ଭୁବନେଶ୍ବର,୨୭/୨: ସିକ୍ୟୁରିଟି ସଂସ୍ଥାରେ ଚାକିରି କରାଇଦେବାର ଲୋଭ ଦେଖାଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ମହିଳା ଥାନା ପୁଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଦ୍ବୟ ହେଲେ କଟକ ଦରଘାବଜାର ଥାନା ଅଞ୍ଚଳର ଦୋଳ ଗୋବିନ୍ଦ ଦାସ ଓରଫ ବାବୁଲି (୩୨) ଓ ଜାମସେଦପୁରର ସାମଲ ନନ୍ଦ ଓରଫ ସମୀର(୨୮)।
ପ୍ରାପ୍ତ ସୂଚନାରୁ ପ୍ରକାଶଯେ ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳର ଉକ୍ତ ଯୁବତୀ ଭୁବନେଶ୍ବରର ଏକ ଘରୋଇ ସଂସ୍ଥାରେ ସୁରକ୍ଷାକର୍ମୀ ଭାବେ କାମ କରୁଥିଲେ। କିଛିଦିନ ତଳେ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଥିଲା। ଏହି ସମୟରେ ତାଙ୍କର ବାବୁଲିଙ୍କ ସହ ଯୋଗାଯୋଗ ହୋଇଥିଲା। ସେ ତାଙ୍କୁ ଚାକିରି କରାଇଦେବେ ବୋଲି କହିଥିଲା। ଯୁବତୀ ଜଣଙ୍କ ବାବୁଲିଙ୍କୁ ଭରସା କରି ୨୩ ତାରିଖରେ କଟକ ଆସିଥିଲେ। ପରେ ଉଭୟ ସନ୍ଧ୍ୟାରେ ଖଣ୍ଡଗିରି ହାଉସିଂ ବୋର୍ଡ କଲୋନୀ ଲେନ୍ ନଂ- ୯ରେ ରହୁଥିବା ସମୀରଙ୍କ ଭଡା ଘରକୁ ଆସିଥିଲେ। ସେଠାରେ ଉଭୟ ଉକ୍ତ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ଏ ସଂପର୍କରେ ଯୁବତୀ ଜଣକ ମହିଳା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।