-
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାୟଗଡା ଗସ୍ତ
-
ଏଲ୍ପିଜି ବଟ୍ଲିଂ ପ୍ଲାଂଟର ଶିଳାନ୍ୟାସ ଓ ରେଳବାଇ ଫୁଟ ଓଭରବ୍ରିଜର ଲୋକର୍ପଣ
-
ପୋଷ୍ଟାଲ ଡିଭିଜନ ଓ ପାର୍ସପୋର୍ଟ କାର୍ଯ୍ୟାଳୟ ହେବ ରାୟଗଡାରେ
-
ଯୋଗ ଦେଲେନି ସାଂସଦ କି ସ୍ଥାନୀୟ ବିଧାୟକ
ରାୟଗଡ଼ା,୧୯/୨: ଭାରତ ସରକାରଙ୍କ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଓଡ଼ିଶାର ରାୟଗଡ଼ା ଠାରେ ଏଚ୍ପିସିଏଲ୍ର ଏଲ୍ପିଜି ବଟ୍ଲିଂ ପ୍ଲାଂଟର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥି ସହିତ ଜୟପୁର ଠାରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ନୂତନ କୋଠାଘର ନିମନ୍ତେ ଏବଂ ବିମାନ ଇନ୍ଧନ ଷ୍ଟେସନର ମଧ୍ୟ ଶିଳାନ୍ୟାସ କରିଛନ୍ତି । ଶ୍ରୀ ପ୍ରଧାନ ରାୟଗଡ଼ା, ଲଡ୍ଡା ଏବଂ ଜିମିଡ଼ିପେଟା ଠାରେ ରେଲ୍ୱେ ଫୁଟ ଓଭର ବ୍ରିଜ୍ ଲୋକାର୍ପିିତ କରିବା ସଙ୍ଗେ ସଙ୍ଗେ ନବରଙ୍ଗପୁର ଠାରେ ପୋଷ୍ଟ ଅଫିସ ପାସପୋର୍ଟ ସେବା କେନ୍ଦ୍ର ମଧ୍ୟ ଉଦ୍ଘାଟନ କରିଛନ୍ତି ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଗିରିଧର ଗମାଙ୍ଗ, ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା, ଏମ୍.କେ.ସୁରାନା, ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ (ସିଏମ୍ଡ଼ି), ଏଚ୍ପିସିଏଲ୍, ରାକେଶ ମିଶ୍ର, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ଏଲ୍ପିଜି, ଏଚ୍ପିସିଏଲ୍, ଏସ୍.ଜୟକ୍ରିଷ୍ଣନ୍, ନିର୍ଦ୍ଦେଶକ, ମାର୍କେଟିଂ, ଏଚ୍ପିସିଏଲ୍, କର୍ଣ୍ଣେଲ ଜଳେଶ୍ୱର କହଁର, ପୋଷ୍ଟ ମାଷ୍ଟର ଜେନେରାଲ, ଓଡ଼ିଶା, ସୁଧାଂଶୁ ମିଶ୍ର, ଆଂଚଳିକ ପାସପୋର୍ଟ ଅଧିକାରୀ, ମୁକୁଲ ଶରନ ମାଥୁର, ଡିଆର୍ଏମ୍-ୱାଲଟର, ଇଷ୍ଟ କୋଷ୍ଟ ରେଲ୍ୱେ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଆଜି ପୂର୍ବାହ୍ନରେ ସ୍ଥାନୀୟ ଜିସିଡି ପଡିଆ ଠାରେ ସାଢେ ୧୧ଟା ସମୟରେ ହେଲିକେପ୍ଟର ଯୋଗେ ଅବତରଣ କରିଥିବା ବେଳେ ଜିଲ୍ଳା ବିଜେପି ନେତା ଓ ଶତାଧିକ କର୍ମୀଙ୍କ ଗହଣରେ ଏକ ବାଇକ ଶୋଭାଯାତ୍ରାରେ ମୁଖ୍ୟ ବଜାର ପରିକ୍ରମା କରି ସେ ରେଳବାଇ ପଡିଆ ଠାର ଅନୁଷ୍ଠିତ ସଭାସ୍ଥଳକୁ ଯାଇଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କେବିକେ ଅଂଚଳର ବିକାଶ ପ୍ରକ୍ରିୟାକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଗତବର୍ଷ ବଲାଙ୍ଗୀରରେ ଏକ ଏଲ୍ପିଜି ବଟ୍ଲିଂ ପ୍ଲାଂଟର ଶୁଭାରମ୍ଭ କରାଯାଇଛି ଏବଂ ବର୍ତମାନ ରାୟଗଡ଼ା ବଟ୍ଲିଂ ପ୍ଲାଂଟ ଏହି କ୍ଷେତ୍ରରେ ଆର୍ଥିକ ବିକାଶରେ ସାହାଯ୍ୟ କରିବ ଏବଂ କେବିକେ ଅଂଚଳରେ ଯୁବବର୍ଗଙ୍କୁ ରୋଜଗାରର ନୂତନ ଅବସର ମଧ୍ୟ ପ୍ରଦାନ କରିବ । ଏଚ୍ପିସିଏଲ୍ର ଏଲ୍ପିଜି ବଟ୍ଲିଂ ପ୍ଲାଂଟ ଆସନ୍ତା ୨୦୨୦ ମସିହା ସେପ୍ଟେମ୍ବର ମାସ ସୁଦ୍ଧା କାର୍ଯ୍ୟକ୍ଷମ ହେବାର ଲକ୍ଷ୍ୟ ରଖା ଯାଇଥିବା ବେଳେ ଏହା ଓଡ଼ିଶାର ଦ୍ୱିତୀୟ ପ୍ଲାଂଟ ହେବ ଏବଂ ଏଥିପାଇଁ ୯୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ୬୦ ଏମ୍ଏମ୍ଟିପିଏ କ୍ଷମତା ବିଶିଷ୍ଟ ଏହି ବଟ୍ଲିଂ ପ୍ଲାଂଟରେ (ବର୍ଷକୁ ୪୨ ଲକ୍ଷ ସିଲିଣ୍ଡର) ୨୪ଟି ପ୍ରମୁଖ ଇଲେକ୍ଟ୍ରୋନିକ୍ କରୋଜଲ ସହ ଫିଲିଂ କରିବାର କ୍ଷମତା ରହିବ । ଏହି ନୂତନ ପ୍ଲାଂଟରେ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ସମ୍ବଳିତ ମାଉଣ୍ଡେଡ୍ ଷ୍ଟୋରେଜ୍ ରହିବ । ରାୟଗଡ଼ା ଠାରେ ଏହି ବଟ୍ଲିଂ ପ୍ଲାଂଟ କାର୍ଯ୍ୟକ୍ଷମ ହେବା ପରେ କେବଳ ଯେ ଓଡ଼ିଶାର ବଲାଙ୍ଗୀର, କଳାହାଣ୍ଡି, ସୋନପୁର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ବୌଦ୍ଧ, ଗଜପତି, କନ୍ଧମାଳ, ରାୟଗଡ଼ା ଏବଂ ନୂଆପଡ଼ା ଆଦି ବିଭିନ୍ନ ଜିଲ୍ଳାର ଉପଭୋକ୍ତାଙ୍କୁ ଏଲ୍ପିଜି ସିଲିଣ୍ଡର ଯୋଗାଣ କରିବ ତାହା ନୁହେଁ, ଏହା ସ୍ଥାନୀୟ ଯୁବକଙ୍କୁ ପ୍ରତ୍ୟେକ୍ଷ ତଥା ପରୋକ୍ଷ ଭାବେ ନିଯୁକ୍ତି ସୁଯୋଗ ପ୍ରଦାନ କରିବ । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ ବିଭିନ୍ନ ତୈଳ ବିପଣନ କମ୍ପାନୀ ମାନଙ୍କ ଦ୍ୱାରା ଓଡ଼ିଶାରେ ୩୭.୧୬ ଲକ୍ଷ ଏଲ୍ପିଜି ସଂଯୋଗୀକରଣ କରାଯାଇଛି । ୨୦୧୪ ମସିହାଠାରୁ ଏଲ୍ପିଜି ଉପଭୋକ୍ତାଙ୍କ ସଂଖ୍ୟା ୨୦.୨୨ ଲକ୍ଷରୁ ବୃଦ୍ଧି ଘଟି ୨୦୧୯ ମସିହାରେ ୭୬.୬୫ ଲକ୍ଷରେ ପଂହଚିଛି ଯାହାର ଅଭିବୃଦ୍ଧି ହାର ୨୦% ରୁ ୭୧.୫% କୁ ବୃଦ୍ଧି ଘଟିଛି । ଏଚ୍ପିସିଏଲ୍ର ରାୟଗଡ଼ା ଏଲ୍ପିଜି ବଟ୍ଲିଂ ପ୍ଲାଂଟ କାର୍ଯ୍ୟକ୍ଷମ ହେବା ପରେ ନୂତନ ଅଭିବୃଦ୍ଧି, ଏଲ୍ପିଜି କଭରେଜ୍ରେ ଆହୁରି ବୃଦ୍ଧି ଘଟିବା ସହ ଏହା ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାକୁ ଅଧିକ ସୁଦୃଢ କରିବ ବୋଲି କହିବା ସହ ଦୀର୍ଘ ୧୯ବର୍ଷ ଧରି ଶାସନ ଗଦିରେ ବସିଥିବା ବିଜେଡିର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନକୁ ଦେଖି ଏବେ ସମସ୍ତଙ୍କୁ ଆପଣ ମାନେ କୁସି ତ,ମୁଁ ବି କୁସି କହି ପ୍ରଥମେ ସମ୍ବୋଧନ କରିବା ଦ୍ୱାରା ତାଙ୍କର ଅସଫଳ ଯୋଜନା ଗୁଡିକର ରୂପାୟନର ମୁଖ ପଦାରେ ପକାଉଛି ବୋଲି ସେ କହିଥିଲେ ।
ସେହିପରି ରାୟଗଡା ଠାରେ ଗୋଟିଏ ପୋଷ୍ଟାଲ ଡିଭିଜନ ସହ ପାସପୋର୍ଟ କାର୍ଯ୍ୟାଳୟ ଖୋଲିବା ପାଇଁ ପ୍ରସ୍ତାବ ରଖା ଯାଇଥିବା ନେଇ ନିଜ ଅଭିଭାଷଣରେ କହିଥିଲେ । ଥେରୁବାଲି-ଗୁଣପୁର-ନୈାପଡା ରେଳ ସଂଯୋଗୀକରଣରେ ପଦ୍ମପୁରକୁ ମଧ୍ୟ ରେଳ ଯାତ୍ରା ସଂଯୋଗ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ଦାବିକୁ ନେଇ କେନ୍ଦ୍ର ସରକାରଙ୍କ ଠାରେ ପ୍ରସ୍ତାବ ଦିଆଯାଉ ବୋଲି ୱାଲଟର ଡିଭିଜନର ଡିଆରଏମଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଏହି ଉଦଘାଟନ କାର୍ଯ୍ୟକ୍ରମରେ ବିଜେଡିର କୋରାପୁଟ ଲୋକସଭା ସାଂସଦ ଝିନ୍ନ ହିକକା ଓ ରାୟଗଡା ବିଧାୟକ ତଥା ଜିଲ୍ଳା ଯୋଜନା କମିଟି ଅଧ୍ୟକ୍ଷ ଲାଲବିହାରୀ ହିମିରିକାଙ୍କୁ ଗରିମାମୟ ଅତିଥି ଭାବେ ଉପସ୍ଥିତ ପାଇଁ ନିମନ୍ତ୍ରଣ କାର୍ଡରେ ଉଲ୍ଳେଖ ରହିଥିଲେ ମଧ୍ୟ ଦୁହେଁ ବିଜେଡି ନେତା ଉପସ୍ଥିତ ନ ଥିବାରୁ ରାୟଗଡାରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ସେହିପରି ଏହି କାର୍ଯ୍ୟକ୍ରମରେ ୮ହଜାରରୁ ଉର୍ଦ୍ଧ ଜନ ସମାଗମ ହୋଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଗସ୍ତକୁ ନେଇ ଜିଲ୍ଳା ପୋଲିସ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ଦେଖିବାକୁ ମିିଳିଥିଲା ।