ଭୁବନେଶ୍ବର,୨୫/୨ :ସୁଦୂର ସାଇବେରିଆ, କାଜାକିସ୍ତାନ, ତିବତ, ଅଷ୍ଟ୍ରେଲିଆ, ମଙ୍ଗୋଲିଆ, ହିମାଳୟ ପାଦଦେଶ, ମାନ ସରୋବର ପ୍ରଭୃତି ଇଲାକାରୁ ଶିତଦିନେ ଚିଲିକା ଆସିଥିବା ବିଦେଶାଗତ ଅତିଥି ପକ୍ଷୀଙ୍କ ଘର ବାହୁଡା ଆରମ୍ଭ ହୋଇଛି । ଗତବର୍ଷ ଅକ୍ଟୋବର ମାସରେ ଏମାନେ ଚିଲିକାକୁ ଆସିଥିଲେ । ଶିତର ମାତ୍ରା କମି କମି ଆସୁଥିବାରୁ ଏମାନେ ଗତାନୁଗତ ଭାବେ ଗୃହାଭିମୂଖି ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ୫ ଲକ୍ଷରୁ ଅଧିକ ବିଦେଶାଗତ ଅତିଥି ପକ୍ଷୀଙ୍କ ଘର ବାହୁଡା ହୋଇଥିବା ବେଳେ ବାକି ୫ ଲକ୍ଷରୁ ଅଧିକ ପକ୍ଷୀ ଚିଲିକାର ନଳବଣ ଓ ତଟବର୍ତ୍ତୀ ଇଲାକାରେ ଡେରା ପକାଇ ରହିଛନ୍ତି । ଚଳିତ ବର୍ଷ ଚିଲିକାକୁ ୧୦ ଲକ୍ଷ ୪୭ ହଜାର ୯୬୮ଟି ବିଦେଶାଗତ ଅତିଥି ପକ୍ଷୀ ଆସିଥିବା ଗଣନା ପରେ ବନ ବିଭାଗ ସୂଚନା ଦେଇଥିଲା। ସେଥି ମଧ୍ୟରୁ ପକ୍ଷୀ ଅଭୟାରଣ୍ୟରେ ୩ ଲକ୍ଷ ୯୩ ହଜାର ୫୪୧ଟି ପକ୍ଷୀ ଚିହ୍ନଟ ହୋଇଥିଲେ। ମୋଟ ୧୮୧ ପ୍ରଜାତିର ବିଦେଶାଗତ ଅତିଥି ପକ୍ଷୀ ଆସିଥିଲେ। ବିଦେଶାଗତ ଅତିଥି ପକ୍ଷୀଙ୍କ କଳରବରେ ଚିଲିକା ପ୍ରକମ୍ପିତ ହୋଇଥିଲା। ପକ୍ଷୀ ପ୍ରେମୀଙ୍କ ଠାରୁ ଆରମ୍ଭ କରି ପର୍ଯ୍ୟଟକ ବେଶ ଖୁସି ହୋଇଥିଲେ।