପର୍କ ରଖିବା ସମୟରେ ସେହି ବନ୍ଧୁ ଘରକୁ ଚାଲିଆସିଥିଲେ। ନିଜ ସ୍ତ୍ରୀ ସହ ଜ୍ଞାନକୁ ଅସଂଯତ ଅବସ୍ଥାରେ ଦେଖି ଗାଳିଗୁଲଜ କରିଥିଲେ। ପରେ ତାଙ୍କ ସ୍ତ୍ରୀଙ୍କୁ ଗଞ୍ଜାମ ସ୍ଥିତ ନିଜ ଗାଁରେ ଛାଡ଼ିଆସିଥିଲେ । କିନ୍ତୁ ପ୍ରେମରେ ମସଗୁଲଥିବା ପ୍ରେମୀ ଯୁଗଳ ମୋବାଇଲରେ କଥା ହେଉଥିବା ଖବର ପାଇଥିଲେ। ତେଣୁ ଜ୍ଞାନ କୁ ଆକ୍ରମଣ କରିବାକୁ ସେ ଯୋଜନା କରିଥିଲେ। ମଙ୍ଗଳବାର ଅପରାହ୍ନ ପ୍ରାୟ ୨ଘଣ୍ଟା ସମୟରେ ଜ୍ଞାନ ତାଙ୍କର ଜଣେ ସାଥିଙ୍କ ଘର ବାଟ ଦେଇ ଫେରୁଥିଲେ। ପୂର୍ବରୁ ପ୍ରସ୍ତୁତ ଥିବା ତାଙ୍କ ସାଙ୍ଗ ହଠାତ୍ ଏକ ଖଣ୍ଡାରେ ତାଙ୍କ ବାମ ହାତକୁ ଚୋଟ ପକାଇଥିଲେ। ଫଳରେ ତାଙ୍କର ୩ଟି ଅଙ୍ଗୁଳି କଟି ଯାଇ ସେଠାରେ ଛିଣ୍ଡି ପଡିଥିଲା। ଆଉ ଏକ ଚୋଟ ପକାଇବାରୁ ଜ୍ଞାନଙ୍କ ଡାହାଣ ହାତର ଏକ ଅଙ୍ଗୁଳି ଛିଣ୍ଡି ଯାଇଥିଲା। ଜୀବନ ବିକଳରେ ଜ୍ଞାନ ବସ୍ତି ଭିତରେ ଦୌଡିଥିଲେ। ହେଲେ ତାଙ୍କ ସାଙ୍ଗ ତାଙ୍କୁ ଗୋଡାଇ ଗୋଡାଇ ହାଣିଥିଲେ। ବସ୍ତି ଲୋକେ ଚାଲିଆସିବାରୁ ସେ ରାସ୍ତାପାର୍ଶ୍ୱସ୍ଥ ଏକ ଡ୍ରେନରେ ଖଣ୍ଡାକୁ ଫିଙ୍ଗି ଫେରାର ହୋଇଯାଇଥିଲେ। ଜ୍ଞାନଙ୍କ ହାତ ଓ କାନ୍ଧରେ ଗଭିର କ୍ଷତ ହୋଇଛି। ଜ୍ଞାନକୁ ସ୍ଥାନୀୟ ଲୋକେ ଏକ ଘରୋଇ ଡାକ୍ତରଖାନାରେ ଭର୍ତି କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।