ନୂଆପଡା,୨୬/୨: ନୂଆପଡା ଜିଲ୍ଲା ରେ ପୁଣି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମାତ୍ର ୫ହଜାର ଟଙ୍କା ପାଇଁ ନୂଆପଡା ଜିଲ୍ଲାର ଉଚ୍ଚ ପଦସ୍ଥ ଅଧିକାରୀ ଡି.ଏସ୍.ପି. ରବୀନ୍ଦ୍ର କୁମାର ସେଠୀ ଆଜି ତାଙ୍କର ସରକାରୀ ବାସ ଭବନ ଠାରେ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତ ରେ ଧରା ପଡିଛନ୍ତି । ପ୍ରକାଶ ଯେ ଗତ ଫେବୃଆରୀ ୬ ତାରିଖରେ ଜଗଦିଶ ଛୁରା କୁ ଜଗୁ ପଟେଲ ଓ ବେଣୁ ପଟେଲ କୌଣସି କାରଣ ବଶତଃ ମାଡ ମାରି ଥିଲେ ବୋଲି ଜଗଦିଶ ଖରିଆର ଥାନା ରେ ଅଭିଯୋଗ କରି ଥିଲେ । ଏ ନେଇ ଖରିଆର ଥାନାରେ କେସ ନମ୍ବର ୨୯/୨୦୧୯ ରେ ଏକ ମାମଲା ରୁଜୁ କରା ଯାଇଥିଲା । ଏଟ୍ରୋସିଟି ଧାରା ଲାଗି ଥିବାରୁ ଏହି କେସ କୁ ଡି.ଏସ୍.ପି ରବୀନ୍ଦ୍ର କୁମାର ସେଠୀ ତଦାରଖ କରୁ ଥିଲେ । ଏହି କେସ କୁ ଚାପି ଦେବା ପାଇଁ ୫ ହଜାର ଟଙ୍କା ଶ୍ରୀ ସେଠୀ ନେଉ ଥିଲା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । କଳାହାଣ୍ଡି ଓ ନୂଆପଡା ଭିଜିଲାନ୍ସ ଡି.ଏସ.ପି. ସତ୍ୟବାନ ମହାନନ୍ଦ, ରାୟଗଡା ଭିଜିଲାନ୍ସ ଡି.ଏସ.ପି. ସୁଶାନ୍ତ କୁମାର ବିଶ୍ୱାଳ, ରାୟଗଡା ଭିଜିଲାନ୍ସ ଇନ୍ସପେକ୍ଟର କଲାବତି ବାଗ, ଭବାନୀପାଟଣା ଭିଜିଲାନ୍ସ ଇନ୍ସପେକ୍ଟର ଡି. ବାସୁଦେବ ରାଓ, ନୂଆପଡା ଭିଜିଲାନ୍ସ ଇନ୍ସପେକ୍ଟର ଶିବରାମ ସାହୁଙ୍କୁ ନେଇ ଏକ ଭିଜିଲାନ୍ସ ଟିମ ଗଠନ କରି ଚଢ଼ାଉ କରି ଡି.ଏ.ପି ରବୀନ୍ଦ୍ର କୁମାର ସେଠୀଙ୍କୁ ଲାଞ୍ଚ ନେଉ ଥିଲା ସମୟ ରେ ତାଙ୍କ ସରକାରୀ ବାସଭବନ ଠାରେ ଗିରଫ କରିଛନ୍ତି । ବର୍ତମାନ ତାଙ୍କର ଗାଁ କେନ୍ଦ୍ରାପଡ଼ା ଜିଲ୍ଲା ସ୍ଥିତ କୁଆଜଙ୍ଗରେ ଥିବା ବାସଭବନ ରେ ମଧ୍ୟ ଏକ ଟିମ ଚଢ଼ାଉ କରି ଛାନଭିନ କରୁଥିବାର ଭିଜିଲାନ୍ସ ଡି.ଏସ.ପି ଶ୍ରୀ ମହାନନ୍ଦ ସୂଚନା ଦେଇଛନ୍ତି ।