● ଘଟଣାରେ ସଂପୃକ୍ତ ୯ଜଣଙ୍କୁ ଗିରଫ କଲା ଗୁଣପୁର ପୋଲିସ
● ଗୁଣିଗାରେଡିକୁ ବିଶ୍ୱାସ ନ କରି ସଚେତନ ହୁଅନ୍ତୁ – ଏସ.ପି.ସର୍ବଣା ବିବେକ
ରାୟଗଡା,୧/୩: ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଳାକୁ ଅନ୍ଧବିଶ୍ୱାସ ଠାରୁ ଦୂରେଇ ରଖିବାକୁ ଜିଲ୍ଳା ପ୍ରଶାସନ,ପୋଲିସ ପ୍ରଶାସନ ସହ ଅନ୍ୟାନ୍ୟ ସଂଗଠନଗୁଡିକ ପକ୍ଷରୁ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଓ ପଥପ୍ରାନ୍ତ ନାଟକ ଭଳି କାର୍ଯ୍ୟକ୍ରମ ପରିବେଷଣ କରି ଗ୍ରାମବାସୀଙ୍କୁ ଡାକ୍ତରୀ ସେବା ଉପରେ ନିର୍ଭର କରିବାକୁ ପରାମର୍ଶ ଦେଉଥିଲେ ସୁଦ୍ଧା ଅନ୍ଧବିଶ୍ୱାସକୁ ଆପଣେଇ ଗୁଣିଗାରେଡି, ଡାହାଣୀ, ପିଶାଚି ଭଳି କଥାକୁ ବିଶ୍ୱାସ କରି ଅମାନବୀୟ କାଣ୍ଡ କରିବାକୁ ପଛାଉ ନାହାନ୍ତି ଲୋକେ । ପୁଣି ଚାଲି ଯାଇଛି ୩ଜୀବନ । ତାହା ପୁଣି ସେହି ଗୁଣିଗାରେଡି ଭଳି ଅନ୍ଧବିଶ୍ୱାସକୁ ନେଇ । ଘଟଣାରେ ଗିରଫ ହୋଇଛନ୍ତି ୯ଜଣ ଅଭିଯୁକ୍ତ । ଏମାନଙ୍କ ମଧ୍ୟରେ ୬ଜଣ ପୁରୁଷ ଓ ୩ଜଣ ମହିଳା ରହିଛନ୍ତି । ସେମାନଙ୍କ ମଧ୍ୟରୁ ମୁଖ୍ୟ ୫ଜଣ ଅଭିଯୁକ୍ତ ୩ଜଣଙ୍କୁ ହତ୍ୟା କରିଥିବା ବେଳେ ବାକି ୪ଜଣ ସେମାନଙ୍କୁ ହତ୍ୟାର ପ୍ରମାଣ ନଷ୍ଟ କରିବାରେ ସହଯୋଗ କରିଥିଲେ ।
ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ବାବୁଲା ଶବର,ଅଜିତ୍ ଶବର,ରବି ଶବର,ବୁଲୁ ଶବର,ଶଙ୍କର ଶବର ଓ ସହଯୋଗୀମାନେ ହେଲେ କମଳଲୋଚନ ଶବର,ପୁଣ୍ୟତୋୟା ଶବର,ମାଳତୀ ଶବର ଓ ଫୁଲ ଶବର । ଟ୍ରିପଲ ମର୍ଡର ଘଟଣାକୁ ନେଇ ରାୟଗଡା ଜିଲ୍ଳାରେ ଚହଳ ପଡିଥିବା ବେଳେ ଗତ ଗୁରୁବାର ରାତ୍ର ସାଢେ ୮ଟା ସମୟରେ ଜିଲ୍ଳା ପୋଲିସ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ସର୍ବଣା ବିବେକ ଏମ. ସାମ୍ବାଦିକ ସମ୍ମିଳନୀରେ ସମସ୍ତ ୯ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଶୁକ୍ରବାର ଦିନ କୋର୍ଟଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ।
ଏହି ସମ୍ମିଳନୀରେ ବାବୁଲା,ଅଜିତ,ରବି,ବୁଲୁ ଓ ଶଙ୍କରଙ୍କୁ ଉପସ୍ଥିତ କରାଯାଇଥିବା ବେଳେ ଗୁଣପୁର ଏସଡିପିଓ ରାଜ କିଶୋର ଦାସଙ୍କ ସମେତ ଏସ.ଆଇ.ଧୀରେନ ପଟ୍ଟନାୟକ ଉପସ୍ଥିତ ରହିଥିଲେ । ସୂଚନାଯୋଗ୍ୟ ଯେ, ରାୟଗଡା ଜିଲ୍ଳା ରାମନାଗୁଡା ବ୍ଳକ ଅର୍ନ୍ତଗତ ଉକୁମ୍ବାଗୁଡା ଗ୍ରାମର ଗୋପାଳ ଶବର ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ଶବରଙ୍କୁ ଦୀର୍ଘ ଦିନ ହେବ ଗାଁର କିଛି ଯୁବକ ଗୁଣି ଗାରେଡି କରୁଥିବା ସନ୍ଦେହ କରୁଥିଲେ । ଏହି ମର୍ମରେ ଗ୍ରାମର ରବି ଶବରଙ୍କ ବାପା ନୀଳାମ୍ବର ଶବର କିଛି ଦିନ ଧରି ଜ୍ୱରରେ ପୀଡିତ ରହି ମୃତ୍ୟୁ କରିଥିଲେ । କିନ୍ତୁ ରବି’ର ବାପାଙ୍କ ମୃତ୍ୟୁ ଗୁଣି ଗାରେଡି ଯୋଗୁଁ ହୋଇଥିବା ସନ୍ଦେହ କରି ଗୋପାଳଙ୍କୁ ଜୀବନରେ ମାରିଦେବା ପାଇଁ ବାବୁଲା ଶବର ଯୋଜନା କରି ରବି, ବୁଲୁ, ଅଜିତି ଓ ଶଙ୍କରଙ୍କ ଆଲୋଚନା କରିଥିଲା ।
ଯୋଜନାକୁ ସଫଳ ରୂପ ଦେବା ପାଇଁ ଗତମାସ ଫେବୃୟାରୀ ୨୩ତାରିଖ ରାତ୍ର ୧୦ଟା ସମୟରେ ଗୋପାଳ ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀଙ୍କୁ ଘରୁ ଟାଣି ଆଣି ଗାଁ ଦାଣ୍ଡରେ ଲାଠି, କ୍ରିକେଟ ବ୍ୟାଟ ଇତ୍ୟାଦି ସାହାର୍ଯ୍ୟରେ ଆକ୍ରମଣ କରି ହତ୍ୟା କରାଯାଇଥିଲା । ପରେ ଘଟଣାସ୍ଥଳରୁ ମୃତଦେହକୁ ଦୁଇଟି ମୋଟର ବାଇକ ଯୋଗେ ଗ୍ରାମରୁ ମାତ୍ର ୧୫୦ମିଟର ଦୂରରେ ଥିବା ମଶାଣୀରେ ରାତାରାତି ପୋଡି ଦେବା ପାଇଁ ଯୋଜନା କରାଯାଇଥିଲା । ଏହି ଯୋଜନାରେ କମଳ ଲୋଚନ ଶବରଙ୍କ ସହ ମହିଳା ପୁଣ୍ୟତୋୟା, ଫୁଲ ଓ ମାଳତୀ ସହଯୋଗ କରିଥିଲେ । ମଶାଣୀରେ ପେଟ୍ରୋଲ ଢାଳି ଜାଳି ଦେବା ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ସମସ୍ତେ ଅଭିଯୁକ୍ତ ମିଶି ମୃତକମାନଙ୍କ ହାଡପାଉଁଶ ସବୁ ନିକଟ ପୋଖରୀରେ ଭସାଇ ଦେଇଥିଲେ । ତେବେ ଗୋପାଳ ଓ ଲକ୍ଷ୍ମୀଙ୍କ ୧୧ବର୍ଷର ପୁଅ ଏହି ଘଟଣାର କେବଳ ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ ଭାବେ ସାକ୍ଷୀ ହୋଇରହିଥିଲା । ବାପା ଓ ମାଁଙ୍କ ମୃତ୍ୟୁ ଖବର ପାଇ ଭୁବନେଶ୍ୱରରେ ରହୁଥିବା ଝିଅ ସବିତା ଏ ନେଇ ଫେବୃୟାରୀ ୨୫ତାରିଖରେ ଗୁଣପୁର ଥାନାରେ ଏତଲା ଦେବା ପରେ ଆରମ୍ଭ ହୋଇଥିଲା ତଦନ୍ତ ।
ପ୍ରକାଶ ଥାଉ କି ଗତ ୧୦ମାସ ତଳେ ଗୁଣପୁର ଏଡିଜେ କୋର୍ଟରେ ଏପରି ଗୁଣି ଗାରେଡି ଘଟଣାକୁ ବିଚାର କରାଯାଇ ପୂର୍ବରୁ ୯ଜଣ ଅଭିଯୁକ୍ତଙ୍କୁ ଫାଶି ଦଣ୍ଡାଦେଶର ଏକ ଐତିହାସିକ ରାୟ ଶୁଣାଣି କରାଯାଇଥିଲା । ତେବେ ବି ଏପରି ହତ୍ୟାକାଣ୍ଡ ଭିଆଇବାକୁ ପଛାଉ ନାହାନ୍ତି ଅନ୍ଧବିଶ୍ୱାସର ଗଳିରେ ରହି ଗୁଣିଗାରେଡି ଭଳି ଅପରାଧକୁ ବିଶ୍ୱାସ କରି ରହୁଥିବା ଲୋକେ । ଅନ୍ୟପକ୍ଷରେ ଗୁଣି ଗାରେଡି ଭଳି ଅନ୍ଧବିଶ୍ୱାସକୁ ବିଶ୍ୱାସ ନ କରି ଡାକ୍ତରୀ ସେବାକୁ ବିଶ୍ୱାସ କରିବାକୁ ସଚେତନ ହେବା ପାଇଁ ଏସ.ପି.ଶ୍ରୀ ସର୍ବଣା ବିବେକ ପରାମର୍ଶ ଦେଇଛନ୍ତି ।