ଉତ୍କଳୀୟ ସଂସ୍କୃତିରେ ମହାଶିବରାତ୍ରୀ

● ଡ଼କ୍ଟର ମମତା କୁମାରୀ ତ୍ରିପାଠୀ ●

ଭାରତୀୟ ସଂସ୍କୃତି, ପରମ୍ପରା ଏବଂ ଐତିହ୍ୟକୁ ନେଇ  ପର୍ବପର୍ବାଣୀ ଗୁଡ଼ିକ ପରିକଳ୍ପିତ । ଏହା ମଧ୍ୟରେ ଦେଶ ଓ ଜାତିର ସାଂସ୍କୃତିକ ସ୍ୱାଭିମାନ,ଅର୍ଥନୈତିକ ବିକାଶ,ଐତିହାସିକ ତଥ୍ୟ ତଥା ଆଧ୍ୟାତ୍ମିକ ବୈଶିଷ୍ଠ୍ୟ ଗୁଡ଼ିକୁ ସ୍ପଷ୍ଟ ରୂପେ ବାରିହୁଏ । ଏହି ଦୃଷ୍ଟି କୋଣରୁ ବିଚାରକଲେ ଓଡ଼ିଶାର ଅଧିକାଂଶ ପର୍ବପର୍ବାଣୀ ହେଉଛି ସାଂସ୍କୃତିକ ଓ ଆଧ୍ୟାତ୍ମିକ କଳାତ୍ମକତାର ପରିଣତି । ପଲ୍ଲୀ ବହୁଳ ରାଜ୍ୟ ଓଡ଼ିଶାରେ ବାରମାସରେ ତେରପର୍ବ ପାଳନ କରାଯାଇଥାଏ । ତନ୍ମଧ୍ୟରୁ ମହାଯୋଗୀ ଶିବଙ୍କୁ କେନ୍ଦ୍ରକରି ପାଳିତ ହେଉଥିବା ପର୍ବପର୍ବାଣୀ ଗୁଡ଼ିକ ମଧ୍ୟରେ ଶିତଳଷଷ୍ଠୀ, କେଦାରବ୍ରତ,ମୁକୁତିଣି ବ୍ରତ,ସୋମବାରବ୍ରତ,ଚାଉଳଭଜା ଓଷା, ମହାଶିବରାତ୍ରି, ସୋମନାଥ ବ୍ରତ, ନଗଲଚଉଠୀ, ବାଲିତୃତୀୟା, ଆଦି ଅନ୍ୟତମ । ଉପର୍ଯ୍ୟୁକ୍ତ ପର୍ବପର୍ବାଣୀ ମଧ୍ୟରୁ ଶିବରାତ୍ରୀ ବା ଜାଗରକୁ ହିନ୍ଦୁମାନେ ମହାସମାରୋହରେ ପାଳନ କରିଥାନ୍ତି ।

କେନ୍ଦୁଝର ଜିଲ୍ଲାର ଆସନପାଟ ଶିଳାଲେଖରୁ ଜଣାଯାଏ ଓଡ଼ିଶାରେ ଚତୁର୍ଥ ଶତାବ୍ଦୀ ବେଳକୁ ଶୈବ ଧର୍ମର ଉଦ୍ଭବ ହେଇଥିଲା । ଏତଦବ୍ୟତୀତ ‘ଈଶାନ ସଂହିତା’ ରେ ଉଲ୍ଲେଖ ଅଛି ସଚ୍ଚିଦାନନ୍ଦ ପରମେଶ୍ୱର ଦେବ ଦେବ ମହଦେବଙ୍କ ଜ୍ୟୋତିର୍ମୟ ଲିଙ୍ଗ ମୂର୍ତ୍ତି ପ୍ରଥମେ ଫାଲଗୁନ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀର ମହାନିଶାରେ ଆବିର୍ଭୂତ ହୋଇଥିଲା । ଏହାକୁ ମହାଶିବରାତ୍ରୀ ଭାବରେ ପାଳନ କରାଯାଏ । ଉନ୍ମତ୍ତ ମଣିରେ ଉତ୍ସୃଙ୍ଖଳତାକୁ ଶୃଙ୍ଖଳିତ କରିବା ପାଇଁ ଭାରତୀୟ ସଂସ୍କୃତିରେ ବସନ୍ତ ଋତୁର ପ୍ରାରମ୍ଭରେ ଶିବରାତ୍ରୀ ବ୍ରତର ପାଳନ କରାଯାଏ । ମଳୟର ମୃଦୁ ହିଲ୍ଲୋଳ ପୁଷ୍ପର ସୁଗନ୍ଧିତ ସୁରଭି ମଣିଷ ମନରେ ଅପୂର୍ବ ଉନ୍ମାଦନା ସୃଷ୍ଟି କରେ । ଉତଫୁଲ୍ଲିତ ମଣିଷ ଏହି ଋତୁରେ ଦେବ ଦେବ ମହାଦେବଙ୍କର ଶିବରାତ୍ରୀ ବ୍ରତଟିକୁ ପାଳନ କରିଥାନ୍ତି ।

ଉପନିଷଦ ମତରେ ଶିବ ହିଁ ଭୂତ,ଭବିଷ୍ୟତ ଓ ବର୍ତ୍ତମାନ ରୂପେ ପରିଚିତ ।  ସେ କାଳ, ନିତ୍ୟ, ଅନିତ୍ୟ, ଅବ୍ୟକ୍ତ, ବ୍ୟକ୍ତ,ପୁରୁଷ, ଗାୟତ୍ରୀ, ସାବିତ୍ରୀ,ସକଳ ବେଦ ସ୍ୱରୂପ, ତାଙ୍କ ଦକ୍ଷିଣରେ ସୂର୍ଯ୍ୟ, ବ୍ରହ୍ମା,ଗାର୍ହପତ୍ୟ, ବାମରେ ଉମା,ବିଷ୍ଣୁ ଓ ସୋମ ରହିଛନ୍ତି । ଶିବ ହେଉଛନ୍ତି ରାତ୍ରି । ସଂହାର କାଳର ପ୍ରତିନିଧି ତଥା ଭୂତପ୍ରେତଙ୍କର ନିୟାମକ । ଦେଣୁ ଦିନରେ ସୂର୍ଯ୍ୟଙ୍କର ଆଲୋକରେ ସେ ନିଜର ପ୍ରଭାବ ଦେଖାଇନପାରି ରାତ୍ରିର ଘନକୃଷ୍ଣ ଅନ୍ଧକାରର ଆବରଣ ତଳେ ନିଜର ଶକ୍ତି ପ୍ରଦର୍ଶନ କରିଥାଆନ୍ତି । ସେଥିପାଇଁ ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷର ସମସ୍ତେ ନିର୍ଜଳା ଉପବାସ ପୂର୍ବକ ଉଜାଗର ରହି ସର୍ବକଲ୍ୟାଣର ପ୍ରତୀକ,ସର୍ବତ୍ୟାଗୀ ସାଗର ମନ୍ଥନରୁ ପ୍ରାପ୍ତ ହଳାହଳ ବିଷପାନକାରୀ, ତ୍ରିଲୋକର ଦୂଃଖ ସନ୍ତାପହାରୀ, ଆଶୁତୋଷ ଦେବ ଦେବ ମହାଦେବଙ୍କର ପୂଜା ଆରାଧନାରେ ମଜ୍ଜି ଥାଆନ୍ତି ।

ଓଡ଼ିଶାର ବିଭିନ୍ନ ଶୈବ ପିଠ ବିଶେଷକରି ଢେଙ୍କାନାଳର କପିଳାସ,ଭୁବନେଶ୍ୱରର ଲିଙ୍ଗରାଜ,ପୁରୀର ଲୋକନାଥ, ବ୍ରହ୍ମପୁରର ଧବଳେଶ୍ୱର,ସୋରଡ଼ାର ପଞ୍ଚାନନ ଆଦି ମନ୍ଦିରରେ ଶିବରାତ୍ରୀ ଦିନ ବହୁ ବ୍ରତୀ ଦୂରଦୂରାନ୍ତରରୁ ଆସି ସାରାରାତି ଉଜାଗର ରହି ଶଙ୍କରଙ୍କ ପୂଜା ଆରାଧନାରେ ବିଭୋର ହୋଇଥାଆନ୍ତି ।
ଉକ୍ତ ପର୍ବଟିର ଉତ୍ପତ୍ତି ସଂପର୍କରେ ଭକ୍ତକବି ରାମଦାସ ସ୍ୱରଚିତ ‘ଶ୍ରୀ ଶିବରାତ୍ରୀ ମହାତ୍ମ୍ୟ’ ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି ଯେ, କ୍ଷୀରସାଗର ମନ୍ଥନ ସମୟରେ ବାସୁକୀ ମୁଖରୁ ନିର୍ଗତ ହୋଇଥିବା ହଳାହଳ ବିଷ ପ୍ରଭାବରେ ସଂସାର ଧ୍ୱଂସ ହେବାକୁ ବସିଲା । ତେଣୁ ସଂସାରକୁ ଧ୍ୱଂସ ମୁଖରୁ ରକ୍ଷା କରିବା ପାଇଁ ସମସ୍ତେ ଦେବ ଦେବ ମହାଦେବଙ୍କୁ ଆକୁଳ ପ୍ରାର୍ଥନା କଲେ । ଶେଷରେ ମହାଦେବ ସଂସାର ରକ୍ଷାର୍ଥେ ସେହି ହଳାହଳ ବିଷକୁ ପାନ କରିିବା ଦ୍ୱାରା ମୁର୍ଚ୍ଛିତ ହୋଇ ପଡ଼ିଥିଲେ, ତେଣୁ ବ୍ରହ୍ମା,ବିଷ୍ଣୁ ଆଦି ଦେବଗଣ ନିଶିଦିବସ ଉଜାଗର ରହି ତାଙ୍କ ମସ୍ତକରେ ଚନ୍ଦନ କର୍ପୁର ଆଦି ବିଭିନ୍ନ ଶୀତଳ ସାମଗ୍ରୀ ତଥା ଜଳଲାଗି କରିବାରୁ ମହାଦେବଙ୍କର ପୁନଶ୍ଚ ଚେତନା ଫେରିଆସିଲା । ବିଷ୍ଣୁ ଉକ୍ତ ଦିନଟି ସଂପର୍କରେ ପ୍ରଜାପତି ବ୍ରହ୍ମାଙ୍କୁ ପଚାରିବାରୁ ବ୍ରହ୍ମା ଏହି ଦିବସଟିକୁ ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି ବୋଲି କହିଥିଲେ ।

ଶିବରାତ୍ରୀ ପର୍ବ କେବଳ ଭାରତ ଓ ନେପାଳରେ ନୁହେଁ, ୱେଷ୍ଟ ଇଣ୍ଡିଜର ୪୦୦ଟି ମନ୍ଦିରରେ ମଧ୍ୟ ପାଳନ କରାଯିବାର ଦେଖାଯାଏ ।
ବର୍ଷ ମଧ୍ୟରେ ପାଳିତ ହେଉଥିବା ବାରଗୋଟି ଶିବରାତ୍ରୀ ମଧ୍ୟରୁ ମହାଶିବରାତ୍ରୀ ଅନ୍ୟତମ । ଏହି ପର୍ବକୁ ଶ୍ରଦ୍ଧାଳୁମାନେ ଭାରତର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରିତି ନିତିରେ ପାଳନ କରିଥାନ୍ତି । କାଶ୍ମୀର ବ୍ରାହ୍ମଣମାନେ ଏହି ପର୍ବକୁ ମହାଶିବରାତ୍ରୀର ତିନିଚାରି ଦିନ ଆଗରୁ ପାଳନ କରିଥାନ୍ତି । ଏହାକୁ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ରୂପେ ପାଳନ କରାଯାଏ । ଭାରତର କେତେକ ସ୍ଥାନରେ ଏହା ଦିନରେ ପାଳନ କରାଯାଇଥିବାବେଳେ ଅନ୍ୟ କେତେକସ୍ଥାନରେ ଭକ୍ତମାନେ ଏହାକୁ ରାତ୍ରୀରେ ଉଜାଗର ରହି ଶିବସ୍ତୋତ୍ର ଗାନ କରି ମହାଆଡ଼ମ୍ବରର ସହ ପାଳନ କରିଥାନ୍ତି ।


କିମ୍ବଦନ୍ତୀ ଅନୁଯାୟୀ ଏହି ଶିବରାତ୍ରୀ ଦିନ ବ୍ରହ୍ମା ଓ ବିଷ୍ଣୁ ନିଜ ନିଜର ଅଲୌକିକ ଶକ୍ତି ବା ଅତି ମାନବୀୟ ଶକ୍ତିକୁ ନେଇ କଳହ କରିଥିଲେ । ଏଥି ନିମିତ୍ତ ଶିବ ବ୍ରହ୍ମାଙ୍କୁ ଦଣ୍ଡବିଧାନ କରିଥିଲେ ଶିବ ନିଜ ଶକ୍ତିରୁ ପ୍ରକାଣ୍ଡ ଅଗ୍ନୀ ସୃଷ୍ଟିକଲେ ଯାହାକି ବିଶ୍ୱବ୍ରହ୍ମାଣ୍ଡ ସର୍ବତ୍ର ବ୍ୟାପିଗଲା । ଏହି ଅଗ୍ନିର ପରିସମାପ୍ତି କେଉଁଠି ଦେଖିବା ପାଇଁ ବ୍ରହ୍ମା ଓ ବିଷ୍ଣୁ ବାହାରିଥିଲେ । କିନ୍ତୁ ଏଥିରେ ହତାଶ ହେଲେ । ବ୍ରହ୍ମା ଏହାକୁ ମିଥ୍ୟାର ଆଶ୍ର ବୋଲି କହିବାରୁ କ୍ରୋଧୀ ଶିବ ବ୍ରହ୍ମାଙ୍କୁ ଅଭିଶାପ ଦେଇଥିଲେ । ତେଣୁ ବ୍ରହ୍ମାଙ୍କୁ ପୂଜା କରିବାର ପରମ୍ପରା ହିନ୍ଦୁ ସଂସ୍କୃତିରେ ନାହିଁ ।

ବିଶ୍ୱାସ ରହିଛି ଯେ, ନିଷ୍ଠାର ସହିତ ଶିବରାତ୍ରୀ ଉପବାସ ଓ ଅଖଣ୍ଡ ଦୀପ ପ୍ରଜ୍ୱଳନ ଦ୍ୱାରା ଜୀବନର ସମସ୍ତ ପାପତାପ ଦୂର ହୋଇ ସୁଖଶାନ୍ତି ମିଳିଥାଏ । ସଂସାରର ଦୂଃଖ ହରଣକାରୀ ଦେବ ଦେବ ମହାଦେବଙ୍କୁ ଭକ୍ତମାନେ ଦୁଧ, ପଣା, ଖୁଆ, ତ୍ରିଶାଖା, ବିଲ୍ୱପତ୍ର, ଦୁଦୁରାଫୁଲ, ଅରଖ, କେତକୀଫୁଲ, ଆଦି ଅର୍ପଣ କରିବା ସହିତ ରାତ୍ରରେ ଉଜାଗର ରହିଥାନ୍ତି । ପରଦିନ ପ୍ରଭାତରୁ ସ୍ନାନ ପୂର୍ବକ ଶିବ ଦର୍ଶନ ଓ ଶିବ ପାଦୋଦକ ସେବନ ପରେ ଶିବରାତ୍ରୀ ବ୍ରତ ସମାପିତ ହୋଇଥାଏ ।

ବାସ୍ତବରେ ଶିବରାତ୍ରୀର ମହିମା ଅଶେଷ । ଏହା ଲୋକମୁଖରେ ଜାଗର ରୂପେ ପ୍ରସିଦ୍ଧି ଲାଭ କରିବା ସହିତ ଜନମାନସକୁ ଧାର୍ମିକ ଚିନ୍ତା ଚେତନା ପ୍ରତି ଆକୃଷ୍ଟ କରି ମହାନ ଉତ୍କଳୀୟ ତଥା ଭାରତୀୟ ସଂସ୍କୃତିକୁ ଋଦ୍ଧିମନ୍ତ କରିପାରିଛି । ମହାଶିବରାତ୍ରୀ ଏକ ପର୍ବ ହେଲେ ମଧ୍ୟ ଏହାର ଅନ୍ତରାଳରେ ଥିବା ଧାର୍ମିକ, ସାମାଜିକ ତଥା ବୈଜ୍ଞାନିକ ଦୃଷ୍ଟିକୋଣ ପ୍ରତ୍ୟେକ ବ୍ୟକ୍ତିର ହୃଦୟକୁ ଆନନ୍ଦ ଉଲ୍ଲାସ ତଥା ଭକ୍ତି ଭାବରେ ବିହ୍ୱଳିତ କରେ କହିଲେ ଦ୍ୱିରୁକ୍ତି ହେବ ନାହିଁ ।

ପରିଶେଷରେ ଶିବରାତ୍ରୀ ମହାତ୍ମ୍ୟ ଗ୍ରନ୍ଥରେ ଏ ବ୍ରତର ମାହାତ୍ମ୍ୟ ବିଷୟରେ ଶିବ ଯମଙ୍କୁ କହିଛନ୍ତି –
“ଏ ମୋର ଶିବରାତ୍ରି ବ୍ରତ
କରିଣ ଥିବ ଯେଉଁ ଭକ୍ତ ।।

ତାହାଙ୍କ ପାଖକୁ ନଯିବୁ
ଦେଖିରେ ଚରଣ ପୂଜିବୁ ।।

ଶ୍ରୀ ଶିବରାତ୍ରୀ ବ୍ରତ ଦିନ
କରିବ ଶିବ ଦରଶନ ।।

ତାର କଳ୍ମଷ ଥିବ ଯେତେ
ଦହନ ହୋଏ କ୍ଷଣେ ମାତ୍ରେ ।।

ତାର ଅପ୍ରାଧ ଥିଲେ ଯେତେ
ରହଇ ନାହିଁ କଦାଚିତେ ।।

ଏମନ୍ତ ଲୋକଙ୍କର ପାଶ
ଗଲେ ତୋ ଯମ ପଣ ନାଶ ।।”

ଅଧ୍ୟାପିକା, ଓଡ଼ିଆ ବିଭାଗ ମ.ରାମପୁର ମହାବିଦ୍ୟାଳୟ, ମ.ରାମପୁର, କଳାହାଣ୍ଡି

For latest news & views update

Click on bell button and subscribe to notifications.

Like us on facebook 👇

http://facebook.com/odiabarta

Subscribe us on youtube 👇

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.