କବିତା ମହାନ୍ତିଙ୍କ କବିତା : ତୁମରି ଗାଁ

ସାଗର ବେଳାରେ ବସିଥିଲି ମୁହିଁ
ଗଢ଼ୁଥିଲ ବାଲି ଘର
ତୁମ ମୋଅ ନାଆଁ ଯେତେ ଲେଖିଲେବି
ଧୋଇନେଲା ସେ ଜୁଆର ।

ଶଙ୍ଖ ହୁଳହୁଳି ମହୁରୀ ବାଜିଲା
ତୁମରି ଗାଆଁ ଦାଣ୍ଡରେ
ଫୁଲସବାରିରେ ନବବଧୂ ସାଜି
ନଇଁ ଚାଲୁଥିଲି ଧିରେ ।

ମୋ ପାଦ ପାଉଁଜି ରୁଣୁଝୁଣୁ ବାଜେ
ମଧୁ ସମୀରଣ ଝରେ
ତୁମରି ଗାଆଁର ବଉଳ ବାସରେ
ମଧୁମାସ ହାତଠାରେ ।

ବସନ୍ତବି ଅଛି ମଳୟ ବହୁଛି
ତୁମେ ସାଥୀ ବହୁ ଦୂରେ
ତୁମରି ଗାଆଁରୁ ବିରହ ରାଗିଣୀ
କୋକିଳ କଣ୍ଠରୁ ଝରେ ।

ଅନତିଦୂରରୁ ଜୟ ଜୟ ଘୋଷେ
ଥରୁ ଥିଲା ତୁମ ଗାଆଁ
ସହୀଦ ଯବାନ ଅମର ରହରେ
କାନ୍ଦି କହୁ ଥିଲା ଆହା ।

ଜନ ସମୁଦ୍ରରେ ଭାସୁଥିଲା ଗାଆଁ
ତିମିରିତ ଶୋକାତୁରା
ତ୍ରିରଙ୍ଗା କେତନେ ମୁହଁକୁ ଲୁଚାଇ
ସୁଖନିଦ୍ରା କୋଳେ ତୋରା ।

ତୁମରି ଗାଆଁର ଶମସାନ ଭୂମି
ଆଦରେ ନେଲା କୋଳେଇ
ନିଡ ଭାଙ୍ଗିଗଲା ପକ୍ଷୀ ଉଡିଗଲା
କପୋତୀ ଝୁରି ମରଇ ।

ଦେଇଥିଲ କଥା ଏସନ ଫଗୁଣେ
ଗାଆଁକୁ ଦେବ ରଙ୍ଗେଇ
ଫଗୁଣରୁ ଆଜି ଫଗୁ ଉଡିଗଲା
ଗାଆଁଠୁ ଗଲ ଦୂରେଇ ।

କବିତା ମହାନ୍ତି

ପ୍ରଧାନ ଶିକ୍ଷୟିତ୍ରୀ ସାଇଲୋଝାରପଡା ଉପ୍ରାବିଦ୍ଯାଳୟ, କଣ୍ଟାପଡା କଟକ
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.