ନୂଆଦିଲ୍ଲୀ,୨୮/୨: ଭାରତୀୟ ବାୟୁସେନା ପକ୍ଷରୁ ବାଲାକୋଟରେ କରାଯାଇଥିବା ଏୟାର ଷ୍ଟ୍ରାଇକ୍ ରେ ୩୫୦ ଆତଙ୍କବାଦୀ ନିହତ ହେବାପରେ ଭୟରେ ଥରହର ହୋଇଛି ପାକିସ୍ତାନ। ପୂର୍ବରୁ ଅନେକଥର ଅସ୍ତ୍ର ବିରତୀ ଉଲଙ୍ଘନ କରିଥିବା ପାକିସ୍ତାନ ବର୍ତ୍ତମାନ ଅତି ମାତ୍ରାରେ ଉତ୍ତେଜିତ ହୋଇପଡିଛି । ଭାରତୀୟ ସେନା ଉପରେ ପ୍ରତିଶୋଧ ନେବା ଲକ୍ଷରେ ବୁଧବାର ସକାଳୁ ଏଫ-୧୬ ପାକିସ୍ତାନୀ ଜେଟ ଭାରତ ସୀମା ଅତିକ୍ରମ କରିବାର ପ୍ରୟାସ କରୁଥିବାବେଳେ ଭାରତୀୟ ସେନାର ଗୁଳିମାଡରେ ଏହା ଖସିପଡିଛି। ଅପରପକ୍ଷରେ ପାକିସ୍ତାନ ସେନା ବୁଧବାର ସୀମା ପାର୍ କରି ଦୁଇଟି ଭାରତୀୟ ବାୟୁସେନା ବିମାନକୁ ଗୁଳି କରି ଖସାଇ ଦେବା ସହ ଜଣେ ଭାରତୀୟ ପାଇଲଟଙ୍କୁ ବନ୍ଦୀ କରି ନେଇଛି ବୋଲି ଏକ ଭିଡିଓ ରିଲିଜ କରି ଦାବି କରିଛି। ଏହାପରେ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ରବିଶ କୁମାର କହିଛନ୍ତି, ଭାରତୀୟ ଜେଟ ବିମାନ ମିଗ୍ -୨୧ର ପତ୍ତା ଏଯାଏ ମିଳିପାରି ନାହିଁ। ଜଣେ ପାଇଲଟ୍ ନିଖୋଜ ଥିବାର ମଧ୍ୟ ସେ କହିଛନ୍ତି। ଏସବୁ ଭିତରେ ପାକିସ୍ତାନ ବନ୍ଦୀ ରଖିଥିବା ଭାରତୀୟ ପାଇଲଟଙ୍କ କିଛି ବିଗାଡି ପାରିବନି। କାରଣ ଅନ୍ତର୍ଜାତୀୟ ଜେନିଭା ସନ୍ଧିରେ ଯୁଦ୍ଧବନ୍ଦୀଙ୍କ ପାଇଁ ଅନେକ କିଛି ନିୟମ ରହିଛି। ଜାଣନ୍ତୁ କ’ଣ ରହିଛି ନିୟମ –
କୌଣସି ଦେଶର ସୈନିକଙ୍କୁ ଯଦି ଧରାଯାଏ ତେବେ ତାଙ୍କଠାରେ ଜେନିଭା ସନ୍ଧି ଲାଗୁ ହୁଏ। ଏହି ସନ୍ଧି ଅନୁଯାୟୀ ଆହତ ଯୁଦ୍ଧବନ୍ଦୀଙ୍କ ଉପଯୁକ୍ତ ଯତ୍ନ ନେବା । ଏହାସହ ଯୁଦ୍ଧବନ୍ଦୀଙ୍କ ଖାଇବାପିଇବା ସହ ଆବଶ୍ୟକ ସବୁ ଜିନିଷ ଯୋଗାଇ ଦିଆଯାଏ। ସନ୍ଧି ମୁତାବକ ଯୁଦ୍ଧବନ୍ଦୀଙ୍କ ସହ ଅମାନବୀୟ ବ୍ୟବହାର ପ୍ରଦର୍ଶନ କରାଯାଇ ପାରିବ ନାହିଁ। ଯୁଦ୍ଧବନ୍ଦୀଙ୍କୁ ଧମକ ଦିଆଯାଇପାରିବ ନାହିଁ। ଏହାସହ ଯୁଦ୍ଧବନ୍ଦୀଙ୍କୁ ତାଙ୍କ ଜାତି, ଧର୍ମ ଓ ଜନ୍ମ ଆଦି ବିଷୟରେ ପଚରା ଯାଇପାରିବ ନାହିଁ।