୫ ଚୋରି ଘଟଣାର ରହସ୍ୟ ଉନ୍ମୋଚିତ : ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ସୁବର୍ଣ୍ଣପୁର ଆରକ୍ଷ ଅଧୀକ୍ଷକ

ସୋନପୁର,୬/୩ : ଗତ ଏକ ମାସ ହେଲା ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ହୋଇ ଆସୁଥିବା ଚୋରି ଘଟଣାରେ ପୁଲିସକୁ ବଡ ସଫଳତା ମିଳିଛି । ଗତ ଏକ ମାସ ମଧ୍ୟରେ ଜିଲାର ବିଭିନ୍ନ ଥାନା ଅଞ୍ଚଳରୁ ହୋଇଥିବା ୫ ଟି ଚୋରି ଘଟଣାର  ପର୍ଦ୍ଦାଫାସ କରିଛି ପୋଲିସ । ଏହି ଘଟଣାରେ ସଂପୃକ୍ତ ୩ ଜଣ ନାବାଳକ, ଜଣେ ମହିଳା ଓ ଅନ୍ୟ ଜଣେ ଦୋକାନୀକୁ ପୁଲିସ ଗିରଫ କରିଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ଦେବୀ ପ୍ରସାଦ ଦାଶ ସୂଚନା ଦେଇଛନ୍ତି । ଏହା ସହିତ ଚୋରୀ ହୋଇଥିବା ୮ ଲକ୍ଷ ଟଙ୍କା ମୂଲ୍ୟର ସମ୍ବଲପୁରୀ ଶାଢ଼ି, ମୋବାଇଲ, ମୋବାଇଲ ସାମଗ୍ରୀ ସହ ଦୁଇଟି ବାଇକ ଉଦ୍ଧାର କରାଯାଇଥିବା ସେ ସୂଚନା ଦେଇଛନ୍ତି । ଆରକ୍ଷୀ ଅଧୀକ୍ଷକ ଦେଇଥିବା ସୂଚନା ଅନୁଯାୟୀ ଗତ ଡିସେମ୍ବର ୨୮ ତାରିଖରେ ତରଭା ଥାନା ଅନ୍ତର୍ଗତ ଖାରୀ ଗ୍ରାମର ଏକ କପଡା ଦୋକାନରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ବଲପୁରୀ ଶାଢି ଚୋରୀ ହୋଇଥିଲା । ସେହିପରି ଜାନୁୟାରୀ ୧୦ ରେ ଉଲୁଣ୍ଡା ଥାନା ଉଲୁଣ୍ଡାରେ ଏକ ଶାଢି ଦେକାନରୁ ଚୋରୀ ଉଦ୍ୟମ ହୋଇଥିଲା । ଏହା ବ୍ୟତିତ ଗତ ଜାନୁୟାରୀ ୧୪ ରେ ତରଭା ଥାନା ଅନ୍ତର୍ଗତ ସରଗଜ ଗ୍ରାମରେ ଏକ ମୋବାଇଲ ଦୋକାନରୁ ଚୋରୀ ହେବା ସହ ୧୫ ତାରିଖ ଦିନ ବିନିକା ଥାନା ଅନ୍ତର୍ଗତ ମହାଦେବପାଲି ଗ୍ରାମର ଏକ ମୋବାଇଲ ଦେକାନରୁ ଚୋରୀ ଓ ସେହି ମାସ ୨୬ ତାରିଖ ଦିନ ରାମପୁର ଥାନା ଅନ୍ତର୍ଗତ ରାମପୁରର ଏକ ମୋବାଇଲ ଦେକାନରୁ ଚୋରୀ ହୋଇଥିଲା । ଏହି ସମସ୍ତ ଚୋରୀ ଘଟଣାରେ ପୁଲିସ ପୃଥକ ପୃଥକ ଭାବେ ୫ ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଥିଲେ ମଧ୍ୟ ଚୋରମାନଙ୍କ ସଂପର୍କରେ କୌଣସି ସୁରାକ ପାଇନଥିଲେ । ତେବେ ମହାଦେବପାଲି ଓ ତରଭାରେ ଚୋରୀ ସମୟରେ ସିସିଟିଭିରେ ଉଠିଥିବା ଫଟୋକୁ ପୁଲିସ ତନ୍ନତନ୍ନ କରି ତନଖି କରିବା ପରେ ଉଭୟ ଚୋରୀରେ କିଛି ନାବାଳକ ସାମିଲ ଥିବା ସୂଚନା ମିଳିଥିଲା । ଏହାକୁ ଆଧାର କରି ଆରକ୍ଷୀ ଅଧିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସୋନପୁର ପୁଲିସ ଏସଡିିଓ ମିହିର କୁମାର ପଣ୍ଡାଙ୍କ ନେତୃତ୍ୱରେ ବିନିକା ଥାନା ଅଧିକାରୀ ରାଜେନ୍ଦ୍ର ସମାରିଆ, ତରଭା ଥାନା ଅଧିକାରୀ ଡୋଳାମଣି ଭୋଇ, ସୋନପୁର ଥାନା ଅଧିକାରୀ ଲୋକେଶ୍ୱର ସାହୁ, ରାମପୁର ଥାନା ଅଧିକାରୀ ଭାନୁ ଶଙ୍କର ଯାଦବ, ଲଛିପୁର ଫାଣ୍ଡି ଅଧିକାରୀ କ୍ଷୀରୋଦ ଚନ୍ଦ୍ର ବାଗ, ସୋନପୁର ଥିନା ସବଇନ୍ସପେକ୍ଟର ଏକାଦଶିଆ ପ୍ରଧାନ, ମହାଦେବପାଲି ଫାଣ୍ଡି ଅଧିକାରୀ ବସନ୍ତ କୁମାର ରଥ, ହରଡଖୋଲ ଫାଣ୍ଡି ଅଧିକାରୀ ସଞ୍ଜିବ କୁମାର ବସ୍ତିଆ ପ୍ରମୁଖଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଅଧିକ ଅନୁସନ୍ଧାନ ଆରମ୍ଭ କରିବା ସହ ଏଥିରେ ସଂପୃକ୍ତ ୩ ଜଣ ନାବାଳକଙ୍କ ସହ ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଲଛିପୁରର ପୁର୍ଣ୍ଣଚନ୍ଦ୍ର ମେହେର ଓ ବୌଦ ଜିଲା ମନମୁଣ୍ଡା ଥାନା ଅନ୍ତର୍ଗତ ଦହ୍ୟା ଗ୍ରାମର ପ୍ରଜ୍ଞାସିନୀ ସାହୁ ନାମକ ଜଣେ ମହିଳାଙ୍କୁ ଗିରଫ କରିଥିଲେ । ସେମାନଙ୍କ ଠାରୁ ଚୋରୀ ହୋଇଥିବା ୩ ଲକ୍ଷ ଟଙ୍କା ମୂଲ୍ୟର ୭୮ ଖଣ୍ଡ ସମ୍ବଲପୁରୀ ଶାଢି, ୨ ଲକ୍ଷ ୫୦ ହଜାର ଟଙ୍କା ମୂଲ୍ୟର ୪୧ ଟି ବିଭିନ୍ନ କମ୍ପଙ୍କନୀର ମୋବାଇଲ, ୨ ଲକ୍ଷ ୫୦ ହଜାର ଟଙ୍କା ମୂଲ୍ୟର ମୋବାଇଲ ସାମଗ୍ରୀ ସହ ଓଡି-୨୭-୧୯୭୫ ନମ୍ବର ବିଶିଷ୍ଟ ଏକ ମୋଟର ସାଇକେଲ ଓ ଗୋଟିଏ ନମ୍ବର ବିହୀନ ଟିଭିଏସ ସ୍କୁଟି ଜବତ କରାଯାଇଥିଲା । ତେବେ ଆଜି ସମସ୍ତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଡିଆଇବି ଡିଏସପି ମନୋରଞ୍ଜନ ପ୍ରଧାନ, ବୀରମହାରାଜପୁର ଏସଡିପିଓ ଧିରଜ ଚୋପଦାର ପ୍ରମୁଖଙ୍କ ସହ ବିଭିନ୍ନ ଥାନାର ଥାନା ଅଧିକାରୀ ଉପସ୍ଥିତ ଥିଲେ ।

ସୋନପୁରରୁ ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.