ନୂଆଦିଲ୍ଲୀ,୧୮/୨: ପୁଲୱାମା ଆକ୍ରମଣ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି।
ଆର୍ଜେଣ୍ଟିନା ରାଷ୍ଟ୍ରପତିଙ୍କ ସହ ଜାରି ଏକ ଯୁଗ୍ମ ବିବୃତ୍ତିରେ ମୋଦୀ କହିଛନ୍ତି ଯେ, ପାକିସ୍ତାନ ସହ ଆଲୋଚନା କରିବାର ସମୟ ଶେଷ ହୋଇଯାଇଛି। ଆମେ ଅନ୍ତର୍ଜାତୀୟ ସ୍ତରରେ ଅନେକଥର ଆତଙ୍କବାଦ ପ୍ରସଙ୍ଗ ଉଠାଇଲୁ। ଅନେକ ରାଷ୍ଟ୍ରକୁ ଆତଙ୍କବାଦର ଭୟାବହତା ବିଷୟରେ କହିଲୁ। କିନ୍ତୁ ଏବେ ଆଉ ଆଲୋଚନା ହେବନାହିଁ। ଏବେ ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମୟ ଆସିଯାଇଛି।
କୂଟନୀତିକ ଓ ଆର୍ଥିକ ସ୍ତରରେ ପାକିସ୍ତାନକୁ ଏକଘରିକିଆ କରିସାରିଥିବା ଭାରତ ସରକାର ପୁଣିଥରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଥିବା ମୋଦୀଙ୍କ ବକ୍ତବ୍ୟରୁ ସୂଚନା ମିଳୁଛି।