-
ବଡ ଧରଣର ମାଓ ହିଂସା ପାଇଁ ଯୋଜନା କରୁଥିବା ସନ୍ଦେହ
-
ଗଛ ଉପରେ ଲୁଚାଇ ରଖିଥିଲେ ମାଓ ସାମଗ୍ରୀ ବ୍ୟାଗ
ରାୟଗଡା: ରାୟଗଡା ଜିଲ୍ଳାର ମାଓ ପ୍ରବଣ ଅଂଚଳରେ ମାଓବାଦୀ କାର୍ଯ୍ୟକଳାପ ତଥା ସେମାନଙ୍କ ଗତିବିଧିକୁ ନଜରରେ ରଖି ବିଭିନ୍ନ ସମୟରେ ପୋଲିସ ସୁରକ୍ଷା ବଳ ପକ୍ଷରୁ କୁମ୍ଭିଂ ଅପରସେନ ଚାଲୁ ରହିଥିବାରୁ ଜିଲ୍ଳାରେ ଏକ ପ୍ରକାର ମାଓହିଂସା ହ୍ରାସ ହୋଇଥିିବା ବେଳେ ମାଓବାଦୀମାନେ ନିଜର ଉପସ୍ଥିତି ଜାହିର କରିବା ପାଇଁ ଦୁର୍ଗମ ପାହାଡ ଘେରା ଘଂଚ ଜଙ୍ଗଲରେ ଲୁଚି ରହି ନିଜର ମାଓକ୍ୟାମ୍ପ ଚଳାଇଥିବା ବେଳେ ପୋଲିସ ସୁରକ୍ଷା ବଳ ନିଜର ଗୁଇନ୍ଦା ରିପୋର୍ଟ ପ୍ରକାରେ ଅପରେସନ୍ କରି ସେଗୁଡିକକୁ ପଣ୍ଡ କରିବାରେ ସଫଳ ହେଉଥିବା ଜଣାପଡିଛି । ନିଜସ୍ୱ ଗୁଇନ୍ଦା ରିପୋର୍ଟ ପ୍ରକାରେ ଗୁରୁବାର ଦିନ ୪ର୍ଥ ବାଟାଲିୟନ ସିଆରପିଏଫର ସେକେଣ୍ଡ-ଇନ୍- କମାଣ୍ଡଡେଂଟ ଶ୍ରୀମତି ମିତୁ ରଏଙ୍କ ନେତୃତ୍ୱରେ ଏକ ଅପରେସନ୍ ରାୟଗଡା ଜିଲ୍ଳା କଲ୍ୟାଣସିଂହପୁର ବ୍ଳକ ପାର୍ସାଲି ପଂଚାୟତରେ ଥିବା ନିୟମଗିରିି ପାହାଡର ପାତଲମ୍ବା-ଟୁଲୁଆ-ତେନ୍ତୁଳିପଦର ଅଂଚଳର ଜଙ୍ଗଲରେ ମାଓବାଦୀଙ୍କ କିଛି ଗତିବିଧିକୁ ଦୃଷ୍ଟିରେ ରଖି ସାଢେ ୧୧ଟା ସମୟରେ ଆସିସିଷ୍ଟାଂଟ କମାଣ୍ଡଡେଂଟ ଗୁରୁଚରଣ ସ୍ୱାଇଁଙ୍କ ଉପସ୍ଥିତିରେ ଏକ ୩୦ଜଣିଆ ସିଆରପିଏଫ ଯବାନଙ୍କ ଟ୍ରୁପ୍ ଉକ୍ତ ଅଂଚଳରେ ଅପରେସନ୍ ଆରମ୍ଭ କରିଥିଲେ । ପ୍ରଥମେ ଟ୍ରୁପ୍ ଟୁଲୁବା ଗ୍ରାମ ନିକଟରେ ପଂହଚିବା ପରେ ନିକଟସ୍ଥ ଜଙ୍ଗଲରେ ମାଓକ୍ୟାମ୍ପ ରହିଥିବା ଖବର ପାଇଥିଲେ । ଟ୍ରୁପ୍ ପକ୍ଷରୁ ଉକ୍ତ ଅଂଚଳକୁ କର୍ଡନ କରାଯାଇ ଅପରେସନ୍ କରାଯାଇଥିବା ବେଳେ ଗୋଟିଏ ଗଛ କରୋଡରେ କିଛି ବ୍ୟାଗରେ ମାଓ ସାମଗ୍ରୀ ରହିଥିବା ସନ୍ଦେହ କରି ସିଆରପିଏଫର ବୋମା ଓ ଡଗ୍ ସ୍କାର୍ଡକୁ ଖବର ଦେଇଥିଲେ । ଖବର ପାଇ ଉଭୟ ଦ୍ୱୟ ଟିମ୍ ଘଟଣାସ୍ଥଳକୁ ଯାଇ ଗଛରୁ ବ୍ୟାଗ କାଢିବା ସହ ଆଖପାଖ ଅଂଚଳରେ ଛାନଭିନ୍ କରିଥିବା ବେଳେ ବ୍ୟାଗଗୁଡିକରେ ମାଓବାଦୀଙ୍କ ପୋଷାକ ,୧୫ଟି ଜିଲୋଟିନ୍,୧୫ଟି ଡିଜେନେଟର,୫ଟି ବ୍ୟାଗ,୧୦ମିଟର ବିଦ୍ୟୁତ ତାର,୫ଟି ବ୍ୟାଟେରି,ଗୋଟିଏ ୱାଇର କଟର,ମାଓବାଦୀ ପୋଷ୍ଟର,ଟର୍ଚ୍ଚ,ଲାଇଟର,ଖାଲିଥିବା ପରିଚୟ ପତ୍ରକାର୍ଡ,ଖାଦ୍ୟ ସାମଗ୍ରୀ,ଟିଫିନ୍ ବୋମା ପ୍ରସ୍ତୁତ ପାଇଁ ଛୋଟ ଟିଫିନ ବକ୍ସ,୫ମିଟର ପ୍ଳାଷ୍ଟିକ ଦଉଡି,ଔଷଧ ସହ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରାଯାଇଛି । ସେହିପରି ମାଓ ପୋଷ୍ଟରରେ ପୋଲିସ ଓ ସିଆରପିଏଫଙ୍କ ଖବରଦାତା ଭାବେ କାମ କରୁଥିବା ଦଲାଲଙ୍କୁ ପ୍ରଜାକୋର୍ଟରେ ଦଣ୍ଡ ଦିଆଯିବ ବୋଲି ଉଲ୍ଳେଖ ରହିଥିବା ବେଳେ ମାଓବାଦୀ ବୋଲି ମଧ୍ୟ ଦସ୍ତଖତ ରହିଛି । ବିପୁଳ ପରିମାଣରେ ଜବତ ହୋଇଥିବା ମାଓ ସାମଗ୍ରୀକୁ ନେଇ ମାଓବାଦୀମାନେ ଏକ ବଡଧରଣ ମାଓ ହିଂସାର ଯୋଜନା କରୁଥିବା ସନ୍ଦେହ କରାଯାଉଛି ତେବେ ସେମାନଙ୍କ ଯେତେ ଯୋଜନା ହେଲେ ମଧ୍ୟ ସମସ୍ତ ଯୋଜନାକୁ ପଣ୍ଡ କରି ଜବାବ୍ ଦେବାକୁ ସିଆରପିଏଫ ଯବାନ ପ୍ରସ୍ତୁତ ଅଛନ୍ତି ବୋଲି ରାୟଗଡାରେ ଥିବା ସିଆରପିଏଫ ହେଡକ୍ୱାଟର୍ସରେ ସେକେଣ୍ଡ ଇନ୍ କମାଣ୍ଡଡେଂଟ ଶ୍ରୀମତି ମିତୁ ରଏ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପ୍ରକାଶ ଥାଉ କି ନିୟମଗିରିର ଦୁର୍ଗମ ପାହାଡରେ ମାଓବାଦୀମାନେ ନିଜକୁ ସୁରକ୍ଷିତ ଭାବି ଆତ୍ମଗୋପନ କରି ଜିଲ୍ଳାରେ ମାଓହିଂସା କରିବାକୁ ଯୋଜନା କରୁଥିବା ବେଳେ ଗତ କିଛି ଦିନ ତଳେ ବିଷମକଟକ-ରାୟଗଡା ରାଜ୍ୟ ରାଜପଥର ଚାଟିକୋଣା ଠାରେ ଦୁଇଟି ଆଇଡି ବୋମା ପୋଲିସକୁ ଟାର୍ଗେଟ କରି ଖଂଜିଥିବା ବେଳେ ସେଥିରୁ ଗୋଟିଏ ବୋମା ପୂର୍ବରୁ ହିଁ ବିସ୍ପୋରଣ ହୋଇଥିବା ବେଳେ ଆଉ ଗୋଟିଏ ବୋମାକୁ ବମ୍ ସ୍କାର୍ଡ ଦ୍ୱାରା ଉଦ୍ଧାର କରାଯାଇଥିଲା । ଏଥିରୁ ଅନୁମାନ କରାଯାଇ ପାରେ ଯେ ଦୀର୍ଘ ବର୍ଷ ଧରି ରାୟଗଡ ଜିଲ୍ଳା ମାଓବାଦୀଙ୍କ କବଜାରୁ ମୁକ୍ତ ହୋଇପାରିନାହିଁ ।